ଚିନ୍ତାଧାରାର ପ୍ରଭାବ
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଆମ ଚିନ୍ତାଧାରାର ପ୍ରଭାବ ବାବଦରେ କିଛିକଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା । ବ୍ୟକ୍ତି ଯେଉଁ ପରିସ୍ଥିତିରେ ରହେ, ସେହିଭଳି ଚିନ୍ତାଧାରା ତା' ମନରେ ସୃଷ୍ଟି ହୁଏ । ଯିଏ ଯେଉଁ ପ୍ରକାରର ଚିନ୍ତା କରିବ ତାକୁ ପରିବେଶଟା ସେହିଭଳି ହିଁ ଲାଗିବ । ଯେଉଁ ସମାଜରେ ଅପରାଧ ପ୍ରବଣତା ଅଛି, ବ୍ୟକ୍ତି ସେଠାରେ ସେହି ଅପରାଧଗୁଡିକର ସମ୍ପର୍କରେ ଚିନ୍ତା କରି ନିଜ କ୍ଷେତ୍ରରେ ସେସବୁ ଘଟି ଯାଉଥିବାର ସ୍ୱପ୍ନ ଦେଖିବ । ଶାନ୍ତ ଏବଂ ସ୍ୱାଭାବିକ ଜୀବନଯାପନ ଚାଲିଥିବା ସମାଜରେ ମନୁଷ୍ୟ ଅପରାଧ କଥା ଚିନ୍ତା କରିବ ନାହିଁ ଏବଂ ତାର ଚିନ୍ତାଧାରା ନକାରାତ୍ମକ ନ ହୋଇ ସକାରାତ୍ମକ ହେବ । ତେଣୁ ମନର ଚିନ୍ତାଧାରାକୁ ନେଇ ନିଜର ବ୍ୟକ୍ତିତ୍ୱ ଉପରେ ସମାଜର ପ୍ରତିଫଳନକୁ ଦେଖେ । ଅନ୍ୟକୁ ସାହାଯ୍ୟ, ସହଯୋଗ କରିବା, କାହାରି ସହିତ ଶତ୍ରୁତା ଆଚରଣ ନ କରିବା, ଅନ୍ୟ ପ୍ରତି ସହନଶୀଳ ରହିବା ଭଳି ଗୁଣ ଗୁଡିକ ଥିଲେ ମଣିଷ ସାଧାରଣ ଭାବରେ ଶାନ୍ତିରେ ରହିଛି ବୋଲି ଜଣାପଡେ । ନିଜ ଚିନ୍ତାଧାରାର ପ୍ରତିଫଳନ ନିଜ ଠାରେ ହିଁ ପ୍ରତିଫଳିତ ହୁଏ । ଜଣେ ଲୋକ ମନ ଭିତରେ ବିଭିନ୍ନ ପ୍ରକାରର ନକାରାତ୍ମକ ଚିନ୍ତାଧାରାକୁ ନେଇ ଶାନ୍ତିରେ ରହିପାରିବ ନାହିଁ କିମ୍ବା ସହିପାରିବ ନାହିଁ । ଅନ୍ୟମାନଙ୍କୁ ସନେ୍ଦହ କରିବା ଠାରୁ ଆରମ୍ଭ କରି ଶତ୍ରୁତା ଆଚରଣ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ନକାରାତ୍ମକ ଭାବନା ଗୁଡିକ ନିଜ ପାଇଁ ବହୁତ କ୍ଷତିକାରକ । ସମାଜ ଭିତରେ ସତର୍କ ହୋଇ ଚଳିବା ସହ ବୁଦ୍ଧିମତ୍ତାର ପ୍ରୟୋଗ କରି ଅନାବଶ୍ୟକ ଭାବରେ ନିଜର ଶତ୍ରୁ ସୃଷ୍ଟି କରିବା ଅନୁଚିତ୍ । ବ୍ୟକ୍ତି, ଶତ୍ରୁ ସଂଖ୍ୟା ଅଧିକ ବୋଲି ଭାବିଲେ ବାସ୍ତବ କ୍ଷେତ୍ରରେ ତାର ଶତ୍ରୁ ସଂଖ୍ୟା ବୃଦ୍ଧି ପାଇଯାଏ । ତେଣୁ ଯେଉଁ ଭଳି ଚିନ୍ତାଧାରା ମନ ଭିତରେ ଜଣେ ରଖିବ, ତାହା ବାସ୍ତବ କ୍ଷେତ୍ରରେ ତାର ଜୀବନକୁ ପ୍ରଭାବିତ କରିବ । ତେଣୁ ଆମର ଦୃଷ୍ଟି ଯେପରି ହେବ, ଜଗତଟା ଆମ ଆଗରେ ସେପରି ହିଁ ଦୃଶ୍ୟମାନ ହୋଇ ଉଠିବ ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।