ବିଜେଡିରୁ ପ୍ରକାଶ, ଛିଣ୍ଡୁନି କଂଗ୍ରେସ ଓ ବିଜେପି ଅଙ୍କ

କଟକରୁ ପ୍ରଣବ କୁମାର ନନ୍ଦି : କଟକ ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି ବାରବାଟୀ-କଟକ ଆସନ । ଚଳିତବର୍ଷ ବିଜେଡି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରାଙ୍କୁ ଆଣି ବାରବାଟୀ-କଟକରୁ ପ୍ରାର୍ଥୀ କରିଛି । ଅପରପକ୍ଷରେ ଏହି ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ କିଏ ହେବ ହାଇକମାଣ୍ଡ ସ୍ଥିର କରିପାରିନାହାନ୍ତି । ଟିକେଟ ବଣ୍ଟନକୁ ନେଇ ଅଛିଣ୍ଡା ଅଙ୍କ ଏବେ କେବଳ ନେତା ନୁହଁନ୍ତି, କର୍ମୀ ଓ ସମର୍ଥକଙ୍କୁ ମଧ୍ୟ ଦ୍ୱନ୍ଦ୍ୱରେ ପକାଇଛି ।
ଆଇନଗତ ଅଙ୍କୁଶ କାରଣରୁ ବାରବାଟୀ-କଟକ କଂଗ୍ରେସ ବିଧାୟକ ଇଂମହମ୍ମଦ ମୋକିମଙ୍କ ପାଇଁ ଚଳିତ ନିର୍ବାଚନ ଲଢିବା ବାଟ ବନ୍ଦ ହୋଇସାରିଛି । ଏପରି ସ୍ଥିତିରେ ମୋକିମଙ୍କ ବଦଳରେ ଦଳର ବିକଳ୍ପ ପ୍ରାର୍ଥୀ କିଏ ହେବ ସେନେଇ ନାନା ଚର୍ଚ୍ଚା ଚାଲିଥିବା ବେଳେ ମୋକିମଙ୍କ ଝିଅ ସୋଫିଆ ଫିର୍ଦୋସ୍ ଉତ୍ତରାଧିକାରୀ ଭାବେ ନିର୍ବାଚନ ଲଢିବାର ସମ୍ଭାବନା ସୃଷ୍ଟି ହୋଇଛି । ସେହିଭଳି ବିଜେପିରୁ ମଧ୍ୟ ବାରବାଟୀ-କଟକରୁ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଛି । ବିଜେପି ରାଜନୀତିରେ ଓଡିଆ ସିନେ ତାରକା ଅରିନ୍ଦମ ରଏ ପ୍ରବେଶ କରିବା ପରେ ବାରବାଟୀ-କଟକ ବିଧାନସଭା ଆସନରୁ ସେ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି ବୋଲି କର୍ମୀ ମହଲରେ ଚର୍ଚ୍ଚା ହେଉଛି । ଏହାଛଡା ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ନାଁ କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ସେହିପରିି ନାରୀନେତ୍ରୀ ସ୍ମୃତିି ପଟ୍ଟନାୟକ, ସୁନାମଧନ୍ୟ ଚିକିସôକ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ ମଧ୍ୟ ବିଧାୟକ ପ୍ରାର୍ଥୀ ଦୌଡରେ ଅଛନ୍ତି ବୋଲି ଆଲୋଚନା ହେଉଛି । କଟକ ମହାନଗର ନିଗମର ୩୨ଟି ୱାର୍ଡକୁ ନେଇ ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀ ଗଠିତ । ଏହି ନିର୍ବାଚନମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ୨ଲକ୍ଷ ୨୭ ହଜାର ୭୭ । ୨୦୦୯ରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ ପ୍ରକ୍ରିୟାରେ କଟକ ସହର ଆସନ ବାରବାଟୀ-କଟକରେ ପରିବର୍ତ୍ତିତ ହୋଇଥିଲା । ୧୯୯୫, ୨୦୦୦ ଓ ୨୦୦୪ରେ କଟକ ସହର ଆସନ ବିଜେପି ହାତରେ ଥିଲା । ବରିଷ୍ଠ ବିଜେପି ନେତା ସମୀର ଦେ ଏହି ଆସନରୁୁ ହ୍ୟାଟ୍ରିକ ବିଜୟ ହାସଲ କରିଥିଲେ । କିନ୍ତୁ ନୂଆ ବାରବାଟୀ-କଟକ ଗଠନ ହେବା ପରଠାରୁ ବିଜେପି ହଠାତ୍ ତୃତୀୟ ସ୍ଥାନକୁ ଖସିଗଲା । ଗତ ତିନୋଟି ନିର୍ବାଚନରେ ବିଜେପି ତୃତୀୟ ସ୍ଥାନରେ ରହିଛି । କଂଗ୍ରେସ ଓ ବିଜେଡି ମଧ୍ୟରେ ଏଠାରେ ମୁଖ୍ୟ ପ୍ରତିଦ୍ୱନ୍ଦିତା ହେଉଛି । ୨୦୦୯ରେ ଏହି ଆସନରୁ ବିଜେଡି ପ୍ରାର୍ଥୀ ଭାବେ ଦେବାଶିଷ ସାମନ୍ତରାୟ ୫୨ ହଜାର ୯୭ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ସେହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୁରେଶ ମହାପାତ୍ର ୨୭ ହଜାର ୬୧୨ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସମୀର ଦେ ୧୫ ହଜାର ୧୩୧ ଖଣ୍ଡ ଭୋଟ ପାଇଥିଲେ । ୨୦୧୪ରେ ପୁଣି ଦେବାଶିଷ ସାମନ୍ତରାୟ ବିଜେଡି ପ୍ରାର୍ଥୀ ଭାବେ ୫୭ ହଜାର ୬୩୩ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ସେହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ ୪୩ ହଜାର ୩୩୫ ଖଣ୍ଡ ଭୋଟ ପାଇଥିଲା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ୍ତ ସ୍ୱାଇଁ ୨୦ ହଜାର ୫୫୨ ଖଣ୍ଡ ଭୋଟ ପାଇଥିଲେ । ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ ୫୦ ହଜାର ୨୪୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ୪୬ ହଜାର ୪୧୭ ଖଣ୍ଡ ଭୋଟ ପାଇଥିଲା ବେଳେ ବିଜେପି ପ୍ରାର୍ଥୀ ସମୀର ଦେ ୩୩ ହଜାର ୮୨୫ ଖଣ୍ଡ ଭୋଟ ପାଇଥିଲେ । ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ସାଂଗଠନିକ ଦକ୍ଷତା ଏବେ ମଧ୍ୟ ପୂର୍ବ ଭଳି ଅତୁଟ ରହିଥିବାର ପରିଲକ୍ଷିତ ହେଉଛି । ଦଳୀୟ ନେତା ଓ କର୍ମୀମାନେ ନିର୍ବାଚନକୁ ନେଇ ବେଶ୍ ଉସôାହିତ ଅଛନ୍ତି । ଅପରପକ୍ଷେ କଂଗ୍ରେସ ଦଳର ମଧ୍ୟ ଏଠାରେ ଦୃଢ ସଂଗଠନ ରହିଛି । ଏହାଛଡା ଏହି ନିିର୍ବାଚନମଣ୍ଡଳୀରେ କଂଗ୍ରେସର ପାରମ୍ପରିକ ଭୋଟ ବ୍ୟାଙ୍କ୍ ରହିଛି । ସେହିପରି ୨୦୧୪ ପରଠାରୁ ଏହି ନିର୍ବାଚନମଣ୍ଡଳୀରେ ବିଜେପି ଶିବିରରେ ଉସôାହ ଦେଖିବାକୁ ମିିଳିଛି । ସଂପ୍ରତି ବିଜେଡି ପ୍ରାର୍ଥୀ ଶ୍ରୀ ବେହେରା ଦଳୀୟ କର୍ପୋରେଟରମାନଙ୍କୁ ନେଇ ୱାର୍ଡ ପରିକ୍ରମା କରିବା ସହିତ କର୍ମୀ ସମ୍ମିଳନୀ କରି ନିଜ ସପକ୍ଷରେ ପ୍ରଚାର ଆରମ୍ଭ କରିଦେଇଛନ୍ତି । ଏହାଛଡା ଶ୍ରୀ ବେହେରା ବିଭିନ୍ନ ୱାର୍ଡରେ ସଭା, ସମାବେଶ ମିିଶ୍ରଣ ପର୍ବ ଆଦି କରି ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି । କଂଗ୍ରେସ ଓ ବିଜେପି ପକ୍ଷରୁ ପ୍ରାର୍ଥୀ ଚୟନ ଚୂଡାନ୍ତ ହୋଇଯିବା ପରେ ଏହି ନିର୍ବାଚନମଣ୍ଡଳୀରେ ରାଜ୍ୟର ତିନି ପ୍ରମୁୁଖ ରାଜନୈତିକ ଦଳ ମଧ୍ୟରେ କଡା ମୁକାବିଲା ହେବାର ସମ୍ଭାବନା ରହିଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।