ସୃଷ୍ଟି ନିର୍ଣ୍ଣାୟକ ଦେବଶିଳ୍ପୀ ବିଶ୍ୱକର୍ମା

ଡକ୍ଟର ଲକ୍ଷ୍ମଣ ସାହୁ  : 
ବିଶ୍ୱକର୍ମା ବୈଦିକ ଓ ପୌରାଣିକ ଦେବତା ଅଟନ୍ତି  । ବେଦରେ ସେ କେତେବେଳେ ସୂର୍ଯ୍ୟଙ୍କ ସହିତ ଏକ ହୋଇଛନ୍ତି  ପୁଣି କେତେବେଳେ ଅଗ୍ନିଙ୍କ ସହିତ ଏକ ହୋଇ ଗଲେଣି  । ଋଗବେଦର ଦଶମ ମଣ୍ଡଳରେ ଦୁଇଟି ସୂକ୍ତରେ ବିଶ୍ୱକର୍ମାଙ୍କୁ ସୃତି କରାଯାଇଛି  । କୁହାଯାଇଛି ବିଶ୍ୱକର୍ମା ବିଶ୍ୱଭୁବନରେ ଯଜ୍ଞ କରନ୍ତି - ସେ ହେତା, ଋଷି, ସେ ଆମ୍ଭ ମାନଙ୍କର ପିତା – "ଯ ଇମା ବିଶ୍ୱଭୁବନାନି ଜୁହୃଦୃଷି ହେତା ନ୍ୟସାଦତ୍ ପିତା ନଃ ।"   ସେ ପୁଣି ବିଶ୍ୱଚକ୍ଷୁ, ଭୂମି ସୃଷ୍ଟି କରିଛନ୍ତି  । ମହତ୍ତ୍ୱ ଦ୍ୱାରା ଆକାଶକୁ ବିସ୍ତୃତ କରିଛନ୍ତି  । ସେ ହିଁ ସହସ୍ରଶୀଷୀ ବିରାଟପୁରୁଷ - ସର୍ବତ୍ର ହିଁ ତାଙ୍କ ମୁଖ, ଚକ୍ଷୁ, ବାହୁ ଓ ପଦ  । ସେ ଆକାଶ ପୃଥିବୀର ସ୍ରଷ୍ଟା  । ପୁନର୍ବାର ସେ ବାଚସ୍ପତି ବା ବାକ୍ୟର ଅଧିପତି  । ସେ ସବୁ କିଛି ନିର୍ମାଣ କରନ୍ତି, ଧାରଣ କରନ୍ତି ଓ ଦର୍ଶନ ମଧ୍ୟ କରନ୍ତି  । ଅଥର୍ବ ବେଦରେ କୁହାଯାଇଛି, ବିଶ୍ୱକର୍ମା ବିଶ୍ୱ ଦେବ, ତୁମେ ମହାନ୍, ତୁମେ ଇନ୍ଦ୍ରଙ୍କୁ ଅଭିଭୂତ କରିଛ  । ତୁମେ ସୂର୍ଯ୍ୟଙ୍କୁ ପ୍ରକାଶିତ କରୁଥାଅ  । ଭାଷ୍ୟକାର ଯାସ୍କ କୁହନ୍ତି ,ବିଶ୍ୱକର୍ମା ସର୍ବସ୍ୱ କର୍ତ୍ତା  । ଶୁକ୍ଳ ଯଜୁର୍ବେଦ ବିଶ୍ୱକର୍ମାଙ୍କୁ ଦକ୍ଷିଣା ବୋଲି କହିଛି   । ଦକ୍ଷିଣ ଶବ୍ଦର ଅର୍ଥ ପ୍ରସନ୍ନ  ।
 ଋଷି ବିଶ୍ୱସ୍ରଷ୍ଟା ବିଶ୍ୱକର୍ମାଙ୍କର ପ୍ରସନ୍ନତା କାମନା କରିଛନ୍ତି  । ଯଜ୍ଞାଗ୍ନିର ଗୋଟିଏ ନାମ ଦକ୍ଷିଣାଗ୍ନି  । ଆଚାର୍ଯ୍ୟ ମହୀଧର କୁହନ୍ତି , " ଦକ୍ଷିଣା ବିଶ୍ୱକର୍ମା ବାୟୁ - ବିଶ୍ୱ କରୋତି ସର୍ବ ସୃଜତୀତି ବିଶ୍ୱକର୍ମା ବାୟୁରୟଂ ଦକ୍ଷିଣା, ଦକ୍ଷିଣସ୍ୟା ଦିଶି ଆର୍ଯ୍ୟବର୍ଷାତ୍ ଭୂୟୋ ବାଚି  ।" ବୃହଦେବ ତାଙ୍କ ମତରେ ବିଶ୍ୱକର୍ମା ବର୍ଷାକାଳୀନ ସୂର୍ଯ୍ୟ  । ସେ କହନ୍ତି ଖ୍ରୀଷ୍ଟମାସ ଅତିକ୍ରାନ୍ତ ହେଲେ ଯାହାଙ୍କ ବିନା ପୃଥିବୀ ରହିପାରେନା, ସେ ବିଶ୍ୱର କର୍ମ (କୃଷିକର୍ମ) ସୃଷ୍ଟି କରନ୍ତି , ଏହି ଦୃଷ୍ଟିରୁ ତାଙ୍କୁ ବିଶ୍ୱକର୍ମା କୁହାଯାଏ  । “ବିଶ୍ୱ କର୍ମେଷ ତେନ ହଃ’  । ସେଥିପାଇଁ ବୋଧହୁଏ ବର୍ଷା ଆଗମନେ ଭାଦ୍ରବ ସଂକ୍ରାନ୍ତିରେ ବିଶ୍ୱକର୍ମାଙ୍କୁ ପୂଜା କରାଯାଇଥାଏ  । ସେ ବର୍ଷାର ଦେବତା ଇନ୍ଦ୍ର ହୋଇଥିବାରୁ ତାଙ୍କର ବାହନ ହସ୍ତୀ  ।
ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା  । ପୁରାଣରେ  ଉଲ୍ଲେଖ ଅଛି ସେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ  । ମତାନ୍ତରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ  । ଚତୁର୍ଭୁଜ ବିଶ୍ୱକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦେଖାଯାଏ  । ଦିବ୍ୟ ବସ୍ତ୍ର ପରିହିତ ଗଳାରେ ରନôହାର, ଅନୁପମ ରନôଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ ଶୋଭା ପାଇଥାଏ  । ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ସର୍ବଦା ପ୍ରତିଭାତ ହୁଅନ୍ତି  । ଅତ୍ୟନ୍ତ ସୁନ୍ଦର ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ଅଟନ୍ତି  । ବିଶ୍ୱକର୍ମା ସକଳ ଶିଳ୍ପକଳାର ସୃଷ୍ଟିକର୍ତ୍ତା  । କୁହାଯାଏ ବ୍ରହ୍ମାଙ୍କ ନିଦେ୍ର୍ଦଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ  । ଦେବତାମାନଙ୍କର ସମସ୍ତ ଶସ୍ତ୍ର ବିମାନ ଆଦି ତାଙ୍କଦ୍ୱାରା ବିନିର୍ମିତ  । ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ  ।
ମଣିଷର କାର୍ଯ୍ୟର ପାର୍ଥକ୍ୟରେ ଯେପରି ଜାତିର ସୃଷ୍ଟି ସେହିପରି ଭଗବାନଙ୍କୁ ମଧ୍ୟ ନାନା ରୂପରେ ପରିକଳ୍ପନା କରାଯାଇଛି  । ଯେତେବେଳେ ସୃଷ୍ଟି କରନ୍ତି ସେତେବେଳେ ସେ ବ୍ରହ୍ମା, ଯେତେବେଳେ ପାଳନ କରନ୍ତି ସେତେବେଳେ ବିଷ୍ଣୁ, ଯେତେବେଳେ ସଂହାର କରନ୍ତି ସେତେବେଳେ ସେ ରୁଦ୍ର ସେହିପରି ସେ ଯେତେବେଳେ ଶିଳ୍ପୀ ସେତେବେଳେ ସେ ବିଶ୍ୱକର୍ମା ବୋଲି ପରିଚିତ ହୁଅନ୍ତି  । ବିଶ୍ୱକର୍ମା ଅନ୍ୟ ଅର୍ଥରେ ବିଶ୍ୱର ସୃଷ୍ଟିକର୍ତ୍ତା  । ଅନନ୍ତଶାୟୀ ନାରାୟଣଙ୍କ ନାଭିକମଳରୁ ଉତ୍ପନ୍ନ ହୋଇଥିବା ତ୍ରିକାଳଦର୍ଶୀ ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା  । ଏହି କାରଣରୁ ବିଶ୍ୱକର୍ମାଙ୍କୁ ବ୍ରହ୍ମାରୂପେ କଳ୍ପନା କରାଯାଇ ପୂଜା କରାହୁଏ  ।
ଶାସ୍ତ୍ରରେ ବିଶ୍ୱକର୍ମାଙ୍କ ପାଞ୍ଚ ଅବତାର କଥା ଉଲ୍ଲେଖ ରହିଛି  । ଯଥା - ବିରାଟ ବିଶ୍ୱକର୍ମା , ଧର୍ମବଂଶୀ ବିଶ୍ୱକର୍ମା , ଅଗ୍ନିବଂଶୀ ବିଶ୍ୱକର୍ମା , ସୁଧନ୍ୱା ବିଶ୍ୱକର୍ମା ଓ ଭୃଗୁବଂଶୀ ବିଶ୍ୱକର୍ମା  । ସ୍କନ୍ଧ ପୁରାଣ ଅନୁଯାୟୀ ବ୍ରହ୍ମା ସ୍ୱରୂପ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ମୁଖ  । ବିଶ୍ୱକର୍ମାଙ୍କର ପଞ୍ଚମୁଖ ତଥା ତାଙ୍କର ପଞ୍ଚପୁତ୍ରଙ୍କ ନାମ ହେଲା - ମନୁ, ମୟ, ତ୍ୱଷ୍ଟା, ଶିଳ୍ପୀ ଓ ଦେବଜ୍ଞ ଏମାନେ ସମସ୍ତେ ସମାଜର ସେବାକାରୀ ପ୍ରଚଣ୍ଡ ଦିବ୍ୟ ମହର୍ଷି ଅଟନ୍ତି  । ଏହି ପଞ୍ଚମୁଖର ନାମକରଣ ଅନୁସାରେ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ପୁତ୍ର ସଂସାରର ହିତ ପାଇଁ ତଥା ଯାନ୍ତ୍ରିକ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରିଥିଲେ  ।
ଦେବଶିଳ୍ପୀ ବିଶ୍ୱକର୍ମା କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟରେ ଆବିର୍ଭୂତ ହୋଇଥିଲେ  । ‘ବିଶ୍ୱ ସ୍ୱସ୍ୟ କର୍ମନ୍’ ଇତି ବିଶ୍ୱକର୍ମା  । ବିଶ୍ୱକର୍ମା ମଧ୍ୟ ତ୍ୱଷ୍ଟା ନାମରେ ବିଦିତ  । ବାମନ ପୁରାଣ ସେ ଚିତ୍ରଙ୍ଗଦାଙ୍କ ପିତା ଥିଲେ  । ‘ଚିତ୍ରଙ୍ଗଦାୟଃ ପିତରଂ ମାଂ ତ୍ୱଷ୍ଟାରଂ ତପୋଧନେ’ (ବାମନ ପୁରାଣ - ୬୫ /୧୦୨)  । ତ୍ୱଷ୍ଟା - ତ୍ୱକ୍ଷତଚ୍ ଅର୍ଥାତ୍ ତ୍ୱଷ୍ଟା ବଢ଼ାଇ, ନିର୍ମାତା, କାରିଗର ଆଦି ଅର୍ଥରେ ବ୍ୟବହୃତ ହେବା ସହିତ ବିଶେଷକରି ବିଶ୍ୱକର୍ମା ଅର୍ଥରେ ପ୍ରଜୁଯ୍ୟ  । ବ୍ରହ୍ମ ବୈବର୍ତ୍ତ ପୁରାଣରେ ବିଶ୍ୱକର୍ମାଙ୍କ ବଂଶାନୁଚରିତ ବିବର୍ଣ୍ଣିତ  । ପୁନଶ୍ଚ ଉକ୍ତ ପୁରାଣରୁ ଜଣାଯାଏ ଯେ, ଘୃତାଚୀ ସ୍ୱର୍ଗବେଶ୍ୟା ହିଁ ବିଶ୍ୱକର୍ମାଙ୍କ ପନôୀ ଥିଲେ  । ‘ଅମର କୋଷ’ ବର୍ଣ୍ଣନା ଅନୁସାରେ ସ୍ୱର୍ଗ ବେଶ୍ୟାମାନଙ୍କ ମଧ୍ୟରେ ଘୃତାଚୀ ଅନ୍ୟତମ ଥିଲେ  ।
 ବ୍ରହ୍ମବୈବର୍ତ୍ତ ପୁରାଣମତେ ଏକଦା ଘୃତାଚୀ କାମଦେବଙ୍କ ନିକଟକୁ ରମଣାର୍ଥେ ପୁଷ୍କର ତୀର୍ଥକୁ ଗମନ କରିବା  ବେଳେ ଦେବଶିଳ୍ପୀ ବିଶ୍ୱକର୍ମା ଭେଟିଥିଲେ  । ଘୃତାଚୀ ସୌନ୍ଦର୍ଯ୍ୟରେ ବିମୁଗ୍ଧ ହୋଇ ବିଶ୍ୱକର୍ମା ଆସକ୍ତ ହୋଇଥିଲେ  । ଘୃତାଚୀ କିନ୍ତୁ କାମଦେବଙ୍କ ସହ ରମଣ ଉଦେ୍ଦଶ୍ୟରେ ଥିବାରୁ ବାରଣ କଲେ  । କହିଲେ “ ସ୍ୱର୍ଗର ନିୟମ ଅନୁସାରେ ଯେଉଁ ଦିନ ଦେବତାଙ୍କ ପ୍ରତି ସ୍ୱର୍ଗବେଶ୍ୟାମାନଙ୍କ ଅଭିଳାଷ ଥାଏ ସେଦିନ ସେହି ନିର୍ଦ୍ଦିଷ୍ଟ ଦେବତା ହିଁ ପତି ସ୍ୱରୂପ  । ଏଣୁ କାମଦେବ ମୋ ପକ୍ଷେ ଆଜି ଦିନର ପତି ସ୍ୱରୂପ  । ତୁମେ ବିଶ୍ୱକର୍ମା ମଧ୍ୟ କାମଦେବଙ୍କ ଶିଷ୍ୟ  । ଏଣୁ ଗୁରୁପନôୀ ହରଣ କରିବା ଅବିଧେୟ  । ଆସନ୍ତାକାଲି ତୁମେ ମୋର ପତି ହେବ ନିଶ୍ଚୟ  ।” ଘୃତାଚୀଙ୍କ ଘୋର ବାରଣ ହେତୁ ବିଶ୍ୱକର୍ମା କ୍ରୋଧାନ୍ୱିତ ହୋଇ ଘୃତାଚୀଙ୍କୁ ମର୍ତ୍ତ୍ୟରେ ଶୂଦ୍ରନାରୀ ଭାବେ ଜନ୍ମହେବାକୁ ଅଭିଶାପ ଦେଲେ  । ଘୃତାଚୀ ମଧ୍ୟ ବିଶ୍ୱକର୍ମାଙ୍କୁ ମର୍ତ୍ତ୍ୟରେ ମାନବ ହୋଇ ଜନ୍ମହେବାକୁ ପ୍ରତି ଅଭିଶାପ ଦେଲେ  । ବିଶ୍ୱକର୍ମା ଘୃତାଚୀର ଅଭିଶାପ ପ୍ରସଙ୍ଗ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ଜଣାଇଲେ ଓ ତାହାର ନିରାକରଣ ବିଷୟରେ ପ୍ରଶ୍ନକଲେ  । କିନ୍ତୁ ବ୍ରହ୍ମା ଘୃତାଚୀର ଭିନ୍ନ ବୃତ୍ତି ସତ୍ତ୍ୱେ୍ୱ ସ୍ୱର୍ଗରେ ପତିବ୍ରତା ସତୀର ମାନ୍ୟତା ଦେବାରୁ ତାହାର ଅଭିଶାପ ନିଷ୍ଫଳ ନୁହେଁ ବୋଲି ବିଶ୍ୱକର୍ମାଙ୍କୁ କହିଲେ  ।
ପରବର୍ତ୍ତୀ କାଳରେ ବିଶ୍ୱକର୍ମା ବ୍ରାହ୍ମଣ କୁଳରେ ଜନ୍ମ ନେଇଥିଲେ ଓ ତାଙ୍କର ଜାତିସ୍ମର ଥିବାରୁ ସେ ସବୁକଥା ଜାଣି ପାରୁଥିଲେ  । ରାଜାଙ୍କ ଆଦେଶରେ ସେ ପ୍ରୟାଗ ତୀର୍ଥରେ ବହୁ ଦେବାଦେବୀଙ୍କ ମନ୍ଦିର ନିର୍ମାଣ କରୁଥିବା ବେଳେ ଏକଦା ସେହି ସମୟରେ ଗଙ୍ଗାରେ ସ୍ନାନ କରୁକରୁ ଏକ ଅନିନ୍ଦ୍ୟ ରୂପବତୀ କନ୍ୟାକୁ ଦେଖିଲେ ଜାଣିପାରିଲେ ସେ ଘୃତାଚୀ ବୋଲି  । ଘୃତାଚୀ ମଧ୍ୟ ବିଶ୍ୱକର୍ମାଙ୍କୁ ଜାଣିପାରିଲେ  । ବ୍ରହ୍ମାଙ୍କ କଥା ଅନୁସାରେ ଉଭୟ ଗଙ୍ଗାତୀରସ୍ଥ ମଳୟ ବନରେ ବିବାହ କରି ଏକାଠି ବାରବର୍ଷ ବିତାଇଲେ  । ତାଙ୍କଠାରୁ ନଅଟି ସନ୍ତାନ ଉତ୍ପତ୍ତି ହୋଇଥିଲେ  । ପୁତ୍ରମାନଙ୍କ ମଧ୍ୟରେ ମାଳାକାର, କର୍ମକାର, କଂସାରି, ଶଙ୍ଖାରି, କୁମ୍ଭକାର, କୁନ୍ଦବିକ, ସୂତ୍ରଧର, ସ୍ୱର୍ଣ୍ଣକାର ଓ ଚିତ୍ରକର  । ସେହି ପୁତ୍ରଙ୍କ ମଧ୍ୟରୁ ମାଳାକାରଙ୍କୁ ପୁଷ୍ପଶିଳ୍ପ, କର୍ମକାରଙ୍କୁ ଲୌହ ଶିଳ୍ପ, କାଂସ୍ୟକାରଙ୍କୁ କଂସା ଶିଳ୍ପ, ସୂତ୍ରଧରଙ୍କୁ କାଠ ଶିଳ୍ପ, ତନ୍ତୀଙ୍କୁ ବୟନଶିଳ୍ପ, କୁମ୍ଭକାରଙ୍କୁ ମୃତ୍ତିକା ଶିଳ୍ପ, ସ୍ୱର୍ଣ୍ଣକାରଙ୍କୁ ଅଳଙ୍କାର ଓ ଚିତ୍ରକାରଙ୍କୁ ଅଙ୍କନ ଶିଳ୍ପ ବିଦ୍ୟା ଶିକ୍ଷା ଦେଇ ବିଶ୍ୱକର୍ମା ସେମାନଙ୍କୁ ସୁଶିକ୍ଷିତ କରାଇଥିଲେ  । କନ୍ୟା ଚିତ୍ରାଙ୍ଗଦା ମଧ୍ୟ ପିତାଙ୍କଠାରୁ ଶିଲେଇ ଶିଳ୍ପ ଶିକ୍ଷାଦାନ ପାଇଥିଲେ  ।
 ବେଦର ସେହି ବିଶ୍ୱସ୍ରଷ୍ଟା ପୁରାଣର ସେହି ବିଶ୍ୱକର୍ମାଙ୍କୁ ସାଧାରଣତଃ ଦେବଶିଳ୍ପୀ ଭୂମିକାରେ ସେ  । ସେ ‘କର୍ତ୍ତାଶିଳ୍ପ-ସହସ୍ରାଣମ୍’ ସହସ୍ର ସହସ୍ର ଶିଳ୍ପର ସେ ଅଧିକର୍ତ୍ତା  । ସେ ‘ଦେବାନାଂ କାର୍ଯ୍ୟସାଧକଃ’ – ଦେବତା ମାନଙ୍କର ଶିଳ୍ପ କାର୍ଯ୍ୟ ସାଧକ  । ବିଶ୍ୱକର୍ମାଙ୍କ ଜନ୍ମ କଥା ବିଭିନ୍ନ ପୁରାଣ ଭିନ୍ନଭିନ୍ନ ମତ ରହିଛି  । ବ୍ରହ୍ମ ବୈବର୍ତ୍ତ ପୁରାଣ କହେ ବ୍ରହ୍ମାଙ୍କ ନାଭିଦେଶରୁ ବିଶ୍ୱକର୍ମାଙ୍କ ଜନ୍ମ  । କିନ୍ତୁ ବେଦରେ ବିଶ୍ୱକର୍ମାଙ୍କୁ ଅଜାତ ପୁରୁଷ ବା ସନାତନ ପୁରୁଷ ରୂପେ ବର୍ଣନା କରିଛି  । ପୁରାଣର ବିଶ୍ୱକର୍ମା ବିମାନ ନିର୍ମାତା ଓ କାରୁକାର ଓ ଚିତ୍ରଶିଳ୍ପକାରକ  । ସେ ଅଳଙ୍କାର ଓ ଭୂଷଣ ପ୍ରସ୍ତୁତକାରକ  । ମାନବ ଶିଳ୍ପୀମାନେ ବିଶ୍ୱକର୍ମାଙ୍କ ପ୍ରବର୍ତ୍ତିତ ଶିଳ୍ପ ସାଧନାକୁ ଉପଜୀବ୍ୟ କରି ବଞ୍ଚି ରହିଛନ୍ତି  । କୁଞ୍ଜର ପର୍ବତରେ ଅବସ୍ଥିତ ଅଗସ୍ତ୍ରୀଙ୍କ ଭବନ, କୁବେରଙ୍କ ଅଳକାପୁରୀ, ରାବଣର ସ୍ୱର୍ଣ୍ଣଲଙ୍କା, ଯଦୁପତି ଶ୍ରୀକୃଷ୍ଣଙ୍କର ସୁରକ୍ଷିତ ସୁରମ୍ୟ ଓ ସୁବ୍ୟବସ୍ଥିତ ରାଜଧାନୀ ଦ୍ୱାରକା ବିଶ୍ୱକର୍ମାଙ୍କ ବାସ୍ତୁବିଦ୍ୟା ଓ ନଗର ପରିକଳ୍ପନା ବିଷୟକ ଜ୍ଞାନର ଉଜ୍ଜଳ ଦୃଷ୍ଟାନ୍ତ ଏସବୁ  । ବିଶ୍ୱକର୍ମାଙ୍କ ବିରଚିତ ଭାସ୍କର୍ଯ୍ୟ ଶିଳ୍ପର ଅନୁପମ ଦର୍ଶନ - ତିଳୋତ୍ତମା  । ଦେବଦେଶୀ ସୁନ୍ଦ ଓ ଉପସୁନ୍ଦଙ୍କୁ ବିନାଶ କରିବା ନିମିତ୍ତ ବିଶ୍ୱର ସମସ୍ତ ସୌନ୍ଦର୍ଯ୍ୟ ତିଳ  ତିଳ କରି ଆହରଣ ପୂର୍ବକ ସେ ଏହି ଲାବଣ୍ୟବତୀ ତିଳୋତ୍ତମାଙ୍କୁ ସର୍ଜନା କରିଥିଲେ  । ଅସୁର ଭ୍ରାତୃଦ୍ୱୟ ପରସ୍ପର ଯୁଦ୍ଧ କରି ସେହି ରୂପସୀର ଅନଳେ ଦଗ୍ଧ ହୋଇଛନ୍ତି  । ମସô୍ୟପୁରାଣରେ ଅନୁସାରେ କୂପ ଓ ତଡ଼ାଗାଦି ଖନନ, ପ୍ରତିମାଦି ଗଠନ, ଗୃହ ଓ ଉଦ୍ୟାନର ପରିକଳ୍ପନା ସମସ୍ତ ଶିଳ୍ପର ଉଦ୍ଭାବକ ଓ କାର୍ଯ୍ୟକାରକ ବିଶ୍ୱକର୍ମା  । ଦେବତାମାନଙ୍କ ନୂତନ ମାରଣାସ୍ତ୍ର ବିଶ୍ୱକର୍ମା ପ୍ରସ୍ତୁତ କରିଛନ୍ତି  । ତାଙ୍କ ନିର୍ମିତ ଧନୁରେ ଶଙ୍କର ତ୍ରିପୁରାସୁରକୁ ସଂହାର କରିଥିଲେ, ପର୍ଶୁରାମ ଆୟତଧନୁରେ ଏକୋଇଶଥର ପୃଥିବୀ ନିଃକ୍ଷେତ୍ରିୟ କରିଥିଲେ, ସେହି ଦୁଇଟି ଧନୁ ବିଶ୍ୱକର୍ମାଙ୍କ ଦ୍ୱାରା ନିର୍ମାଣ ହୋଇଥିଲା  । ରାମାୟଣ ବର୍ଣ୍ଣନା ଅନୁସାରେ ରାବଣର ସ୍ୱର୍ଣ୍ଣ ଲଙ୍କାପୁର, ହରିବଂଶ ବର୍ଣ୍ଣନା ଅନୁସାରେ ଦ୍ୱାରିକାଧାମ, ସ୍କନ୍ଧପୁରାଣ ବର୍ଣ୍ଣନା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀ ବିଗ୍ରହ ଆଦି ବିଶ୍ୱକର୍ମାଙ୍କଦ୍ୱାରା ବିନିର୍ମିତ ହୋଇଛି  । କିମ୍ବଦନ୍ତୀ ଅନୁଯାୟୀ ଜଗନ୍ନାଥଙ୍କ ଦାରୁ ମୂର୍ତ୍ତି ବିଶ୍ୱକର୍ମା ନିର୍ମାଣ କରିଥିଲେ  । କୁହାଯାଏ ଭକ୍ତର ଭଗବାନ ସ୍ୱୟଂ ବଢେଇ ରୂପରେ ଭକ୍ତର ମନୋବା‚ା ପୂରଣ କରିବା ପାଇଁ ଆସି ନିଜର ମୂର୍ତ୍ତିକୁ ନିଜେ ଗଢ଼ିଥିଲେ ବୋଲି, ଓଡ଼ିଶାରେ ସାଧାରଣତଃ ଏହି ବୁଢ଼ା ବଢେଇ ରୂପକୁ ହିଁ ବିଶ୍ୱକର୍ମାଙ୍କ ରୂପ ବୋଲି କଳ୍ପନା କରାଯାଏ  ।ନିଷ୍କର୍ଷରେ କେବଳ କହିହେବ ସେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ସ୍ୱରୂପ  । ସେ ଏଭଳି ଦେବତା, ଦେବଶିଳ୍ପୀ, ମହାଭାଗ ଦେବତାମାନଙ୍କର କାରୁକାର୍ଯ୍ୟ ସାଧକ, ସର୍ବାଭିଷ୍ଟ ପ୍ରଦାନକାରୀ ବିଶ୍ୱକର୍ମନ୍, ଏ ସୃଷ୍ଟିର ବ୍ରହ୍ମାରୂପୀ ବିଶ୍ୱକର୍ମା  । ହିନ୍ଦୁଙ୍କ ଆରାଧ୍ୟ ଦେବତା , ସୁଚିତ୍ରକର୍ମକାରକ  । ତେଣୁ ପୁରାଣର ପ୍ରସିଦ୍ଧ ଯନ୍ତ୍ରୀ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପ୍ରତି କୃତଜ୍ଞତା ଓ ଶ୍ରଦ୍ଧାଞ୍ଜଳୀର ନିଦର୍ଶନ ସ୍ୱରୂପ ଏଇ ଉସôବ ପାଳନ କରାଯାଏ  । " ବିଶ୍ୱକୃତ୍ ବିଶ୍ୱଧୃକ୍ ବାସନାମାନଦଣ୍ଡଧୃକ  । ଓଁ ବିଶ୍ୱକର୍ମଣେ ନମଃ  ।’ 
 କଟକ -୪ , 
ଦୂରଭାଷ : ୯୦୪୦ ୧୫୧୪୭୫