ଜନ୍ମ ଦିବସରେ ଚାଲିଗଲା ଜୀବନ 

 ଟମକା: ଜନ୍ମ ଦିନର ଶୁଭେଚ୍ଛା ଓ ଅଭିନନ୍ଦନ । ଭଗବାନ ତତେ ଭଲରେ ରଖନ୍ତୁ, କୋଟି ପରମାୟୁ ଦିଅନ୍ତୁ ।  ତୋ ଜୀବନ ସୁଖମୟ ହେଉ ।  ଦୁର୍ଘଟଣାରେ ଜୀବନ ହାରିଥିବା ଜଣେ ଯୁବକଙ୍କ ପ୍ରତି ତାର ସାଙ୍ଗ, ସାଥି ପରିଜନଙ୍କ ଜନ୍ମଦିନ ବାର୍ତ୍ତା । କିଏ ଜାଣିଥିଲା ବିଧିର ବିଧାନ ବି ଏତେ ନିଷ୍ଠୁର ବୋଲି । ଠିକ୍ ଜନ୍ମଦିବସ ଦିନ ହିଁ ଘଟିଲା ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଲିଭିଗଲା ଜୀବନ ଦୀପ । ଘରେ ଥିବା ସ୍ତ୍ରୀ ଏବେ ନିର୍ବାକ୍ ଆଉ ଦୁନିଆକୁ ଭଲ ଭାବେ ଜାଣିନଥିବା ପୁତ୍ର ସନ୍ତାନ ବି ହେଇଗଲା ବାପ ଛେଉଣ୍ଡ । ଏଭଳି ହୃଦୟ ବିଦାରକ ଘଟଣା ଶୁକ୍ରବାର ଅପରାହ୍ନରେ ଟମକା ଥାନା ଅନ୍ତର୍ଗତ ଡୁବୁରୀ-ନରଣପୁର ଜାତୀୟ ରାଜପଥର ପାଟବାଲି ନିକଟରେ ଘଟିଥିବା ବେଳେ ଏଥିରେ କେନ୍ଦୁଝର ଜିଲା ଦୈତାରୀ ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଳର ପିତାମ୍ବର ପଣ୍ଡାଙ୍କ ସାନପୁଅ ଆଲୋକ(୩୬)ର ମୃତୁ୍ୟ ଘଟିଛି । ଏଠାରେ ପ୍ରକାଶ ଯେ ସ୍ୱର୍ଗତ ଆଲୋକ ବ୍ରାହ୍ମଣୀପାଳ ଛକରେ ଥିବା ନିର ପୈତୃକ ଫର୍ଣର୍ିଚର ଦୋକନରେ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିବା ବେଳେ ତାଙ୍କର ଟିପର ବ୍ୟବସାୟ ମଧ୍ୟ ରହିଥିଲା । ୨୦୧୮ମସିହା ଡିସେମ୍ବର ମାସରେ ତାଙ୍କର ବିବାହ ହୋଇଥିବା ବେଳେ ତାର ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ରହିଛି । ତେବେ ଜନ୍ମଦିବସ ଦିନ ହିଁ ତାଙ୍କର ଏକ ଟିପର ଟମକା ଗ୍ୟାରେଜ୍ରେ କାମ ହେଉଥିବା ବେଳେ ତାର କୌଣସି ଯନ୍ତ୍ରାଂଶ ଦରକାର ପଡିଥିଲା । ଆଲୋକ ଉକ୍ତ ଯନ୍ତ୍ରାଂଶ ଆଣିବାକୁ କଳିଙ୍ଗନଗର ଅଭିମୁଖେ ଯାଉଥିବା ବେଳେ ଅଜଣା ଗାଡି ଧକ୍କାର ସମ୍ମୁଖୀନ ହୋଇ ପ୍ରାଣ ହରାଇଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ଜନ୍ମଦିବସରେ ବାର୍ତ୍ତା ଦେଇଥିବା ସାଥି ପରିଜନଙ୍କ ଏହା ବିଶ୍ୱାସ ହେଇନଥିଲା । ଅପେକ୍ଷା କରିଥିଲେ ସନ୍ଧ୍ୟାରେ ଜନ୍ମଦିବସ ପାଳନ କରିବେ । ହେଲେ ହୁଏତ ଭଗବାନଙ୍କୁ ଏହା ମଂଜୁର ନଥିଲା । ଅନ୍ୟପଟେ କାଲି ରାତିଠୁ ଘରେ ଚୁଲି ଜଳିନି, କି ସାତ ଜନ୍ମ ସାଥି ହୋଇ ରହିବ ବୋଲି ଭାବିଥିବା ସ୍ତ୍ରୀ ଆଖିରୁ ବି ଲୁହ ଶୁଖୁନି । କୋଳରେ ଥିବା ପୁତ୍ର ସନ୍ତାନ ବାବା କୁଆଡେ ଗଲେ ବୋଲି ଡାକି ଝୁରି ହେଉଥିବା ବେଳେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ସତରେ କ’ଣ ଭଗବାନ ଏତେ ନିଷ୍ଠୁର ।