ଚୋରି ସାଙ୍ଗକୁ ଦାଦାଗିରି : ଫାର୍ମ ଛାଡ଼ି ପଳାଇଲେ ନିଲାମଧାରୀ
ସୁକିନ୍ଦା : ଜିଲ୍ଲା ଉଦ୍ୟାନ ବିଭାଗ ଅଧୀନ ସୁକିନ୍ଦା ବ୍ଲକ ଦାମୋଦରପୁର ଗାଁର ୨୩ ହେକ୍ଟର କ୍ଷେତ୍ରଫଳ ବିଶିଷ୍ଟ ଫାର୍ମରେ ଥିବା ବୃହତ୍ ଆମ୍ବ ବଗିଚାରୁ ବ୍ୟାପକ ଆମ୍ବ ଚୋରି ଅଭିଯୋଗ ହୋଇଛି । ଫାର୍ମରୁ ଚୋରିରେ ଲିପ୍ତ ଥିବା ସ୍ଥାନୀୟ ଲୋକଙ୍କ ଦାଦାଗିରିରେ ଅତିଷ୍ଠ ହୋଇ ଅଣଓଡ଼ିଆ ନିଲାମଧାରୀ ଆଜି ଅଧାରୁ କାମ ଛାଡ଼ି ପଳାଇଯିବାକୁ ବାଧ୍ୟ ହୋଇଛନ୍ତି । ଉତ୍ତରପ୍ରଦେଶର ନିଲାମଧାରୀ ମୁକେଶ ସୋନକର ଓ ତାଙ୍କ ମ୍ୟାନେଜର ବାବୁରାମ ସରକାର ସଦଳବଳ ଫାର୍ମ ଛାଡ଼ି ଚାଲିଯିବା ପୂର୍ବରୁ ଏଭଳି ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ଦାମୋଦରପୁରରେ ୩ ହେକ୍ଟର ଜମିରେ ପୁରୁଣା ଆମ୍ବ ବଗିଚା ରହିଛି । ଏଠାରେ ବାଇଗଣ ପଲେଇ, ଅମୃତପାଣି, ମାଲଦା ଓ ତୋଟାପୁରି ପ୍ରଜାତିର ୩ ହଜାର ବଡ଼ଗଛ ରହିଛି । ସେହିପରି ୨୦ ହେକ୍ଟର ଜମିରେ ପ୍ରସ୍ତୁତ ହୋଇଥିବା ନୂଆ ବଗିଚାରେ ଆମ୍ରପଲ୍ଲୀ, ଦୋସୁରି, ମଲ୍ଲିକା, ହେମସାଗର, ଲେଙ୍ଗଡ଼ା, ସୁବର୍ଣ୍ଣରେଖା ଓ ଗୁଲାବଖାସ ଇତ୍ୟାଦି ପ୍ରଜାତିର ୭ ହଜାର ଗଛ ରହିଛି । ଶ୍ରୀ ସୋନକର ଏବର୍ଷ ୭ ଲକ୍ଷ ୭୦ ହଜାର ଟଙ୍କାରେ ନିଲାମ ଧରିଥିଲେ । ମାର୍ଚ୍ଚ ମାସ ଅଧାରୁ ସେ ଆସି ଏଠାରେ ଡେରା ପକାଇଥିଲେ । ନିୟୋଜିତ ଥିବା ୧୨ଜଣ ଜଗୁଆଳି ଓ କର୍ମଚାରୀ ଆମ୍ବ କଷିରୁ ପାଚିଲା ପର୍ଯ୍ୟନ୍ତ ଜଗାରଖା ଦାୟିତ୍ୱରେ ଥିଲେ । କିନ୍ତୁ ଆମ୍ବ ପାକଳ ହେବା ମାତ୍ରେ ସ୍ଥାନୀୟ ଅସାମାଜିକ ବ୍ୟକ୍ତି ଯୋଜନାବଦ୍ଧ ଭାବେ ନିୟମିତ ଆମ୍ବ ଚୋରି କରିଆସୁଥିଲେ । ସେମାନଙ୍କୁ ଆକଟ କଲେ ଗାଳିଗୁଲଜ କରିଥାନ୍ତି । ଏପରିକି ସଂଘବଦ୍ଧ ଆକ୍ରମଣ କରି ମାଡ଼ ମାରିଥିବା ଅଭିଯୋଗ ହୁଏ । ଆମ ଗାଁର ସରକାରୀ ବଗିଚା, ଆମେ ଖାଇବୁ ତୁମେ କ’ଣ ଅଟକାଇବ ବୋଲି ପ୍ରଶ୍ନକରି ଜଗୁଆଳିଙ୍କୁ ଓଲଟା ଧମକାଉଥିଲେ । ଏହାକୁ ନେଇ ଗତମାସ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଆସି ତଦନ୍ତ କରିଥିଲା । ହେଲେ ଚୋରି ଥମିବାର ନାଁ ଧରିନଥିଲା । ଏ ସଂପର୍କରେ ସହକାରୀ ଉଦ୍ୟାନକୃଷି ଅଧିକାରୀ ତପନ କୁମାର ପାତ୍ରଙ୍କୁ ପଚାରିବାରେ ଏବର୍ଷ ପ୍ରାୟ ସବୁ ଗଛରେ ଭଲ ଆମ୍ବ ବଉଳ ଆସିଥିବା କହନ୍ତି । ଫୁଲରେ ହରମୋନ ସ୍ପ୍ରେ କରାଯାଇଥିବାରୁ ଭଲ ଫଳ ଧରିଥିଲା । ଯାହାକି ନିଲାମଧାରୀଙ୍କୁ ଉତ୍ସାହିତ କରିଥିଲା । ନିଲାମଧାରୀ ୨୦ଟ୍ରିପରୁ ଅଧିକ ଆମ୍ବ ବିକ୍ରି କରିଛନ୍ତି । କିନ୍ତୁ କିଛି ଅସାମାଜିକ ବ୍ୟକ୍ତିଙ୍କ ପ୍ରାଦୁର୍ଭାବ ପାଇଁ ଏହି ବୃହତ୍ ବଗିଚା ବିଭିନ୍ନ ଦିଗରୁ କ୍ଷତିଗ୍ରସ୍ତ ହେଉଥିବା ସହ ଆମ ରାଜ୍ୟ ଦେଶରେ ନିନ୍ଦିତ ହେଉଥିବା କହି ଦୁଃଖ ପ୍ରକାଶ କରିଥିଲେ ।