ମନସା ଦେବୀ ମନ୍ଦିରରେ ଦଳାଚକଟା: ୬ ଭକ୍ତ ମୃତ


 ହରିଦ୍ୱାର: ଉତ୍ତରାଖଣ୍ଡର ହରିଦ୍ୱାରରେ ମନସା ଦେବୀ ମନ୍ଦିରରେ ରବିବାର ଦଳଚକଟାରେ ୬ ଜଣ ଲୋକଙ୍କ ମୃତୁ୍ୟ ଘଟିଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି  । ମୁଖ୍ୟ ମନ୍ଦିରକୁ ଯିବା ରାସ୍ତାରେ ଥିବା ପାହାଚରେ ଦଳଚକଟା ହୋଇଥିଲା  । ବିଦୁ୍ୟତ୍ ତାର ଛିଡି ଯାଇଥିବା ଗୁଜବରୁ ଦଳଚକଟା ହୋଇଥିବା ଅନୁମାନ କରାଯାଉଛି  । ଏନେଇ ପୁଲିସ୍ ପକ୍ଷରୁ କୁହାଯାଇଛିଯେ, ଘଟଣାସ୍ଥଳରୁ ପ୍ରାୟ ୩୫ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା  । ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ସେଠାରେ ମୃତ ଘୋଷଣା କରାଯାଇଥିଲା । 
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି  । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି  ।