ଆଇପିଏଲ୍ କରିଦେଲା ହିରୋ
ଭୁବନେଶ୍ୱର : ଆରମ୍ଭ ହୋଇଯାଇଛି ଆଇପିଏଲ୍ ମହାକୁମ୍ଭ । ୨୦ ଓଭରିଆ ଆଇପିଏଲ୍କୁ ମନଭରି ଉପଭୋଗ କରୁଛନ୍ତି କ୍ରିକେଟ ପ୍ରେମୀ । ସୋସିଆଲ ମିଡ଼ିଆରେ ନିଜ ନିଜ ପସନ୍ଦର ଦଳକୁ ସପର୍ଟ କରିବା ସହ ନିଜ ପସନ୍ଦର ଖେଳାଳିଙ୍କ ଫଟୋ ଭିଡ଼ିଓ ଛାଡ଼ି ଉତ୍ସାହିତ କରିବାର ନଜିର ମଧ୍ୟ ରହିଛି । ତେବେ ଆଇପିଏଲ୍ ରେ ଦେଖିବାକୁ ମିଳିଛି ଅନେକ ନୂଆ ଖେଳାଳିଙ୍କୁ । ଯେଉଁମାନେ ଆଇପିଏଲରେ ଖେଳି ନିଜର ପରିଚୟ ସୃଷ୍ଟି କରି ପାରୁଛନ୍ତି । ଆଇପିଏଲ ବହୁ ନୂଆ ଖେଳାଳିଙ୍କୁ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ସୁଯୋଗ ଦେଉଛି । ସେହି ଭଳି ଦୁଇଜଣ ଖେଳାଳି ହେଲେ ମୁମ୍ବାଇ ଇଣ୍ଡିଆନ୍ସର ବିଘ୍ନେଶ ପୁଥୁର ଓ ଦିଲ୍ଲୀ କ୍ୟାପିଟାଲର ଆଶୁତୋଷ ଶର୍ମା । ୨୪ ବର୍ଷିଆ ବିଘ୍ନେଶ ପୁଥୁର ହେଉଛନ୍ତି ଜଣେ ଅଟୋ ଚାଳକଙ୍କ ପୁଅ । ଆଇପିଏଲରେ ସେ ୩ଟି ୱିକେଟ ନେଇ ନିଜର ପାରଦର୍ଶିତା ଦେଖାଇଛନ୍ତି । ଯିଏକି ଘରୋଇ କ୍ରିକେଟରେ ରାଜ୍ୟ ପାଇଁ ନଖେଳି ସିଧା ଆଇପିଏଲରେ ଏଣ୍ଟ୍ରିଂ ମାରିଛନ୍ତି । ବାମହାତୀ ସ୍ପିନର ବିଘ୍ନେଶ ୧୧ ବର୍ଷ ବୟସରୁ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ । ସେ କେରଳ କ୍ରିକେଟ୍ ଲିଗର ପ୍ରଥମ ସିଜନରେ ଆଲେପ୍ପି ରିପଲ୍ସ ଦଳର ଅଂଶ ହୋଇଥିଲେ । ପୁଥୁର ସେହି ଟୁର୍ଣ୍ଣାମେଣ୍ଟରେ ମାତ୍ର ତିନିଟି ୱିକେଟ୍ ନେଇଥିଲେ । କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ସ୍କାଉଟ୍ସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ଏମ୍ଆଇର ଟ୍ୟାଲେଣ୍ଟ ହଣ୍ଟ ପ୍ରତିଯୋଗୀତାରେ ଭାଗ ନେଇଥିଲେ । ଭଲ ପ୍ରଦର୍ଶନ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ବିଘ୍ନେଶଙ୍କୁ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହୋଇଥିବା ସାଉଥ୍ ଆଫ୍ରିକା ଟି-୨୦ ପ୍ରିମିୟର ଲିଗ୍ରେ ଏମ୍ଆଇ-କେପ୍ଟାଉନ୍ରେ ନେଟ୍ ବୋଲର ରୂପେ ଯୋଗ ଦେଇଥିଲେ । ପରେପରେ ବିଘ୍ନେଶଙ୍କ ପ୍ରଦର୍ଶନ ଦେଖି ତାଙ୍କୁ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଥିଲା । ଚେନ୍ନାଇ ବିପକ୍ଷ ପ୍ରଥମ ମ୍ୟାଚ୍ରେ ସମସ୍ତଙ୍କୁ ଚକିତ କରିଥିଲେ ବିଘ୍ନେଶ । ନିଜ ସ୍ପିନ ଜାଲରେ ରୁତୁରାଜ ଗାଏକ୍ୱାଡ, ଶିବମ ଦୁବେ ଓ ଦୀପକ ହୁଡାଙ୍କ ୱିକେଟ ନେଇଥିଲେ । ଯେଉଁ ପିଲା ଦିନେ ରଣଜୀ, ସାୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ପାଦ ଦେଇନାହିଁ ସେ ପିଲା ଆଜି ମୁମ୍ବାଇର ଷ୍ଟାର ସ୍ପିନର । ସେହିପରି ଆଶୁତୋଷ ଶର୍ମା କଥା ଗତ ୨୪ ତାରିଖରେ ଖେଳାଯାଉଥିବା ମ୍ୟାଚ୍ରେ ତାଙ୍କ ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଥିଲା । ଲକ୍ଷ୍ନୌ କରିଥିବା ରନ୍କୁ ପିଛା କରୁଥିବା ଦିଲ୍ଲୀ ୬୦ରନରେ ୫ଟି ୱିକେଟ ହରାଇସାରିଥିଲା । ଦିଲ୍ଲୀ ଜିତିବାର ଆଶା ଛାଡ଼ି ଦେଇଥିଲା । ପରେ ମଇଦାନକୁ ଆସିଥିଲେ ନିଜର କରିସ୍ମା ଦେଖାଇଥିଲେ ଆଶୁତୋଷ । ବିପକ୍ଷ ଦଳ ଉପରେ ଇମ୍ପାକ୍ଟ ପକାଇଥିଲେ । ଅସମ୍ଭବ ମନେ ହେଉଥିବା ବିଜୟକୁ ସହଜ କରିଦେଇଥିଲେ । ୩୧ଟି ବଲରେ ଧୂଆଁଧାର ୬୬ ରନ୍ କରି ଲକ୍ଷ୍ନୌ ଜିତୁଥିବା ମ୍ୟାଚ୍କୁ ଛଡାଇ ଆଣିଥିଲେ ଆଶୁତୋଷ । ଏବେ ସୋସିଆଲ ମିଡିଆରେ ବିଘ୍ନେଶ ଓ ଆଶୁତୋଷ ଟ୍ରେଣ୍ଡ କରୁଛନ୍ତି ।