ସ୍ୱାମୀଙ୍କ ଦଶାହରେ ସ୍ତ୍ରୀର ମୃତୁ୍ୟ

 ବିଶୋଇ  : ସ୍ୱାମୀଙ୍କ ଦଶାହକ୍ରିୟା ଥିଲା । କିନ୍ତୁ ଭାଗ୍ୟର ବିଡ଼ମ୍ବନା ସର୍ପ ଦଂଶନରେ ସ୍ତ୍ରୀଙ୍କର ଅକାଳ ବିୟୋଗ ହୋଇଗଲା । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧୀନ କାଦପାଣି ଗ୍ରାମରେ । ସ୍ୱର୍ଗତ ଜଗନ୍ନାଥ ମୁଣ୍ଡାଙ୍କ ସ୍ତ୍ରୀ ରଞ୍ଜିତା ମୁଣ୍ଡା (୨୭)ଙ୍କ ବିଷାକ୍ତ ସାପ ଦଂଶନରେ ଅକାଳ ବିୟୋଗ ଘଟିଛି । ସୂଚନା ଅନୁସାରେ ରାତିରେ ଖିଆ ପିଆ ସାରି ନିଜ ଦୁଇ ପୁଅ ଝିଅଙ୍କ ସଙ୍ଗେ ଭୂମିରେ ଶୋଇଥିବା ବେଳେ ମଧ୍ୟରାତ୍ରରେ କୌଣସି ଏକ ସରୀସୃପ ବାମ ହାତରେ କାମୁଡ଼ିଥିଲା । ତେବେ କୌଣସି କିଟ ଭାବି ତାକୁ ଗୁରୁତ୍ୱ ନ ଦେଇ ଶୋଇପଡ଼ିଥିଲେ । ପରେ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ବିଶୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଗତ ୧୦ ଦିନ ପୂର୍ବରୁ ସ୍ୱାମୀଙ୍କ ମୃତୁ୍ୟ ଘଟିଥିଲା । ତାଙ୍କର ୭ ବର୍ଷର ପୁଅ ଏବଂ ୩ ବର୍ଷର ଝିଅ ରହିଛି  । ତେବେ ଉଭୟଙ୍କର ମୃତୁ୍ୟ ପରେ ଏମାନଙ୍କ ଲାଳନ ପାଳନ ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।