ଦୁର୍ଘଟଣାରେ ସୈନିକଙ୍କ ମୃତୁ୍ୟ

 ନାଉଗାଁ : ଭାରତୀୟ ସେନା ବାହିନୀରେ କାର୍ଯ୍ୟରତ ସୈନିକ ପ୍ରଭାଷ ଚନ୍ଦ୍ର ନାୟକ (୨୫)ଙ୍କର ସଡକ ଦୁର୍ଘଟଣାରେ ମୃତୁ୍ୟ ଘଟିଛି । ଶ୍ରୀ ନାୟକଙ୍କ ଘର ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ରୋହିଆ ପଞ୍ଚାୟତର ଆରଖକୁଦ ଗ୍ରାମରେ । ଏହି ଖବର ପ୍ରସାର ହେବା ପରେ ଜଗତସିଂହପୁର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଶ୍ରୀ ନାୟକଙ୍କ ମରଶରୀର ଗ୍ରାମ୍ୟ ଶ୍ମଶାନରେ ସେନା ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦାସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସୂଚନା ମୁତାବକ ଅରଖକୁଦ ଗ୍ରାମର ଶ୍ରୀ ପ୍ରକାଶ ନାୟକଙ୍କ ଏକମାତ୍ର ପୁଅ ପ୍ରଭାସ ଚନ୍ଦ୍ର ନାୟକ (୨୫)୨୦୧୮ ମସିହାରେ ଭାରତୀୟ ସ୍ଥଳ ସେନାରେ ନିଯୁକ୍ତି ପାଇଥିଲେ । ପ୍ରଭାସ ବର୍ତ୍ତମାନ ଆସାମରେ ସେନା ବାହିନୀରେ କାର୍ଯ୍ୟରତ ଥିବା ବେଳେ ଗତ କିଛିଦିନ ତଳେ ଛୁଟିରେ ଘରକୁ ଆସିଥିଲେ ଏବଂ ଗୁରୁବାର ଦିନ ସେନା କାର୍ଯ୍ୟରେ ଯୋଗଦେଥାନ୍ତେ । କିନ୍ତୁ ଗତ ବୁଧବାର ରାତି ପ୍ରାୟ ସାଢେ ଦଶଟା ସମୟରେ ପ୍ରଭାସ ତାଙ୍କ ସମ୍ପର୍କୀୟ ଭାଇ ସହିତ ଏକ ବାଇକ୍ ଯୋଗେ କଟକରୁ ଘରକୁ ଫେରୁଥିବା ବେଳେ କଟକ-ନୂଆଗାଁ ୫୫ନମ୍ବର ଜାତୀୟ ରାଜପଥର ବିରିଡ଼ି ଥାନା ଅନ୍ତର୍ଗତ ବସନ୍ତପୁର ତେଲଟାଙ୍କି ନିକଟରେ ଏକ ପିକଅପ ଭ୍ୟାନ ସହିତ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଉଭୟ ସମ୍ପର୍କୀୟ ଭାଇଙ୍କ ମୃତୁ୍ୟ ଘଟିଥିଲା । ତାଙ୍କ ମରଶରୀରକୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯିବା ପରେ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି ।