ବିଏମ୍ସି ଅଫିସ ଘେରିଲେ ସଫେଇ କର୍ମୀ : ମାସିକ ଦରମା ୨୬ ହଜାର କରାଯାଉ

 ଭୁବନେଶ୍ୱର : ୧୩ ଦଫା ଦାବିରେ ଆଜି ବିଏମ୍ସି କାର୍ଯ୍ୟାଳୟ ଘେରାଉ କରିଛନ୍ତି ସଫେଇ କର୍ମଚାରୀ । ମାସିକ ଦରମା ୨୬ ହଜାର ଓ ସ୍ଥାୟୀ ନିଯୁକ୍ତି ସମେତ ୧୩ ଦଫା ସମ୍ବଳିତ ଅନ୍ୟାନ୍ୟ ଦାବିକୁ ଭିତ୍ତି କରି ଆଜି ଧାରଣା ଦିଆଯାଇଛି । ସିଆଇଟିୟୁ ପରିଚାଳିତ ବିଏମ୍ସି ୱାର୍କର୍ସ ୟୁନିୟନ ଆହ୍ୱାନରେ ଏହି ଆନେ୍ଦାଳନ କରାଯାଇଥିବା ବେଳେ ଓଡିଶା କୃଷକ ସଭାର ରାଜ୍ୟ ସଭାପତି ସୁରେଶ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କେନ୍ଦ୍ର ସରକାର ଜନ ବିରୋଧି ୪ ଶ୍ରମକୋଡ ବାତିଲ କରି ପୂର୍ବଭଳି ୪୪ ଶ୍ରମ ଆଇନ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ । ବିଏମ୍ସି ଶ୍ରମିକମାନଙ୍କର  ନ୍ୟାୟ ପୂର୍ଣ୍ଣ ଦାବି ଗୁଡିକୁ ମହାନଗର ନିଗମ କର୍ତ୍ତୃପକ୍ଷ ତୁରନ୍ତ ବିଚାର କରି ପୂରଣ କରିବାକୁ ଆହ୍ୱାନ ଦେଇଥିଲେ । 
ୟୁନିୟନର ଉପ ସଭାପତି ସତ୍ୟାନନ୍ଦ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ବିକ୍ଷୋଭରେ ଶ୍ରମିକ ନେତା ପ୍ରଭାତ ପାଣିଗ୍ରାହୀ, ଡିୱାଇଏଫଆଇ ରାଜ୍ୟ ସଭାପତି ଯତୀନ ମହାନ୍ତି, ଏସଏଫଆଇ ରାଜ୍ୟ ନେତା ଶୁଭ୍ରାଂଶୁ ଉଦ୍ଗାତା ଭାଷଣ ଦେଇ ଅବିଳମ୍ବେ  ଶ୍ରମିକଙ୍କ ଦାବି ମାନି ନେବାକୁ ଦାବିକରିଥିଲେ । ୟୁନିୟନର ଉପ ସଭାପତି ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ, ସମ୍ପାଦକ ବିଦେଶୀ ନାୟକ, ବାଇଧର ନାୟକ, ଉଷା ନାୟକ, କୁନ୍ତଳା ଦିଗଲ ମଣ୍ଟୁ ନାୟକ ପ୍ରମୁଖଙ୍କୁ ନେଇ ଏକ ୫ ଜଣିଆ ପ୍ରତିନିଧିମଣ୍ଡଳୀ ବିଏମସି କମିଶନରଙ୍କ ସହ ଆଲୋଚନା କରିଥିଲେ ।