ବିଶ୍ୱାମିତ୍ର ଋଷି ଘାଟରେ ଶ୍ରଦ୍ଧାଳୁଙ୍କ ପିଣ୍ଡ ଦାନ
କାକଟପୁର : ଆଜି ହେଉଛି ଆଶ୍ୱିନ ମାସ ପ୍ରତିପଦ ତିଥି । ଓଡ଼ିଆ ସଂସ୍କୃତି ଓ ପରମ୍ପରା ଅନୁସାରେ ଆଜି ଠାରୁ ଆରମ୍ଭ ହୋଇଛି ପିତୃ ପକ୍ଷ ବା ଅପର ପକ୍ଷ । ଆଜି ଠାରୁ ମହାଳୟା ଅମାବାସ୍ୟା ତିଥି ପର୍ଯ୍ୟନ୍ତ ସମୟକୁ ପିତୃ ପକ୍ଷ ବା ଅପରପକ୍ଷ କୁହାଯାଇଥାଏ । ଏହି ସମୟରେ ପିତୃ ପୁରୁଷ ମାନେ ନିଜ ନିଜ ଘରକୁ ପରିଭ୍ରମଣ କରିବାକୁ ପ୍ରେତ ଲୋକ ରୁ ପୃଥିବୀ ଲୋକ କୁ ଆସୁଥିବା ବିଶ୍ୱାସ ରହିଛି । ଏହି ସମୟ ରେ ପିତୃ ପୁରୁଷ ମାନଙ୍କୁ ଶ୍ରାଦ୍ଧ (ପିଣ୍ଡ ଓ ତିଳ ତର୍ପଣ) ପ୍ରଦାନ କଲେ ସେମାନେ ତୃପ୍ତ ହୋଇ ନିଜ ପରିବାରକୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି । ଏହି ବିଶ୍ୱାସ ର ବଶବର୍ତ୍ତୀ ହୋଇ କାକଟପୁର ଅଞ୍ଚଳ ର ଶ୍ରଦ୍ଧାଳୁ ମାନେ କାକଟପୁର ସ୍ଥାନୀୟ ବିଶ୍ୱାମିତ୍ର ରୁଷି ଘାଟ ଠାରେ ନିଜ ପିତୃ ପୁରୁଷ ମାନଙ୍କୁ ଶ୍ରାଦ୍ଧ ପ୍ରଦାନ କରିଥାନ୍ତି । ଆର୍ଥିକ ସ୍ୱଚ୍ଛଳ ପରିବାର ପକ୍ଷରୁ ଶ୍ରୀକ୍ଷେତ୍ର ପୁରୀର ପଞ୍ଚ ତୀର୍ଥ ଓ ଭୁବନେଶ୍ୱରର ବିନ୍ଦୁ ସାଗର ଠାରେ ପିତୃ ପୁରୁଷ ମାନଙ୍କୁ ଶ୍ରାଦ୍ଧ ପ୍ରଦାନ କରା ଯାଉଥିବା ବେଳେ ଅନ୍ୟ ଶ୍ରଦ୍ଧାଳୁ ମାନେ ପୂଣ୍ୟତୋୟା ପ୍ରାଚୀ ନଦୀର ବିଭିନ୍ନ ତୀର୍ଥ ସ୍ଥଳୀ ଠାରେ ପିତୃ ପୁରୁଷ ମାନଙ୍କୁ ଶ୍ରାଦ୍ଧ ପ୍ରଦାନ କରିଥାନ୍ତି । ଏଥିପାଇଁ ପ୍ରାଚୀ ନଦୀ କୂଳରେ ଥିବା ବିଶ୍ୱାମିତ୍ର ଆଶ୍ରମ ସ୍ଥିତ ଋଷି ତୀର୍ଥ, ସମେଶ୍ୱରର ଅର୍କତୀର୍ଥ, ନାଶିକେଶ୍ୱରର ନୃତ୍ୟ ତୀର୍ଥ, ଅସ୍ତରଙ୍ଗର ମୁକ୍ତି ତୀର୍ଥ, ବେଲେଶ୍ୱରର ମଣିକର୍ଣିକା ତୀର୍ଥ, ମୁଦୁଗଲର ଅପସରା ତୀର୍ଥ, ଅମରେଶ୍ୱରର ଗୋ ତୀର୍ଥ, ମାଧବର ସୁଦର୍ଶନ ତୀର୍ଥ ଓ ପାଣ୍ଡବ ତୀର୍ଥ, ପିତାପଡାର ଅଙ୍ଗ ତୀର୍ଥ, ନିଭରଣର ପୁରରବା ତୀର୍ଥ, ଟୋଲାର ଅଗ୍ନୀ ତୀର୍ଥ ଠାରେ ଶ୍ରାଦ୍ଧ ଦେବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି ।