ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି
ପୁରୀ: ଆସନ୍ତା ଜାନୁୟାରୀ ୨୬ ତାରିଖ ଦିନ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ । ଏଥିନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିବା ସହ ଏହି ଜାତୀୟ ଦିବସକୁ ଆନନ୍ଦ, ଉଲ୍ଲାସ ଓ ଶୃଙ୍ଖଳାର ସହ ପାଳନ କରିବାକୁ ଆହ୍ୱାନ ଦେଇଥିଲେ । ପ୍ରତ୍ୟେକ ବିଭାଗ ସେମାନଙ୍କ ଦାୟିତ୍ୱ ସୁଚାରୂ ରୂପେ ନିର୍ବାହ ପାଇଁ ସେ ପରାମର୍ଶ ଦେଇଥିଲେ । ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟଅତିଥି ସକାଳ ୮ଟା ୩୦ମିନିଟ୍ ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ଼୍ରେ ଅଭିବାଦନ ଗ୍ରହଣ ଓ ଉଦ୍ବୋଧନ ପ୍ରଦାନ କରିବେ ବୋଲି ବୈଠକରେ ସ୍ଥିର କରାଯାଇଛି । ବିସ୍ତୃତ ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ, ପୁରସ୍କାର ବିତରଣ, ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରାଯିବ । ମୁଖ୍ୟ ଅତିଥି ଉକôଳ ବାଳାଶ୍ରମକୁ ଯାଇ ଅନ୍ତେବାସୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବେ । ସଦର ମୁଖ୍ୟ ଚିକିସôାଳୟରେ ଫଳବଣ୍ଟନ କରିବା ସହ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ଏକ ରକ୍ତଦାନ ଶିବିରରେ ଯୋଗଦାନ କରିବେ । ଅପରାହ୍ନରେ ଜଗନ୍ନାଥ କ୍ରିକେଟ ପଡ଼ିଆରେ ଏକ ପ୍ରଦର୍ଶନୀ କ୍ରିକେଟ ମ୍ୟାଚ୍ ପ୍ରଶାସନ ଏକାଦଶ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ଅନୁଷ୍ଠିତ ହେବ । ସାଧାରଣତନ୍ତ୍ର ଦିବସ ଦିନ ସକାଳ ୪ଟା ୩୦ମିନିଟ୍ ସମୟରେ ସହର ମଧ୍ୟରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ରାମଧୁନ୍ ପରିବେଷଣ କରାଯିବ । ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ପ୍ରତୁ୍ୟଷରୁ ପ୍ରଭାତ ଫେରି କରି ଗାନ୍ଧୀ ସ୍ମୃତିପୀଠ ଠାରେ ଏକତ୍ରିତ ହେବେ । ଅଭ୍ୟାସ ପରେଡ଼ ଆସନ୍ତା ୨୨ ଓ ୨୩ ତାରିଖ ଅପରାହ୍ନ ୩ଘଟିକା ଓ ୨୪ ତାରିଖ ପୂର୍ବାହ୍ନ ୮ଘଟିକାରେ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଅନୁଷ୍ଠିତ ହେବ । ପ୍ରତ୍ୟେକ ବିଭାଗ ସେମାନଙ୍କ କାର୍ଯ୍ୟାଳୟକୁ ଓ ବ୍ୟକ୍ତିବିଶେଷମାନେ ନିଜଗୃହକୁ ଆଲୋକମାଳାରେ ସଜ୍ଜିତ କରିବା ପାଇଁ ବୈଠକରେ ଅନୁରୋଧ କରାଯାଇଥିଲା । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ନୀଳମାଧବ ଭୋଇ, ଉପଜିଲ୍ଲାପାଳ ରାଜକିଶୋର ଜେନା, ଜିଲ୍ଳା ସ୍ୱାସ୍ଥ୍ୟାଧିକାରୀ ଡ. ରୂପଭାନୁ ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସ୍ୱାଗତ ଜଣାଇଥିଲେ ।