ଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ ଦାବି
ଖୋର୍ଦ୍ଧା : ଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ, ରାଜ ରାସ୍ତାକୁ ଓଲାଇବେ ବୋଲଗଡ ବ୍ଲକର ନିର୍ବାଚିତ ଜନପ୍ରତିନିଧି । ଆଜି ସାମ୍ବାଦିକ ସମ୍ମିଳନୀ ଡାକି ଏଭଳି ଚେତାବନୀ ଦେଇଛନ୍ତି ବୋଲଗଡ ବ୍ଲକ ଅଧ୍ୟକ୍ଷଙ୍କ ସମେତ ୧୯ ପଞ୍ଚାୟତ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲାପରିଷଦ ସଭ୍ୟ ସଭ୍ୟା । ସରକାର ଅଯୋଗ୍ୟ ରାସନକାର୍ଡ ହିତାଧିକାରୀଙ୍କୁ ବାଦଦେଇ ଯୋଗ୍ୟ ହିତାଧିକାରୀଙ୍କ ନୂଆ ତାଲିକା ପ୍ରସ୍ତୁତ କରୁଛନ୍ତି ।
ସୂଚନା ଅନୁଯାୟୀ ଆଜି ସୋମବାର ପୂର୍ବାହ୍ନ ଏଗାର ଘଟିକା ସମୟରେ ବୋଲଗଡ ବ୍ଲକ ରାଜୀବଗାନ୍ଧୀ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷା ହୁଲ୍ଲାସ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ଯେଉଁଥିରେ ଉପାଧ୍ୟକ୍ଷ, ଜିଲ୍ଲାପରିଷଦ ସଭ୍ୟ ସଭ୍ୟା, ସରପଞ୍ଚ ଏବଂ ସମିତି ମେମ୍ବରମାନେ ସାମିଲ ହୋଇଥିଲେ । ବୋଲଗଡ ବ୍ଲକରେ ୩ ହଜାର ହିତାଧିକାରୀ ରାସନକାର୍ଡ ପାଇଁ ଆବେଦନ କରିଥିବା ବେଳେ ସରକାର କେବଳ ୧୪୦୦ ଲୋକଙ୍କ ରାସନକାର୍ଡ ତଦନ୍ତ କରିବା ପାଇଁ ଡାଟା ସଂଗ୍ରହ କରୁଛନ୍ତି । ସେହିପରି ବୋଲଗଡ ବ୍ଲକ ପାଇଁ ନୂଆ ରାସନକାର୍ଡ ପାଇଁ ମାତ୍ର ୬ଟି ନୂତନ କାର୍ଡ ଆସିଛି ଯାହାକୁ ନେଇ ନିର୍ବାଚିତ ଜନପ୍ରତିନିଧିମାନେ କ୍ଷୋଭ ପ୍ରକାଶ କରିବା ସହ ଏ ନେଇ ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ଏକ ଦାବି ପତ୍ର ବୋଲଗଡ଼ ବିଡିଓଙ୍କୁ ପ୍ରଦାନ କରିଛନ୍ତି । ସେପଟେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ରାସନକାର୍ଡ ଯୋଗାଇବାକୁ ସରକାରଙ୍କୁ ଜନପ୍ରତିନିଧି ମାନେ ଦାବୀ କରିଛନ୍ତି । ଯଦି ସରକାର ଏଥିରେ ଟାଳଟୁଳ ନୀତି ଅବଲମ୍ବନ କରନ୍ତି କିମ୍ବା ଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ ନଦିଅନ୍ତି ତେବେ ଜନପ୍ରତିନିଧି ମାନେ ରାଜରାସ୍ତାକୁ ଓହ୍ଲାଇବାକୁ କଡା ଚେତାବନୀ ଦେଇଛନ୍ତି ।