ସେକେଣ୍ଡାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ଆରମ୍ଭ 

 ତିହିଡି : ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରୁ ବାଦ ପଡ଼ିଥିବା ‘ଷ୍ଟାଣ୍ଡ ଏଲୋନ ବିଦ୍ୟାଳୟ’ ଗୁଡ଼ିକରେ ଆଜିଠାରୁ ଆରମ୍ଭ ହୋଇଛି ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ । ଏହି ଅବସରରେ ତିହିଡ଼ି ବ୍ଲକରେ ଥିବା ୯ ବିଦ୍ୟାଳୟରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଦୋଳସାହିସ୍ଥିତ ଭଗବତୀ ବାଳିକା ଶିକ୍ଷାୟତନର ପ୍ରଧାନଶିକ୍ଷୟିତ୍ରୀ ନିରୁପମା ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରଣୟ ନାୟକ, ତିହିଡ଼ି ବ୍ଲକ ଶିକ୍ଷାଧିକାରୀ ସୂର୍ଯ୍ୟଶିଖା ମହାନ୍ତି, ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ଲକ୍ଷ୍ମିପ୍ରିୟା ମାଝୀ, ସିଆରସିସି ସସ୍ମିତା ମଞ୍ଜରୀ ନାୟକ ଅତିଥିଭାବେ ଯୋଗଦେଇ ଓଡ଼ିଶା ଦିବସ ଅବସରରେ ଓଡ଼ିଶା ପକ୍ଷ ପାଳନ ଓ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ଅମର ନାୟକ ଓ କାଞ୍ଚନ ରାଉଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।