ବିସିସିଆଇର କଡ଼ା ନିୟମ : ଖେଳାଳିଙ୍କ ସହ ଯାଇପାରିବେନି ପତ୍ନୀ

 ନୂଆଦିଲ୍ଲୀ : ଭାରତୀୟ ଖେଳାଳିଙ୍କ ଉପରେ ବିସିସିଆଇ କ୍ଷୁବ୍ଧ । ମ୍ୟାଚ୍ରେ ଖରାପ ପ୍ରଦର୍ଶନରେ ବିରକ୍ତ ହୋଇ ଖେଳାଳିଙ୍କ ପ୍ରତି ଆଣିବାକୁ ଯାଉଛି କଠୋର ନିୟମ । କୋଭିଡ୍ ସମୟରେ ଯେଉଁ ନିୟମାବଳୀ ଲାଗୁ ହୋଇଥିଲା ତାହାକୁ ଦୋହରାଇପାରେ ବିସିସିଆଇ । ଏଣିକି ଯେକୌଣସି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ବିଦେଶ ଯାତ୍ରା କଲେ ସେମାନଙ୍କ ସହିତ ରହିପାରିବେନି ପତ୍ନୀ କିମ୍ବା ଗର୍ଲଫ୍ରେଣ୍ଡ୍ । ଏପରିକି ପରିବାର ସଦସ୍ୟଙ୍କୁ ବି ବାରଣ ପାଇଁ ଆସିପାରେ ଦୃଢ଼ ନିୟମ । ନିକଟରେ ଅଷ୍ଟ୍ରେଲିଆର ସିଡ୍ନୀ ସ୍ଥିତ ହିଷ୍ଟୋରିକ୍ ହାର୍ବର୍ ଠାରେ ଅଷ୍ଟ୍ରେଲିଆ ଠାରୁ ଭାରତ ବର୍ଡର ଗାଭାଷ୍କର୍ ଟ୍ରଫି (ଦିନିକିଆ ସିରିଜ) ହାରିବା ପରେ ଏଥିରେ ଅସନ୍ତୋଷ ହୋଇଛି ବିସିସିଆଇ । ମ୍ୟାଚ୍ରେ ଭାରତୀୟ ଦଳର ଖରାପ ପ୍ରଦର୍ଶନ ଯୋଗୁ ସେମାନଙ୍କ ପ୍ରତି ଏହିଭଳି କଡ଼ା ନିୟମ ଆଣିବାକୁ ନିଷ୍ପତ୍ତି ନେଉଛି । ଭାରତର ପରାଜୟବରଣ ପରେ ଗତ ଶନିବାର ମୁମ୍ବାଇରେ ବିସିସିଆଇ ଏହାର ସମୀକ୍ଷା ବୈଠକ କରିଥିଲା । ଏଥିରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ପ୍ରମୁଖ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ମ୍ୟାଚ୍ରେ ଭାରତର ଖରାପ ପ୍ରଦର୍ଶନ ଯୋଗୁ ଅଧିନାୟକ ଏବଂ କୋଚ୍ଙ୍କ ଉପରେ ବର୍ଷିଥିଲା ବିସିସିଆଇ । ଆଗାମୀ ଦିନରେ ସ୍ଥିତି ଦୁର୍ବଳ ହେବା ଆଗରୁ ତୁରନ୍ତ ପ୍ରଦର୍ଶନ ପ୍ରତି ଦୃଷ୍ଟି ଦିଅ ବୋଲି ଚେତାବନୀ ଦେଇଛି ବିସିସିଆଇ ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ବୈଠକରେ ଖେଳାଳିଙ୍କୁ ସାବାଡ଼ କରିବା ପାଇଁ ଉପରୋକ୍ତ ନିୟମ ଉପରେ ଆଲୋଚନା ହୋଇଥିଲା । ଏହି ନିୟମ ଅନୁଯାୟୀ, ଯଦି କୌଣସି ସିରିଜ୍ ୪୫ ଦିନ କିମ୍ବା ତା’ଠାରୁ ଅଧିକ ହୁଏ, ଏହି ସମୟରେ ପରିବାରକୁ ଖେଳାଳିଙ୍କ ସହିତ ୧୪ଦିନ ରହିବାକୁ ସୁଯୋଗ ମିଳିବ । ଯଦି ସିରିଜ୍ ଏହା ଠାରୁ କମ୍ ହୋଇଥିବ ତେବେ ୭ ଦିନ ରହିବାକୁ ଅନୁମତି ମିଳିବ । ଖେଳାଳିମାନେ ୭ ଦିନରୁ ଅଧିକ ସମୟ ନିଜ ପନôୀଙ୍କ ସହ ଗୋଟିଏ ହୋଟେଲରେ ରହିପାରିବେ ନାହିଁ । ଏହାସହ ଟୁର୍ଣ୍ଣାମେଣ୍ଟ ସମୟରେ ବି ପନôୀମାନେ ଖେଳାଳିଙ୍କ ସହିତ ରହି ପାରିବେ ନାହିଁ । ପରିବାରକୁ କେବଳ ଦୁଇ ସପ୍ତାହ ପାଇଁ ରହିବା ଅନୁମତି ମିଳିବ । ସେହିପରି ଟିମ୍ ବସ୍ରେ ଯାତ୍ରା କରିବା ଖେଳାଳିଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି । ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କ ନିଜସ୍ୱ ମ୍ୟାନେଜରଙ୍କୁ ଭିଆଇପି ବସ୍ କିମ୍ବା ଟିମ୍ ବସରେ ବସିବାକୁ ଅନୁମତି ମିଳିବ ନାହିଁ । ଖେଳାଳିଙ୍କ ଲଗେଜ୍ ଯଦି ୧୫୦ କିଲୋଗ୍ରାମରୁ ଅଧିକ ହୁଏ ତେବେ ଅତିରିକ୍ତ ସାମଗ୍ରୀର ଶୁଳ୍କ ବିସିସିଆଇ ପଇଠ କରିବ ନାହିଁ ।
ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ବିରୋଧରେ ଟିମ୍ ଇଣ୍ଡିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ବର୍ଡର ଗାଭାସ୍କର ଟ୍ରଫିରେ ପରାସ୍ତ ହୋଇଛି । ଭାରତୀୟ ଦଳ ୧-୩ରେ ସିରିଜ ଲଜ୍ଜାଜନକ ଭାବେ ପରାଜୟବରଣ କରିଛି । ଏଥିଯୋଗୁ ଦଳ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍ରୁ ବାଦ ପଡ଼ିଛି ।