ଆରମ୍ଭ ହେଲା ବାଳଧୂପ ଓ ରାଧା ଦାମୋଦର ବେଶ

ାା ପ୍ରଭାନୁ୍ୟଜ୍ ।ା ପୁରୀ: ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥିରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଶ୍ରୀଜିଉମାନଙ୍କ କାର୍ତ୍ତିକ ମାସର ସ୍ୱତନ୍ତ୍ର ନୀତି । ବାଳଧୂପ ଓ ରାଧା ଦାମୋଦର ବେଶର ଶୁଭାରମ୍ଭ ହୋଇଛି । ଏକାଦଶୀ ଅବସରରେ ସହସ୍ର ସହସ୍ର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ପ୍ରସିଦ୍ଧ ରାଧା ଦାମୋଦର ବେଶ ଦର୍ଶନ କରିଥିଲେ । ବିଜୟାଦଶମୀରେ ଶ୍ରୀବିଗ୍ରହମାନେ ରାଜ ବେଶରେ ସଜ୍ଜିତ ହୋଇଥିବା ବେଳେ ଏକାଦଶୀରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ ରାଧା ଦାମୋଦର ବେଶରେ । ଦାମୋଦର ହେଉଛନ୍ତି ଧର୍ମ ମାସ ରୂପେ ପରିଚିତ ମହାକାର୍ତ୍ତିକ ମାସର ଅଧିଦେବତା । କାର୍ତ୍ତିକ ମାସରେ ଶ୍ରୀଜଗନ୍ନାଥ ଶ୍ରୀକୃଷ୍ଣ ବେଶରେ ଶ୍ରୀରାଧାଙ୍କ ସହ ପୂଜା ପାଇଥାନ୍ତି । ତେଣୁ ଶ୍ରୀଜିଉଙ୍କୁ ରାଧା ଦାମୋଦର ବେଶରେ ସଜ୍ଜିତ କରାଯାଏ । ଅବକାଶ ନୀତି ସରିବା ପରେ ମହାପ୍ରଭୁଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରାଯାଇଥିଲା । କାର୍ତ୍ତିକ ମାସରେ ମହାପ୍ରଭୁ ବିଭିନ୍ନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଠାକୁରଙ୍କୁ ରାଧା ଦାମୋଦର ବେଶରେ ସଜ୍ଜିତ କରାଯାଏ । କାର୍ତ୍ତିକ ଅମାବାସ୍ୟା ପର ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତ୍ୟେକ ସୋମବାର ଦିନ ବଳଭଦ୍ରଙ୍କୁ କରାଯାଇଥାଏ ହରିହର ବେଶ । କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ସଜ୍ଜିତ ହୁଅନ୍ତି । ଶୁକ୍ଳ ଦ୍ୱାଦଶୀରେ ଶ୍ରୀଜିଉମାନଙ୍କୁ ବାଙ୍କଚୂଡ଼, ତ୍ରୟୋଦଶୀରେ ତ୍ରିବିକ୍ରମ ବା ଡ଼ାଳିକିଆ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ଓ କାର୍ତ୍ତିକ ପୂର୍ଣ୍ଣିମା ଦିନ ଠାକୁର ରାଜବେଶରେ ସଜ୍ଜିତ ହୋଇଥାନ୍ତି । ରାଧାଦାମୋଦର ବେଶରେ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ର ପରିଧାନ କରିଥିଲେ ତ୍ରିକଚ୍ଛ । ଶ୍ରୀହସ୍ତରେ ଲାଗି କରାଯାଇଥିଲା ସୁବର୍ଣ୍ଣ ନଳୀଭୁଜ । ତ୍ରିମୁଣ୍ଡି ଉପରେ ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳ ରହିଥିଲା । ଚୂଳର ଅଗ୍ରଭାଗରେ ଶୋଭା ପାଉଥିଲା ଚନ୍ଦ୍ରିକା । ମହାପ୍ରଭୁ କର୍ଣ୍ଣ ଦେଶରେ କୁଣ୍ଡଳ, କଟିରେ ଓଡ଼ିଆଣୀ, ଶ୍ରୀମସ୍ତକରେ ତଡ଼ଗି, ଚନ୍ଦ୍ର, ସୂର୍ଯ୍ୟ ଓ ଚିତା ଆଦି ସ୍ୱର୍ଣ୍ଣ ଅଳଙ୍କାରରେ ଆଭୂଷିତ ହୋଇଥିଲେ ।