ବାଇକ୍ ଦୁର୍ଘଟଣାରେ ଯୁବକ ମୃତୁ୍ୟ
ବୁଗୁଡା : ବୁଗୁଡ଼ା ସହର ଉପକଣ୍ଠସ୍ଥ ସନ୍ତୋଷୀ ମନ୍ଦିର ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡଛି । ମୃତ ଯୁବକ ଜଣକ ହେଲେ ବୁଗୁଡା ଥାନା ଅନ୍ତର୍ଗତ ମତାଝରି ଗ୍ରାମର ଜଗନ୍ନାଥ ପ୍ରଧାନ(୨୪) ଏବଂ ଆହତ ବାଇକ ଚାଳକ ଜଣକ ପିଣ୍ଟୁ ପ୍ରଧାନ (୨୪) । ବୁଧବାର ସକାଳେ ପିଣ୍ଟୁ ଓ ଜଗନ୍ନାଥ ବାଇକରେ ମାମୁ ଘର ବାଣପୁରକୁ ଯାଉଥିଲେ । ସନ୍ତୋଷୀ ମନ୍ଦିର ନିକଟରେ ଜଗନ୍ନାଥ ଗାଡି ରଖେ କହି ଚାଳକ ପିଣ୍ଟୁର ହାତକୁ ଟାଣି ଦେଇଥିଲା । ଫଳରେ ବାଇକଟି ଭାରସାମ୍ୟ ହରାଇ ରାସ୍ତାକଡସ୍ଥ ଏକ ଗଛ ସହ ଧକ୍କା ହୋଇଥିଲା । ଫଳରେ ଦୁହେଁ ଗାଡିରୁ ଛିଟିକି ପଡିବାରୁ ଜଗନ୍ନାଥଙ୍କ ମୁଣ୍ଡ ଏବଂ ପିଣ୍ଟୁଙ୍କ ଅଣ୍ଟାରେ ଆଘାତ ଲାଗିଥିଲା । ଦୁର୍ଘଟଣାଗ୍ରସ୍ତ ବାଇକ ଆରୋହୀ ଦ୍ୱୟଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡା ମେଡିକାଲକୁ ଅଣାଯାଇଥିଲେ କିନ୍ତୁ ସେଠାରେ ଜଗନ୍ନାଥଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ଖବର ପାଇବା ପରେ ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ କେସ୍ ନଂ ୨୭୦/୨୫ରେ ଏକ ମାମଲା ରୁଜୁ କରିଥିବା ନେଇ ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା ସୂଚନା ଦେଇଛନ୍ତି ।