ଦିନରେ ବାଲି ବୋଝେଇ ହାଇୱା ଚଳାଚଳ ବନ୍ଦ ଦାବି
ଖଣ୍ଡପଡ଼ା : ଦିନବେଳେ ରାସ୍ତାରେ ହାଇୱା ଚଳା ଚଳ ବନ୍ଦ କରିବା ନେଇ ବାରମ୍ବାର ଦାବି କରି ଆସୁଛନ୍ତି ଖଣ୍ଡପଡ଼ା ବ୍ଲକ ଅଞ୍ଚଳବାସୀ । ଜନଗହଳିପୂର୍ଣ୍ଣ ଅଣ ଓସାରିଆ ରାସ୍ତା ଦେଇ ବାଲି ବୋଝେଇ ହାଇୱା ଗୁଡିକ ଚଳା ଚଳ କରୁଥିବାରୁ ବାରମ୍ବାର ଦୁର୍ଘଟଣା/ଅଘଟଣ ଘଟୁଥିବାର ଅନେକ ନଜିର ରହିଛି । ଅବାଧରେ ହାଇୱା ଗାଡି ଗୁଡିକ ରାସ୍ତାରେ ଚଳା ଚଳ କରୁଥିବାରୁ ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡି ଗୁଡିକ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି । ଖଣ୍ଡପଡା ବ୍ଲକ୍ ଅଧିନ ମହାନଦୀର ବିଭିନ୍ନ ଘାଟରୁ କିବା ରାତି ଓ ଦିନରେ ବାଲି ବୋଝେଇ ଶତାଧିକ ହାଇୱା ଗୁଡିକ ବିଭିନ୍ନ ସ୍ଥାନକୁ ଯାତାଯାତ କରୁଛି । ଫଳରେ ରାସ୍ତା ଦବି ଯିବା ସହ ଖାଲଖମା ସୃଷ୍ଟି ହେଉଛି । ଖଣ୍ଡପଡାରୁ କଣ୍ଟିଲୋକୁ ସଂଯୋଗ କରୁଥିବା ରାସ୍ତା ସମେତ ଖଣ୍ଡପଡା ବାଇପାସ ରାସ୍ତା, ଖଣ୍ଡପଡା-କଳାପଥର, ଖଣ୍ଡପଡା-ନୟାଗଡ ରାସ୍ତାରେ ସଦା ସର୍ବଦା ଭାରିଯାନଗୁଡିକ ଚଳା ଚଳ ଯୋଗୁଁ ରାସ୍ତାର ଅବସ୍ଥା ସମୟାନୁକ୍ରମେ ଶୋଚନାୟ ହୋଇପଡିଛି । ଫଳରେ ରାସ୍ତାର ଦୁରାବସ୍ଥାକୁ ନେଇ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏକଦା ଜିଲ୍ଲା ପ୍ରଶାସନର ନିଦେ୍ର୍ଦଶକ୍ରମେ ଆଜକୁ ୨ ବର୍ଷ ତଳେ ବାଲି ବୋଝେଇ ହାଇୱା ଗୁଡିକ ରାତି ୧୦ ରୁ ସକାଳ ୭ଟା ମଧ୍ୟରେ ଯାତାୟାତ କରିବା ନିମନ୍ତେ ନିଦେ୍ର୍ଦଶନାମା ଜାରି କରାଯାଇଥିଲା । ମାତ୍ର ପରବର୍ତ୍ତୀ ସମଯରେ ନିୟମ ବଦଳି ଯାଇଥିବା ପରି ମନେ ହେଉଛି । ସର୍ବସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୂର୍ବପରି ସକାଳ ୭ଟା ପର ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ହାଇୱା ଗୁଡ଼ିକ ରାସ୍ତାରେ ଚଳା ଚଳ ବନ୍ଦ ନିମନ୍ତେ ଜିଲ୍ଲାପାଳ ଓ ଖଣି ବିଭାଗ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।