ନିର୍ବାଚନ ମହାସଂଗ୍ରାମରେ କିଏ ମାରିବ ବାଜି?

ନବରଙ୍ଗପୁରରୁ ଲକ୍ଷ୍ମୀକାନ୍ତ ପଣ୍ଡା : ପାଖେଇ ଆସିଲାଣି ଚଳିତ ନିର୍ବାଚନ । ଗାଁକୁ ଗାଁ ପ୍ରଚାର ନିମନ୍ତେ ସଜବାଜ ହେଲେଣି ନେତା । କିପରି ଜନତାଙ୍କ ମନ କିଣିବେ ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଗଲାଣି । ନବରଙ୍ଗପୁର ସଂସଦୀୟ କ୍ଷେତ୍ର ନିର୍ବାଚନ ରଣାଙ୍ଗନାରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ପ୍ରଚାର ଆରମ୍ଭ ହୋଇସାରିଛି । ନିଜ ନିଜ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ବିଜେଡିରୁ ପ୍ରଦୀପ ମାଝୀ, ବିଜେପିରୁ ବଳଭଦ୍ର ମାଝୀ, କଂଗ୍ରେସରୁ ଭୁଜବଳ ମାଝୀ ଲୋକସଭା ସାଂସଦ ପ୍ରାର୍ଥୀ ହୋଇଛନ୍ତି । ତେବେ ତିନି ମାଝୀଙ୍କ ବଳିଷ୍ଠ ରାଜନୈତିକ ଇତିହାସ ରହିଥିବାରୁ ବର୍ତ୍ତମାନ ସାଂସଦ ପ୍ରାର୍ଥୀ ଘୋଷଣା ପରେ ସରଗରମ ହୋଇଉଠିଛି ନବରଙ୍ଗପୁର ରାଜନୈତିକ ବାତାବରଣ । ପ୍ରସ୍ତୁତ ମଇଦାନ ପ୍ରସ୍ତୁତ ସିପାହୀ ବିଗ୍ ଫାଇଟ ଅଭିମୁଖେ ନବରଙ୍ଗପୁର ସଂସଦୀୟ କ୍ଷେତ୍ର । ତିନି ପ୍ରମୁଖ ରାଜନୈତିକ ଦଳ ନିଜର ଚର୍ଚ୍ଚିତ ଓ ଅଭିଜ୍ଞ ଚେହେରାଙ୍କୁ  ପ୍ରାର୍ଥୀ କରିଛନ୍ତି । ତିନି ସାଂସଦ ପ୍ରାର୍ଥୀ ଗତ ନିର୍ବାଚନରେ ପ୍ରଦୀପ ମାଝୀ କଂଗ୍ରେସରୁ ବଳଭଦ୍ର ମାଝୀ ବିଜେପିରୁ ସାଂସଦ ପ୍ରାର୍ଥୀ ଓ ଭୁଜବଳ ମାଝୀ ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳ ତରଫରୁ ବିଧାୟକ ପ୍ରାର୍ଥୀ ହୋଇ ତିନି ଜଣ ପରାଜିତ ହୋଇଥିଲେ । କିନ୍ତୁ ବର୍ତ୍ତମାନ ରାଜନୈତିକ ଦୃଶ୍ୟପଟ ସମ୍ପୂର୍ଣ୍ଣ ଓଲଟା । ପୂର୍ବତନ ସାଂସଦ ପ୍ରଦୀପ ମାଝୀ ବର୍ତ୍ତମାନ ବିଜେଡି ଶିବିରକୁ ଯାଇ ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ଗତ ଥରର ସାଂସଦ ପ୍ରାର୍ଥୀ ଥିବା ବଳଭଦ୍ର ମାଝୀଙ୍କ ଉପରେ ବିଜେପି ପୁଣି ଭରସା କରି ପ୍ରାର୍ଥୀ କରିଛି ।
 ତେବେ କଂଗ୍ରେସ ମଧ୍ୟ ତିନି ଥରର ଡାବୁଗାଁ ବିଧାୟକ ଥିବା ଭୁଜବଳ ମାଝୀଙ୍କୁ ପ୍ରାର୍ଥୀ କରିଛି । ୨୦୦୯ ଓ ୨୦୧୪ଗତ ଦୁଇଟି ନିର୍ବାଚନ ଉପରେ ନଜର ପକାଇଲେ ବିଜେଡି ହିଁ ଦୁଇ ଥର ଏହି ସାଂସଦ ଆସନକୁ ହାତେଇବାରେ ସକ୍ଷମ ହୋଇଛି । ୨୦୦୪ରେ କଂଗ୍ରେସରୁ ପ୍ରଦୀପ ମାଝୀ ପ୍ରାର୍ଥୀ ହୋଇ ସାଂସଦ ହୋଇ ଥିବା ବେଳେ, ୨୦୦୯ରେ ରେଳବାଇ ଇଞ୍ଜିନିୟରିଂ ଚାକିରି ଛାଡି  ବିଜେଡିର ସାଂସଦ ପ୍ରାର୍ଥୀ ହୋଇ ପ୍ରଦୀପ ମାଝୀଙ୍କ ବିରୋଧରେ ଲଢେଇ କରି ବିଜୟ ହୋଇଥିଲେ ବଳଭଦ୍ର ମାଝୀ । ଗତ ନିର୍ବାଚନରେ ବଳଭଦ୍ର ବିଜେଡି ଛାଡି ବିଜେପି ଶିବିରକୁ ଯାଇ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ଉଭୟ ସାଂସଦ ପ୍ରାର୍ଥୀ ଥିବା କଂଗ୍ରେସରୁ ପ୍ରଦୀପ ମାଝୀ ଓ ବିଜେପିରୁ ବଳଭଦ୍ର ମାଝୀ ପ୍ରାର୍ଥୀ ହୋଇ ବିଜେଡିର ରମେଶ ମାଝୀଙ୍କ ଠାରୁ ପରାଜିତ ହୋଇଥିଲେ ।

ନବରଙ୍ଗପୁର, ଉମରକୋଟ,  ଝରିଗାଁ, ଡାବୁଗାଁ, କୋଟପାଡ଼, ଚିତ୍ରକୋଣ୍ଡା ମାଲକାନଗିରିକୁ ନେଇ ଗଠିତ ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ । ନବରଙ୍ଗପୁର ଲୋକସଭା ସଂସଦୀୟ କ୍ଷେତ୍ରର ଭୋଟର ସବୁବେଳେ ନିର୍ବାଚନ ମଇଦାନରେ ମାଝୀ ବନାମ ମାଝୀର ଲଢେଇ ଦେଖି ଆସୁଛନ୍ତି ।୨୦୧୪ମସିହାର ନିର୍ବାଚନରେ ଭୋଟରଙ୍କ ସଂଖ୍ୟା ୧୦ଲକ୍ଷ ୨୨ ହଜାର ୧୨୭ ଥିବା ବେଳେ, ୩ପ୍ରମୁଖ ରାଜନୈତିକ ଦଳରେ ପ୍ରାର୍ଥୀ ଥିଲେ ୩ମାଝୀ, ସେ ସମୟ ରେ ବିଜୁ ଜନତା ଦଳର ପ୍ରାର୍ଥୀ ଥିଲେ ଇଂବଳଭଦ୍ର ମାଝୀ, କଂଗ୍ରେସ ପ୍ରାର୍ଥୀ ଥିଲେ ପ୍ରଦୀପ ମାଝୀ ଏବଂ ବିଜେପିର ପ୍ରାର୍ଥୀ ଥିଲେ ପର୍ଶୁରାମ ମାଝୀ, ଏଇ ୩ମାଝୀଙ୍କ ଲଢେଇରେ ତୃତୀୟ ସ୍ଥାନରେ ବିଜେପିର ପର୍ଶୁରାମ ମାଝୀ ଏକ ଲକ୍ଷ ୩୮ ହଜାର ୪୩୦ଟି ଭୋଟ ପାଇଥିବା ବେଳେ, ଦ୍ୱିତୀୟ ସ୍ଥାନରେ ପ୍ରଦୀପ ମାଝୀ ୩ ଲକ୍ଷ ୭୧ ହଜାର ୮୪୫ଟି ଭୋଟ ପାଇଥିଲେ । ୩ ଲକ୍ଷ ୭୩ ହଜାର ୮୮୭ ଟି ଭୋଟ ପାଇ ବିଜୟ ଲାଭ କରିଥିଲେ ବିଜେଡିର ବଳଭଦ୍ର ମାଝୀ, ମାତ୍ର ୨୦୪୨ ଖଣ୍ଡ ଭୋଟରେ ବିଜେଡିର ବଳଭଦ୍ର ମାଝୀଙ୍କ ଠାରୁ ହାରି ଥିଲେ କଂଗ୍ରେସର ପ୍ରଦୀପ ମାଝୀ କିନ୍ତୁ ୨୦୧୯ର ନିର୍ବାଚନ ଥିଲା ଟିକେ ଅଲଗା, ଏଠି ମଧ୍ୟ ମାଝୀ ବନାମ ମାଝୀ ଲଢେଇ ହେଇଥିଲା କିନ୍ତୁ ବିଜୟୀ ପ୍ରାର୍ଥୀ ବଳଭଦ୍ର ମାଝୀ ଦଳ ପରିବର୍ତ୍ତନ କରି ବିଜେଡିରୁ ଇସ୍ତଫା ଦେଇ ବିଜେପିରୁ ପ୍ରାର୍ଥୀ ହେଇଥିଲେ, କଂଗ୍ରେସ ଦଳର ପ୍ରାର୍ଥୀ ପୁଣିଥରେ ପ୍ରଦୀପ ମାଝୀ ପ୍ରାର୍ଥୀ ହେଇଥିଲେ । 
ଏପଟେ ବଳଭଦ୍ର ଦଳ ଛାଡି ଥିବାରୁ ବିଜେଡି ପ୍ରାର୍ଥୀ କରିଥିଲା ରମେଶ ଚନ୍ଦ୍ର ମାଝୀଙ୍କୁ ସଂସଦୀୟ କ୍ଷେତ୍ର ପାଇଁ ରମେଶ ମାଝୀ ନବାଗତ ଥିଲେ । କିନ୍ତୁ ଝରିଗାଁ ନିର୍ବାଚନ ମଣ୍ଡଳୀ ର ଲଗାତର ବିଧାୟକ ଥିବା ସହ ବହୁବାର ରାଜ୍ୟ ମନ୍ତ୍ରୀ ମଧ୍ୟ ଥିଲେ । ୨୦୧୯ ନିର୍ବାଚନରେ ରମେଶ ମାଝୀ ୩ ଲକ୍ଷ ୯୨ହଜାର ୫୦୪ଟି ଭୋଟ ପାଇ ବିଜୟ ଲାଭ କରିଥିବା ବେଳେ ଦ୍ୱତୀୟ ସ୍ଥାନରେ କଂଗ୍ରେସର ପ୍ରଦୀପ ମାଝୀ ୩ଲକ୍ଷ ୫୦ ହଜାର ୮୭୦ଭୋଟ ପାଇଥିବା ବେଳେ ତୃତୀୟ ସ୍ଥାନରେ ବିଜେପିର ବଳଭଦ୍ର ମାଝୀ ୩ଲକ୍ଷ ୪୨ହଜାର ଭୋଟ ପାଇଥିଲେ । ବିଗତ ଦୁଇଟି ନିର୍ବାଚନରେ ମାଝୀ ବନାମ ମାଝୀ ଲଢେଇ ହେଇଥିବା ବେଳେ ୨୦୨୪ ନିର୍ବାଚନରେ ମଧ୍ୟ ସମାନ ଲଢେଇ ମାଝୀ ବନାମ ମାଝୀ ହିଁ ହଉଚି କିନ୍ତୁ ନେତା ଙ୍କଦଳ ଅଲଗା । ବର୍ତ୍ତମାନ ଦେଖିବାକୁ ବାକି ରହିଲା ୨୦୨୪ ନିର୍ବାଚନର  ମହା ସଂଗ୍ରାମରେ କିଏ ମାରିବ ବାଜି ।