ସଡକ ଦୁର୍ଘଟଣାରେ ୧ ମୃତ, ୨ ଗୁରୁତର

ବୈଶିଙ୍ଗା : ବୈଶିଙ୍ଗା ଥାନା ଅଧୀନ ମେରଦା ପଞ୍ଚାୟତର ବର୍ତ୍ତନା ଛକ ନିକଟରେ ଶନିବାର ପୂର୍ବାହ୍ନ ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ଜଣଙ୍କର ମୃତୁ୍ୟ ଘଟିଛି । ତେବେ ଏହି ଘଟଣାରେ ଅନ୍ୟ ଦୁଇ ଗୁରୁତର ଆହତ ହୋଇଛନ୍ତି  । ପ୍ରାପ୍ତ ସୂଚନା ମୁତାବକ ଯୁଗୋଳ ପଞ୍ଚାୟତ ଅଧୀନ ମାରଚଣ୍ଡପୁର ଗ୍ରାମର ହିରାଲାଲ ସିଂ, ବାଙ୍ଗୁରୁ ସିଂ ଏବଂ ଅନ୍ୟ ଜଣେ ବନ୍ଧୁ ଗୋଟିଏ ବାଇକ ଯୋଗେ ବର୍ତ୍ତନା ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ପିଲରକୁ ପିଟି ହୋଇ ତଳେ ପଡିଯାଇଥିଲେ ।  ଘଟଣାସ୍ଥଳରେ ହିଁ ହୀରାଲାଲଙ୍କ ମୃତୁ୍ୟ ହୋଇଯାଇଥିଲା  । ସ୍ଥାନୀୟ ଜନସାଧାରଣ ଗୁରୁତର ଭାବେ ରକ୍ତାକ୍ତ ଅବସ୍ଥାରେ ପଡି ରହିଥିବା ଅନ୍ୟ ଦୁଇ ଯୁବକଙ୍କୁ ସଙ୍ଗେ ସଙ୍ଗେ ୧୦୮ ଯୋଗେ ବେତନଟୀ ଡାକ୍ତରଖାନାକୁ ପଠାଇଥିଲେ । ସେଠାରେ ପ୍ରାଥମିକ ଚିକିସôା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସୁଦ୍ଧା ଜଣଙ୍କର ଅବସ୍ଥା ଶୋଚନୀୟ ଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ସୁସ୍ଥ ଥିବା ଜଣାଯାଇଛି । ଏନେଇ ବୈଶିଙ୍ଗା ପୁଲିସ ଏକ ମାମଲା  କରି ଦୁର୍ଘଟଣାଗ୍ରସ୍ତ ବାଇକଟିକୁ ଜବତ କରିବା ସହ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାରିପଦା ବଡମେଡିକାଲକୁ ପଠାଇଥିଲେ  । ଶବ ବ୍ୟବଚ୍ଛେଦ ପରେ ମୃତକ ହୀରାଲାଲଙ୍କ ଶରୀର ନିଜ ଗ୍ରାମକୁ ଯାଇଥିଲା । ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।