ମା' ମଙ୍ଗଳାଙ୍କ ଚତୁର୍ଥ ପାଳି ଯାତ୍ରା ଶେଷ : ରାଜରାଜେଶ୍ୱରୀ ବେଶରେ ମା'

କାକଟପୁର : ଆଜି ଚୈତ୍ରମାସର ଚତୁର୍ଥ ବା ଶେଷ ମଙ୍ଗଳବାର । ପାରମ୍ପରିକ ପ୍ରଥାନୁସାରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା' ମଙ୍ଗଳାଙ୍କ ମନ୍ଦିରରେ ପାଳିତ ହୋଇଛି ଚତୁର୍ଥ ପାଳିଯାତ୍ରା । ରାତ୍ର ତିନିଘଡି ଥାଇ ମନ୍ଦିର ଦ୍ୱାରଫିଟା ପରେ ମଙ୍ଗଳ ଆଳତି, ଭିତର ଶୋଧ, ସ୍ନାନ, ବେଶ, ଚନ୍ଦନ ଲାଗି ପରେ ସୂର୍ଯ୍ୟପୂଜା, ବଲ୍ଲଭ ନୀତି କରାଯାଇଥିଲା । ବଲ୍ଲଭ ନୀତି ପରେ ସକାଳ ଧୂପ, ବନ୍ଦାପନା ଆଳତୀ ପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ସାହାଣମେଲା କରାଯାଇଥିଲା । ମାତୃଭକ୍ତମାନେ ଉତ୍ତର ଓ ସିଂହ ଦ୍ୱାର ଦେଇ ବ୍ୟାରିକେଟ ମଧ୍ୟରେ ଧାଡ଼ିରେ ମନ୍ଦିର ଗର୍ଭଗୃହକୁ ଯାଇ ମା'ଙ୍କର ରାଜରାଜେଶ୍ୱରୀ ବେଶ ଦର୍ଶନ କରିଥିଲେ । ସୀମନ୍ତିନୀ ମହିଳାମାନେ ମନ୍ଦିର ବେଢାରେ ନିଜ ସ୍ୱାମୀ ଓ ପରିବାରର ମଙ୍ଗଳ କାମନା କରି ପନ୍ଥେଇ ପୂଜା କରିଥିଲେ । ଦିନ ପ୍ରାୟ ୧ଟା ବେଳକୁ ଝଙ୍କଡ ପୀଠରୁ ଆସିଥିବା ରାଉଳ ସେବକମାନେ ଓ ସ୍ଥାନୀୟ ଅଞ୍ଚଳର ଭୋଇ ପାଟୁଆମାନେ ଏକ ଶୋଭାଯାତ୍ରାରେ ପ୍ରାଚୀ ନଦୀର ଘଣ୍ଟ ତୋଳା ତୁଠକୁ ଯାଇ ପାଣି ତୋଳି, ଘଟ ସ୍ଥାପନା କରି ମନ୍ଦିରକୁ ଆସିଥିଲେ । ମା' ଙ୍କର ଆଜ୍ଞାମାଳ ପାଇବା ପର ପାଟୁଆମାନେ ଘଣ୍ଟ, ଢୋଲ ଓ କାହାଳୀ ହରିବୋଲ, ହୁଳହୁଳି ଏବଂ ପାରମ୍ପରିକ ବାଦ୍ୟର ତାଳେ ତାଳେ  ଘଣ୍ଟ ପାଟୁଆ ନୃତ୍ୟ କରିଥିଲେ । ମଧ୍ୟରାତ୍ରି ସମୟରେ କାଳିକା ନୃତ୍ୟ ଅନୁଷ୍ଠିତ ହୋଇଥିଲା । ଜଣେ ଖମାରେଇ ସେବକ ନିଜକୁ ମହାକାଳୀ ବେଶରେ ସଜ୍ଜିତ କରି ଖଡ୍ଗ ଧାରଣ ପୂର୍ବକ ଘଣ୍ଟ, ଢୋଲ, ମହୁରୀ, ମଶାଲ ମଧ୍ୟରେ ମା'ଙ୍କ ଆଜ୍ଞାମାଳ ପାଇବା ପରେ ମନ୍ଦିର ବେଢାରେ ଓ ସେବକ ସାହି ଦାଣ୍ଡରେ କାଳିକା ନୃତ୍ୟ ପ୍ରଦର୍ଶନ କରିଥିଲେ । ତା' ପରେ ରାତ୍ରି ଧୂପ, ଗୀତଗୋବିନ୍ଦ ପାଠ ଓ ବଡସିଂହାର ପରେ ଭ୍ରମଣୀ ନୀତି ଅନୁଷ୍ଠିତ ହୋଇଥିଲା । ମା’ ଙ୍କର ବଡସିଂହାର ଧୂପ ସରିବା ପରେ ମନ୍ଦିର ପହୁଡ଼ ପଡିଥିଲା । ଦିନରେ ପାଟୁଆ ନୃତ୍ୟ ଓ ରାତିରେ କାଳିକା ନୃତ୍ୟ ଦେଖି ମାତୃ ଭକ୍ତମାନେ ବିମୋହିତ ହୋଇ ପଡ଼ିଥିଲେ । ଚତୁର୍ଥ ପାଳି ଯାତ୍ରା ପାଇଁ ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଆସନ୍ତା ୧୫ ତାରିଖରେ ମା'ଙ୍କର ପଞ୍ଚମ ପାଳି ତଥା ଝାମୁଯାତ୍ରା ଅନୁଷ୍ଠିତ ହୋଇ ୧ ମାସ ବ୍ୟାପୀ ଚାଲିବ ବୋଲି ମଙ୍ଗଳା ମନ୍ଦିର ସେବାୟତ ନିଯୋଗ ଉପସଭାପତି କମଳ ଲୋଚନ ପ୍ରକାଶ କରିଛନ୍ତି ।