ହାତୀ ଆକ୍ରମଣରେ ଜଣେ ମୃତ

 ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଅଞ୍ଚଳରେ ଦୀର୍ଘ ମାସ ଧରି ଦନ୍ତାହାତୀ ଉପଦ୍ରବ ଚାଲିଥିବା ବେଳେ ଦନ୍ତାହାତୀ ଜଣଙ୍କୁ ଆକ୍ରମଣ କରି ତାଶରୀରକୁ ଖଣ୍ଡ ଖଣ୍ଡ କରି ମାରିଥିବା ଦେଖିବାକୁ ମିଳିଛି  । ଘୁ.ଉଦୟଗିରି ଠାରୁ ମାତ୍ର ୨ କିଲୋମିଟର ଦୂର ପାଜିମାହା ଗ୍ରାମ ନିକଟରେ ଦନ୍ତାହାତୀ ଆକ୍ରମଣରେ ମାଲାଂସୁଗା ଗ୍ରାମର ସାମନ୍ତ ଦିଗାଲ ନାମକ ବ୍ୟକ୍ତି ବୟସ ପ୍ରାୟ ୫୫ରୁ ଉର୍ଦ୍ଧ ହେବ ମୃତୁ୍ୟ ବରଣ କରିଥିବା ଦେଖିବାକୁ ମିଳିଛି  । ସୂଚନା ଅନୁସାରେ ମୃତ ସାମନ୍ତ ଦିଗାଳ ଗ୍ରାମର ଅନ୍ୟ ଦୁଇ ଗ୍ରାମବାସୀ ଦଣ୍ଡପାଣି ପ୍ରଧାନ ଓ ସଂଜୀବନ ପ୍ରଧାନଙ୍କ ସହ ମୂଲ କାମ କରି ସନ୍ଧ୍ୟାରେ ନିଜ ଗ୍ରାମ ମାଲାଙ୍ଗସୁଗାକୁ ଫେରୁଥିବା ବେଳେ ପାଜୀ ମାହାଠାରେ ଦନ୍ତା ହାବୁଡ଼ରେ ପଡିଥିଲେ  । ଦନ୍ତା ଆକ୍ରମଣ କରିବା ବେଳେ ଦଣ୍ଡପାଣି ଓ ସଂଜୀବନ ଦୌଡ଼ିବାରେ ସଫଳ ହୋଇ ଥିବା ବେଳେ ସାମନ୍ତ ଦିଗାଳ ଏକ ତାରବାଡରେÿ ଲାଗି ଯାଇ ଥିଲେ  । ଏହି ସମୟରେ ଦନ୍ତା ସାମନ୍ତ ଦିଗାଳଙ୍କୁ ଧରି ଖଣ୍ଡ ଖଣ୍ଡ କରି ଥିଲା  । ଫଳରେ ଘଟଣା ସ୍ଥଳରେ ସାମନ୍ତ ଦିଗାଳଙ୍କ ମୃତୁ୍ୟ ଘଟି ଥିଲା  । ଦୁଇ ଯୁବକ ସାମନ୍ତ ଦିଗାଳଙ୍କ ପରିବାର, ଗ୍ରାମ ବାସୀ ଓ ବନବିଭାଗକୁ ଜଣାଇ ଥିଲେ  । ଦନ୍ତା ଆକ୍ରମଣରେ ସାମନ୍ତଙ୍କ ଛାତି, ଦୁଇଟି ଗଡ଼, ହାତ, ଖଣ୍ଡ ଖଣ୍ଡ ହୋଇଯାଇଥିଲା  । ଘୁ.ଉଦୟଗିରି ବନ ଅଧିକାରୀ ପ୍ରଶାନ୍ତ ସାହୁ, କଳିଙ୍ଗା ବନଅଧିକାରୀ ରସ୍ମିତା ବକ୍ସି ଓ ଅନ୍ୟମାନେ ତଥା ସ୍ଥାନୀୟ ପୁଲିସ ଏସଡିପିଓ ବିଜୟ କୁମାର ବିଶି, ଆଇଆଇସି ବିଜୟ କୁମାର ସ୍ୱାଇଁ, ଏସଆଇ ରୂପକ ଦଲେଇ, ରଞ୍ଜିତା ବେହେରା, ଏଏସଆଇ ରବିନ୍ଦ୍ର ସେଠୀ, ବୁଲୁ ବେହେରା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଘଟଣା ବିଷୟରେ ଡିଏଫଓଙ୍କ ସହ ଆଲୋଚନା କରି ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି କହିଥିଲେ  । ଦୀର୍ଘ ଦିନ ହେବ ଘୁ.ଉଦୟଗିରି ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିବା ସହ ସ୍ଥାନୀୟ ଲୋକ ଓ ହାତୀଙ୍କ ମଧ୍ୟ ଏକ ପ୍ରକାର ଲଢେଇ ଲାଗିରହିଛି  । କର୍ମଚାରୀ ଅଭାବରୁ ହାତୀ ଘଉଡ଼ାଇବାରେ ବିଫଳ ହୋଇଛି ବନବିଭାଗ  । ପର୍ଯ୍ୟାପ୍ତ କର୍ମଚାରୀ ନିଯୁକ୍ତି କରି ସ୍ଥାୟୀ ସମାଧାନ ନିମନ୍ତେ ହାତୀଙ୍କୁ ଘଉଡ଼ାଇବା ପାଇଁ ଦାବୀ କରିଛନ୍ତି ଅଞ୍ଚଳ ବାସୀ  ।