ନଭେମ୍ବରରେ ଚାଷୀ ପାଇବେ ପ୍ରବଳ ଟଙ୍କା, ଜାଣନ୍ତୁ କେମିତି ?

farmer will get money

ନଭେମ୍ବରରେ ଚାଷୀ ପାଇବେ ପ୍ରବଳ ଟଙ୍କା, ଜାଣନ୍ତୁ କେମିତି ?

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍‌ରେ ଖରିଫ ବିପଣନ ବର୍ଷ ୨୦୨୪-୨୫ ପାଇଁ ଖାଦ୍ୟ ଓ ଧାନ ସଂଗ୍ରହଣ ନୀତିରେ ମୋହର ଲାଗିଛି  । ଚଳିତ ବର୍ଷ ୮୦ ଲକ୍ଷ ମେଟ୍ରିକ ଟନ୍‌ ଧାନ ଅର୍ଥାତ୍‌ ୫୪ ଲକ୍ଷ ମେଟ୍ରିକ ଟନର ଚାଉଳ ସଂଗ୍ରହ କରାଯିବ  । ଆସନ୍ତା ନଭେମ୍ବରରୁ ୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଖରିଫ ଧାନ ଓ ୨୦୨୨ ମେ’ ଓ ଜୁନ୍‌ରେ ରବି ଧାନ ସଂଗ୍ରହ ହେବ  ।  

ଚଳିତ ଖରିଫ ବିପଣନ ବର୍ଷ ଅକ୍ଟୋବର ପହିଲାରୁ ଆରମ୍ଭ ହୋଇ ୨୦୨୫ ସେପ୍ଟେମ୍ବର ୩୦ରେ ସମାପ୍ତ ହେବ  । ବର୍ଷକ ମଧ୍ୟରେ ୫୪ ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହର ଲକ୍ଷ୍ୟ ରହିଛି  । ଧାନ ହିସାବରେ ଏହା ପ୍ରାୟ ୮୦ ଲକ୍ଷ ମେଟ୍ରିକ୍‌ ଟନ୍‌ ହେବ  । ଖରିଫରେ ୬୬ ଲକ୍ଷ ଓ ରବିରେ ୧୪ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରାଯିବ  । ଆବଶ୍ୟକ ପଡ଼ିଲେ ଏକ ମନ୍ତ୍ରୀମଣ୍ଡଳସ୍ତରୀୟ ଉପକମିଟି ଧାନ କ୍ରୟର ଲକ୍ଷ୍ୟ ପରିମାଣକୁ ପରିବର୍ତ୍ତନ କରିପାରିବେ  ।

ଚଳିତ ବର୍ଷ ନଭେମ୍ବରରୁ ୨୦୨୫ ମାର୍ଚ୍ଚ ମଧ୍ୟରେ ଖରିଫ ଧାନ ସଂଗ୍ରହ କରାଯିବ  । ସେହିପରି ୨୦୨୫ ମେ’ରୁ ଜୁନ୍‌ ପର୍ଯ୍ୟନ୍ତ ରବି ଧାନ ସଂଗ୍ରହ ହେବ  । ଜିଲ୍ଲାମାନେ ଧାନ ସଂଗ୍ରହର ଅବଧି ନିର୍ଦ୍ଧାରିତ କରିବେ  । ଧାନ ବିକ୍ରି ପାଇଁ ‘ଆଧାର’ ହେବ ଏକମାତ୍ର ପରିଚୟ ପତ୍ର  । କେବଳ ପଞ୍ଜୀକୃତ ଚାଷୀଙ୍କ ଠାରୁ ବଳକା ଧାନ ସଂଗ୍ରହ କରାଯିବ  । ଉପଗ୍ରହ ଚିତ୍ର ମାଧ୍ୟମରେ ପଞ୍ଜୀକୃତ ଚାଷ ଜମିର ଯାଞ୍ଚ ହେବ  । ଧାନ ସଂଗ୍ରହ ପାଇଁ ଯୋଗ୍ୟ ଚାଷୀଙ୍କୁ କ୍ରୟ ଦିବସ ଓ ପରିମାଣ ସମ୍ପର୍କରେ ଆଗୁଆ ଏସଏମଏସ ମାଧ୍ୟମରେ ଜଣାଇ ଦିଆଯିବ  । ଧାନ ବିକ୍ରୟ କରିବା ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ପ୍ରଦାନ କରାଯିବ  । ପରିବାରର ଖାଦ୍ୟ ନିମନ୍ତେ ଚାଷୀମାନେ ଉତ୍ପାଦିତ ଫସଲର କିଛି ଅଂଶ ରଖିବା ଉପରେ ବାଧ୍ୟବାଧ୍ୟକତା ରହିବ ନାହିଁ  । ନିର୍ଦ୍ଧାରିତ ଅମଳ ହାରରେ ଚାଷୀ ତା’ର ସମସ୍ତ ଉତ୍ପାଦିତ ବଳକା ସରକାରଙ୍କୁ ବିକ୍ରି କରିବା ବ୍ୟବସ୍ଥା ଅବ୍ୟାହତ ରହିବ  ।

ଧାନ ସଂଗ୍ରହ ନୀତି ଅନୁସାରେ ଚାଷୀଙ୍କୁ ଭାରତ ସରକାରଙ୍କ ଧାର୍ଯ୍ୟ ଏମଏସପି, ସାଧାରଣ ଧାନ ପାଇଁ କୁଇଣ୍ଟାଲ ପିଛା ୨୩ ଶହ ଟଙ୍କା ଓ ଗ୍ରେଡ଼-ଏ ଧାନ ପାଇଁ ୨୩୨୦ ଟଙ୍କା ପ୍ରଦାନ କରାଯିବ  । କିନ୍ତୁ କୃଷକ ସମୃଦ୍ଧ ଯୋଜନାରେ ସରକାର ଚାଷୀଙ୍କୁ କୁଇଣ୍ଟାଲ ପିଛଶ ୩୧ ଶହ ଟଙ୍କା ପ୍ରଦାନ କରିବେ  । ଚାଷୀମାନେ ଯେଭଳି ଏଫଏକ୍ୟୁ ମାନର ଧାନ ମଣ୍ଡିକୁ ଆଣିବେ, ସେଥିପାଇଁ ବ୍ୟାପକ ପ୍ରଚାର ପ୍ରସାର କରାଯିବ  । ଓଡ଼ିଶା ଯୋଗାଣ ନିଗମ ସମସ୍ତ ଜିଲ୍ଲାରେ ଧାନ ସଂଗ୍ରହ କରିବେ  । 

ପାକ୍ସ, ଲାମ୍ପସ, ମହିଳା ଏସଏଚଜି ଏବଂ ପାଣି ପଞ୍ଚାୟତ ମାଧ୍ୟମରେ ଧାନ ସଂଗ୍ରହ କରାଯିବ  । ଏସଏଚଜି ଗୋଷ୍ଠୀଗୁଡ଼ିକୁ ଅଧିକ ସଂଖ୍ୟାରେ ଧାନ ସଂଗ୍ରହ କାର୍ଯ୍ୟରେ ନିୟୋଜିତ କରିବାର ଲକ୍ଷ୍ୟ ରହିଛି  । ଧାନ ବିକ୍ରିର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଅନଲାଇନ୍‌ ମାଧ୍ୟମରେ ପ୍ରାପ୍ୟ ପ୍ରଦାନ କରାଯିବ  । ୨୦୨୨-୨୩ କିମ୍ବା ଏହା ପୂର୍ବ ବର୍ଷମାନଙ୍କରେ ଯଦି କୌଣସି ମିଲରର ବକେୟା ଦେୟ ଥିବ ତେବେ ସେମାନଙ୍କୁ ଚଳିତ ଖରିଫ ବିପଣନ ବର୍ଷ ୨୦୨୪-୨୫ରେ ଧାନ ସଂଗ୍ରହରେ ଭାଗ ନେବାକୁ ଅନୁମତି ମିଳିବ ନାହିଁ  ।