ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ
କେନ୍ଦୁଝର : କେନ୍ଦୁଝର ପୁଲିସ ରିଜର୍ଭ ପଡ଼ିଆରେ ଓଡ଼ିଶା ପୁଲିସର ୯୦ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି । ରିଜର୍ଭ ଇନ୍ସପେକ୍ଟର ଦେବାଶିଷ ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ପରେଡରେ କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଲକର ଡାଗୁଡୁ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । କର୍ତ୍ତବ୍ୟ ସମ୍ପାଦନା ସମୟରେ ଶହୀଦ ହୋଇଥିବା ପୁଲିସ ଓ କର୍ମଚାରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିସହ ପୁଲିସ କର୍ମଚାରୀ ନିଷ୍ଠାର ସହ କର୍ତ୍ତବ୍ୟ ସମ୍ପାଦନ କରିବାକୁ ମଧ୍ୟ ସେ ଆହ୍ୱାନ ଦେଇଥିଲେ । ଶାନ୍ତି ରକ୍ଷା ପାଇଁ ଶହୀଦ ହୋଇଥିବା ପୁଲିସ ଓ କର୍ମଚାରୀଙ୍କ ପ୍ରତି ସମ୍ମାନ ଜଣାଇବା ସହ ଡାଗୁଡୁ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ । ସାମାଜିକ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ କେନ୍ଦୁଝର ପୁଲିସର ଦାୟିତ୍ୱବୋଧକୁ ନେଇ ସେ ସନ୍ତୋଷ ପ୍ରକାଶ କରିବା ସହ ନୀତି ଓ ଆଦର୍ଶ ମନୋଭାବ ନେଇ ସମସ୍ତ କର୍ମଚାରୀ ଏକଜୁଟ ହୋଇ କାର୍ଯ୍ୟ ସମ୍ପାଦନ ପାଇଁ ଆହ୍ୱାନ ଦେଇଥିଲେ । ଏକ ପ୍ରଗତିଶୀଳ, ଗଣତାନ୍ତ୍ରିକ ସମାଜରେ ପୁଲିସ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ସଂଗଠନ । ଆଇନର ଶାସନ ସହ ଏକ ସୁସ୍ଥ ସମାଜ ଗଠନ ଦିଗରେ ପୁଲିସର ବିଶେଷ ଭୂମିକା ରହିଛି । ଅର୍ଥନୈତିକ ପ୍ରଗତି ଓ ବୈଷୟିକ ଜ୍ଞାନକୌଶଳର ବିକାଶ ପୁଲିସ ପାଇଁ ନୂଆ ଆହ୍ୱାନ ସୃଷ୍ଟି କରିଛି । ମହିଳା ଓ ଶିଶୁଙ୍କ ସୁରକ୍ଷା ସହ ସମାଜର ସବୁଠାରୁ ତଳସ୍ତରରେ ଥୂବା ଲୋକମାନେ ଯେପରି ସହଜରେ ନ୍ୟାୟ ପାଇପାରିବେ, ସେଥିପ୍ରତି ପୁଲିସ ପ୍ରାଧାନ୍ୟ ଦେବା ଉଚିତ୍ ବୋଲି ସେ ମତ ଦେଇଥିଲେ । ଏହି ଅବସରରେ ଉଲ୍ଲେଖନୀୟ ସେବା ପାଇଁ ୬ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା । ୨୦୨୪ ବର୍ଷ ପାଇଁ ଶ୍ରେଷ୍ଠ ଏସ୍ଆଇ ଭାବେ ତରଣୀସେନ ବାଗ, ଶ୍ରେଷ୍ଠ ଏଏସ୍ଆଇ ଭାବେ ବିମଳ ଗିରି, ଶ୍ରେଷ୍ଠ ହାବିଲଦାର ଭାବେ ରଜତ ମହାନ୍ତ, ଶ୍ରେଷ୍ଠ ଏପିଆରଆର୍ ଭାବେ କନଷ୍ଟେବଳ ଚିନ୍ମୟନନ୍ଦ ସାହୁ, ଶ୍ରେଷ୍ଠ ଟ୍ରାଫିକ୍ କନଷ୍ଟେବଳ ଭାବେ ପ୍ରମୋଦ ବେହେରା, ଶ୍ରେଷ୍ଠ ଓଆର କନଷ୍ଟେବଳ ଚିତ୍ତରଞ୍ଜନ ସାହୁଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ୍ଡି ଧନରାଜ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ, ଜ୍ୟୋତିର୍ମୟୀ ଭୁକ୍ତା, ପ୍ରତୁ୍ୟଷ ମହାପାତ୍ର ଓ ହରପ୍ରିୟା ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।