ଜରାଜୀର୍ଣ୍ଣ ଅବସ୍ଥାରେ ସ୍ୱାସ୍ଥ୍ୟକେନ୍ଦ୍ର
ସାରସକଣା : ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ୧୭ଗୋଟି ପଞ୍ଚାୟତର ଅନେକ ଗ୍ରାମରେ ସରକାରୀ ଯୋଜନାକୁ ସରକାରୀ ଖାତାରେ ଲାଗୁ କରାଯାଇଛି ହେଲେ ଏସବୁ ଯୋଜନା ମାଧ୍ୟମରେ ଜନସାଧାରଣଙ୍କ କୌଣସି ସୁବିଧା ହେଉଥିବା ଦେଖିବାକୁ ମିଳୁନାହିଁ । ସରକାରୀ ଯୋଜନା କେବଳ ସରକାରୀ ବାବୁମାନଙ୍କ ଫାଇଲ ତଳେ ସଫଳ ହୋଇ ରହିଛି । ହେଲେ ଏସବୁର ବାସ୍ତବ ରୂପ ସମ୍ପୂର୍ଣ୍ଣ ଅଲଗା । ଲୋକେ ଦୂର ଦୂରାନ୍ତକୁ ଯାଇ ସରକାରୀ ସେବା ପାଇବା ପାଇଁ ଯିବା କଷ୍ଟ ସାଧ୍ୟ ମଧ୍ୟ । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଲୋକଙ୍କ ପାଖରେ ସରକାରୀ ସେବା ପହଞ୍ଚାଇବାକୁ କୋଟି କୋଟି ଟଙ୍କା ବ୍ୟୟ କରି ଯୋଜନା କାର୍ଯ୍ୟକାରୀ କରାଉଥିଲେ ସୁଦ୍ଧା ସରକାର ଏଥିରେ ଫେଲ ମାରିଛନ୍ତି । କେବଳ ଯୋଜନା ମାଧ୍ୟମରେ କୋଟି ପତି ହୋଇଛନ୍ତି ଠିକାଦାର, ଯନ୍ତ୍ରୀ, ବିଭାଗୀୟ ଅଧିକାରୀମାନେ । ଏଭଳି ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ୍ ସ୍ଥିତ ଶଙ୍ଖାଭଙ୍ଗା ପଞ୍ଚାୟତରେ । ସରକାର ପାହାଡ ଜଙ୍ଗଲ ଘେରା ଏହି ଶଙ୍ଖାଭଙ୍ଗା ଅଞ୍ଚଳର ଗରୀବ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା ପାଇଁ ଶଙ୍ଖାଭଙ୍ଗା ପଞ୍ଚାୟତ ଅନତି ଦୂରରେ ଏକ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ କରିଛନ୍ତି । ଏହି ଗୃହ ନିର୍ମାଣ ପାଇଁଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ହେଲେ ନବନିର୍ମିତ ଗୃହ ଏବେ ଜରାଜୀର୍ଣ୍ଣ ହୋଇ ପଡ଼ିରହିଛି । ସାମ୍ନାକୁ ସୁନ୍ଦର ଦେଖାଯାଉଥିବା ଏହି କୋଠାର ଗେଟ୍ରେ ତାଲା ପଡିଥିବା ବେଳେ ଭିତରେ ନାହିଁ ନଥିବା ଅନାବନା ଗଛ ପରିପୂର୍ଣ୍ଣ ହୋଇ ରହିଛି । ନା ଅଛି ସ୍ୱାସ୍ଥ୍ୟ କର୍ମୀଙ୍କ ଦେଖା, ନା ରହିଛି ସ୍ୱାସ୍ଥ୍ୟ ସେବା ଉପକରଣ । କେବଳ ଗୃହ ନିର୍ମାଣ କରି ସାମ୍ନାରେ ଲେଖାଯାଇଛି ସ୍ୱାସ୍ଥ୍ୟ ଉପକେନ୍ଦ୍ର । ଏ ବାବଦରେ ସ୍ଥାନୀୟ ଲୋକଙ୍କୁ ପ·ରିବାରୁ ସେମାନେ କହିଥିଲେ ଯେ, ନିର୍ମାଣ ହେବାର କିଛିଦିନ ପରେ କିଛି ଦିନ ଦିଦି ଆସୁଥିଲେ । ଆମ ଅଞ୍ଚଳର ଲୋକମାନେ ମଧ୍ୟ ଏଠାକୁ ଆସୁଥିଲେ । ହେଲେ କିଛି ଦିନ ପରେ ଆଉ ଖୋଲା ହେଲାନି ଏହି ଉପକେନ୍ଦ୍ର । ଏନ୍ଏମ ଦିଦି ଗାଁକୁ ଆସନ୍ତି ତାଙ୍କ ବାର ଅନୁସାରେ । ସୁବିଧା ଅସୁବିଧା ବୁଝି ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଅନ୍ତି । ତେବେ ପ୍ରଶ୍ନ ଉଠୁଛି ଏହି କୋଠା ନିର୍ମାଣର ଆବଶ୍ୟକତା କଣ ଥିଲା? ଯଦି ଉପ ସ୍ୱାସ୍ଥ୍ୟକେନ୍ଦ୍ର ନଥାଇ ସ୍ୱାସ୍ଥ୍ୟ କର୍ମୀ ବୁଲି ବୁଲି ସେବା ଯୋଗାଇ ଦେବେ ତାହେଲେ ସରକାର ଲକ୍ଷ ଲକ୍ଷ ଜନତାଙ୍କ ଟଙ୍କା ଅଯଥାରେ କହିକି ଖର୍ଚ୍ଚ କେ । ଯଦି ଏହି କେନ୍ଦ୍ରର ଆବଶ୍ୟକତା ଅଛି ତେବେ ଏଥିରେ ରହିଥିବା ସମସ୍ୟାକୁ ଦୂର କରି ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଏହାକୁ କାର୍ଯ୍ୟକ୍ଷମ କାହିଁକି କରୁନାହାନ୍ତି । ସ୍ଥାନୀୟ କିଛି ଲୋକଙ୍କ କହିବା ମୁତାବକ ଟଙ୍କା ସରକାର ଦେଉଛନ୍ତି କିନ୍ତୁ କାମ କରି ଠିକାଦାର ଯନ୍ତ୍ରୀ ଭଲ ଲାଭ ଉଠାଇ ନେଇ ଚାଲି ଯାଉଛନ୍ତି କିନ୍ତୁ ଏଠାରେ ସେବା ମିଳୁ ନମିଳୁ ଦେଖେ କିଏ । ଏଭଳି ପ୍ରଶ୍ନବାଚୀ ନେଇ ଜନସାଧାରଣମାନେ କ୍ଷୋଭ ପ୍ରକାଶ କରିଛନ୍ତି ।