ଜିଲ୍ଲା ବନ୍ଦ ଡାକରା ପାଇଁ ପ୍ରସ୍ତୁତି ବୈଠକ

 କେନ୍ଦ୍ରାପଡା: କେନ୍ଦ୍ରାପଡାରେ ଦୀର୍ଘଦିନ ଧରି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ପ୍ରତିଷ୍ଠା ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଦୀର୍ଘଦିନ ଧରି ଆନେ୍ଦାଳନ ଚାଲୁ ରହିଛି । ରାଜ୍ୟର ୧୭ଟି ଜିଲ୍ଲାରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ଘୋଷଣା ଏବଂ କାର୍ଯ୍ୟକାରୀ ହୋଇଥିବାବେଳେ କେନ୍ଦ୍ରାପଡା ଜିଲ୍ଲା ସେଥିରୁ ବାଦ୍ ପଡିଛି । ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ଲୋକସଭା ସାଂସଦ ଏବଂ ମହାକାଳପଡା ବିଧାୟକଙ୍କୁ ଏ ସଂପର୍କରେ ଜଣାଇଥିଲେ ମଧ୍ୟ ଜମ୍ବୁ ମହୋତ୍ସବ ଅବସରରେ ମନ୍ତ୍ରୀମାନେ କେନ୍ଦ୍ରାପଡାରେ ମେଡିକାଲ୍ କଲେଜ୍ ହେବ ବୋଲି ଘୋଷଣା କରିଥିଲେ । ବିଧିବଦ୍ଧ ଭାବେ ସେଥିପାଇଁ ନିଷ୍ପତ୍ତି ନିଆଯାଇ ନାହିଁ । ଏହି ପରିପ୍ରେକ୍ଷୀରେ ଆସନ୍ତା ଜୁଲାଇ ୨୩ ତାରିଖ ଦିନ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଆଜି ପ୍ରେସ୍ କ୍ଲବଠାରେ କମିଟିର ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଂପାଦକ ରମଣୀ ରଞ୍ଜନ ରାଉତରାୟ, କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ଗୟାଧର ଧଳ, ପ୍ରଫୁଲ୍ଲ ଦାସ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ଫକୀର ଚରଣ ଖଟୁଆ, ମୁକ୍ତାର ଖାଁ, ଆଦିକନ୍ଦ ରାଉଳ, ସୂର୍ଯ୍ୟକାନ୍ତ ପରିଡା, ଡଃ. ଉପେନ୍ଦ୍ର ନାଥ ପ୍ରଧାନ, ସୁହାନା ବେଗମ୍ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ୨୩ ତାରିଖ ବନ୍ଦ ଡାକରାକୁ ସଫଳ କରିବା ପାଇଁ ମତାମତ ରଖିଥିଲେ ।