ଗୋପାଳପୁର ଗଣଦୁଷ୍କର୍ମ ଘଟଣା : ଘଟଣାସ୍ଥଳରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ
ବ୍ରହ୍ମପୁର : ଗୋପାଳପୁର ଗଣ ଦୁଷ୍କର୍ମ ଘଟଣାରେ ଆଜି ଘଟଣାସ୍ଥଳରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ୫ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପହଞ୍ଚି ଗୋପାଳପୁରରେ ବେଳାଭୂମିରେ ସ୍ଥିତି ପରଖିଛନ୍ତି । ଦୀପା ଦାସ ମୁନସିଂଙ୍କ ନେତୃତ୍ୱରେ ସାଂସଦ ରଞ୍ଜିତ ରଂଜନ, ପରିଣୀତି ସିଂନେ୍ଧ, ସାଂସଦ ଏସ, ଜୋତ୍ସ୍ନାମଣି, ଶୋଭା ଓଝା ଗସ୍ତ କରିଥିଲେ । ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ସହ ଏହି ଟିମରେ ଓଡ଼ିଶା ପ୍ରଦେଶ କମିଟିର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ସରକାରଙ୍କୁ ସମାଲୋଚନା କରିଛି ଉକ୍ତ ଟିମ । ଆବଶ୍ୟକସ୍ଥଳେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ରିପୋର୍ଟ ଦେବୁ ବୋଲି ଟିମ ପକ୍ଷରୁ କୁହାଯାଇଛି । ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ରଖିବୁ ବୋଲି କହିଛି କଂଗ୍ରେସ ।
ସେହିପରି ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ କରାଯାଇଥିବା ଘଟଣାକୁ ଆମ ଆଦମୀ ପାର୍ଟି (ଆପ) ପକ୍ଷରୁ ତୀବ୍ର ଭାଷାରେ ନିନ୍ଦା କରାଯାଇଛି । ଏହି ନିନ୍ଦନୀୟ ଅପରାଧରେ ସାମିଲ ଥିବା ସମସ୍ତ ଅପରାଧୀଙ୍କୁ କଠୋର ଦଣ୍ଡ ବିଧାନ ପାଇଁ ଅପିଲ କରିଛି ଆମ ଆଦମୀ ପାର୍ଟି । ବର୍ତ୍ତମାନ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଅବନତି ଘଟୁଛି ବୋଲି ଅଭିଯୋଗ କରିଛି ଆପ । କୁକର୍ମ, ହତ୍ୟା, ଲୁଟ୍ତରାଜ ଭଳି ଗୁରୁତର ଅପରାଧ ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁରରେ ଦିନକୁ ଦିନ ବୃଦ୍ଧି ପାଇବାରୁ ସାଧାରଣ ଜନତା ଆତଙ୍କିତ ଓ ଅସୁରକ୍ଷିତ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ଗୋପାଳପୁର ବିଧାନସଭା ବିଧାୟକ ପ୍ରାର୍ଥୀ ପି. ନୀଳକଣ୍ଠ ରେଡ୍ଡୀ । ଏହି ଅବସରରେ ଜିଲ୍ଲା ସଭାପତି ସୁବାଷ ରାଉତ, ପଦ୍ମନାଭ ମହାରଣା, ସୁଧୀର ପ୍ରଧାନ, ରମେଶ ବେହେରା, ଆଡ଼ଭୋକେଟ କୈଳାଶ ସେଠୀ, ଶିବା ରେଡ୍ଡୀଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ଏସପିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।