ମୁଣ୍ଡ ନେଉଛି ମଞ୍ଚାବନ୍ଧା : ସ୍କର୍ପିଓ-ଅଟୋ ଦୁର୍ଘଟଣା, ୨ମୃତ

 ବାରିପଦା: ବାରିପଦା ସଦର ଥାନା ଅନ୍ତର୍ଗତ ମଞ୍ଚାବନ୍ଧା ଠାରେ ସ୍କର୍ପିଓ ଓ ଅଟୋ ଦୁର୍ଘଟଣାରେ ୨ଜଣଙ୍କ ଘଟଣାସ୍ଥଳରେ ମୃତୁ୍ୟ ଘଟିଛି । ମୃତକ ଦ୍ୱୟ ହେଲେ ଶୁଲିଆପଦା ଥାନା ଅନ୍ତର୍ଗତ ମହୁଳିଆ ଅଞ୍ଚଳର ଉକôଳ କୁମାର ଥୟାଲ ଓ ଜଗଦୀଶ ସି । ମଙ୍ଗଳବାର ସକାଳ ସମୟରେ ଏକ ସ୍କର୍ପିଓ କାର ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ଜାତୀୟ ରାଜପଥ ନମ୍ବର ୧୮ର ମଞ୍ଚାବନ୍ଧା ଠାରେ ଅଟୋକୁ ଧକ୍କା ଦେଇଥିଲା । ରାସ୍ତା ପାର ହେବାକୁ ଥିବା କଟିଂରେ ହଠାତ ଅଟୋଟି ବାହାରି ଆସିବାରୁ ଦ୍ରୁତଗାମୀ ସ୍କର୍ପିଓ କାରଟି ଗାଡି ଅଟକାଇ ନପାରି ଧକ୍କା ଦେଇଥିଲା । କାରଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ ଅଟୋର ଡ଼ଲା ଓ କ୍ୟାବିନ ଅଲଗା ହୋଇ ଯାଇଥିଲା । ଅଟୋରେ ଥିବା ଦୁଇ ଜଣ ଛିଟିକି ପଡିବାରୁ ମୁଣ୍ଡରେ ମାଡ଼ ହୋଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ହିଁ ମୃତୁ୍ୟ ତାଙ୍କର ହୋଇଯାଇଥିଲା । ସ୍ଥାନୀୟ ଲୋକେ ପୁଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ସେମାନଙ୍କୁ ପିଆରଏମ ହସ୍ପିଟାଲରେ ଭର୍ତ୍ତି କରିବା ବେଳକୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ବାରିପଦା ସଦର ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛନ୍ତି । ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ସହଜରେ ରାସ୍ତା ପାର ହେବାକୁ ଲୋକେ ଡିଭାଇଡ଼ର ଖୋଲି ଦେଉଛନ୍ତି । ଯାହା ଫଳରେ ଅତର୍କିତ ଭାବେ ଗାଡି ବାହାରିବା ଅଜାଣତରେ ଲୋକଙ୍କ ପ୍ରାଣହାନୀ ଘଟୁଛି ବୋଲି ଅଭିଯୋଗ ହୋଇଛି ।