ପର୍ଯ୍ୟବେକ୍ଷକ ଓ ପ୍ରାର୍ଥୀଙ୍କ ଉପସ୍ଥିତିରେ ରାଣ୍ଡାମାଇଜେସନ୍‌


 କେନ୍ଦ୍ରାପଡ଼ା,: ଭାରତର ନିର୍ବାଚନ କମିସନ୍‌ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପର୍ଯ୍ୟବେକ୍ଷକ, ସମସ୍ତ ରାଜନୈତିକ ଦଳ ଓ ସାଧାରଣ ନିର୍ବାଚନ-୨୦୨୪ରେ ପ୍ରତିଦ୍ୱିନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଉପସ୍ଥିତିରେ ବାଲାଟ୍‌ ୟୁନିଟ୍‌ (ବିୟୁ), କଣ୍ଟ୍ରୋଲ ୟୁନିଟ୍‌(ସିୟୁ) ଓ ଭିଭିପାଟ୍‌ର ଦ୍ୱିତୀୟ ପର୍ଯ୍ୟାୟ ରାଣ୍ଡମାଇଜେସନ୍‌ ରବିବାର ଶେଷ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଣ୍ଡମାଇଜେସନ୍‌ ପ୍ରକ୍ରିୟାରେ ସାଧାରଣ ପର୍ଯ୍ୟବେକ୍ଷକ ଭରତ କୁମାର ଭାସବା ଓ ସାକେତ ମାଲବିୟ, ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭୁବନେଶ୍ୱରୀ ଏସ୍‌, ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଓ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଉପସ୍ଥିତିରେ ଏହା ସମ୍ପାଦନ କରାଯାଇଥିଲା । ପ୍ରତିଟି ବାଲାଟ୍‌ ୟୁନିଟ୍‌, କଂଟ୍ରୋଲ ୟୁନିଟ୍‌ ଓ ଭିଭିପାଟ୍‌ର କ୍ରମିକ ନମ୍ବରକୁ ର‍୍ୟାଣ୍ଡମ୍‌ଲି ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର ଓ ମହାକାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍‌ ସହ ଅନ୍‌ଲାଇନ୍‌ ମାଧ୍ୟମରେ ସ୍ୱଚ୍ଛ ଓ ନିରପେକ୍ଷ ଭାବରେ ସଂଯୋଗ କରାଯାଇଥିଲା । ସୂଚନାଯୋଗ୍ୟ ଗୋଟିଏ ବୁଥ୍‌ ପାଇଁ ବାଲାଟ୍‌ ୟୁନିଟ୍‌, କଂଟ୍ରୋଲ ୟୁନିଟ୍‌ ଓ ଭିଭିପାଟ୍‌ର ଆବଶ୍ୟକତା ରହିଥାଏ । ମାତ୍ର ବିୟୁ/ସିୟୁ/ଭିଭିପାଟ୍‌ କେଉଁ କ୍ରମିକ ନମ୍ବର କେଉଁ ବୁଥ୍‌କୁ ଯିବ ତାହା ମନୁଷ୍ୟକୃତ ହେଲେ ନିରପେକ୍ଷ ହୋଇନପାରିବାର ସମ୍ଭାବନା ଥିବାରୁ ତାହାକୁ ଅନ୍‌ଲାଇନ୍‌ ଯୋଗେ କମ୍ପୁଟର୍‌ରେ କରିବାକୁ ନିର୍ଦ୍ଦେଶ ରହିଛି । ପ୍ରଥମ ରାଉଣ୍ଡରେ ବିୟୁ/ସିୟୁ/ଭିଭିପାଟ୍‌ କ୍ରମିକ ନମ୍ବର ଗୋଟିଏ ବୁଥ୍‌ ପାଇଁ ଯାହା ରହିଥିବ ପରବର୍ତ୍ତୀ ରାଉଣ୍ଡରେ ତାହା ଅନ୍ୟତ୍ର ପରିବର୍ତ୍ତନ ହୋଇଥାଏ । ଅର୍ଥାତ୍‌ କେଉଁ କ୍ରମିକ ନମ୍ବର କେଉଁ ବୁଥ୍‌କୁ ଯିବ ତାହା କେହି କହିପାରିବେ ନାହିଁ । ଏହି ରାଣ୍ଡମାଇଜେସନ୍‌ କାର୍ଯ୍ୟକ୍ରମରେ ଅତିରିକ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ପୀତାମ୍ବର ସାମଲ, ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ନୀଲୁ ମହାପାତ୍ର, କେନ୍ଦ୍ରାପଡ଼ା ଓ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ରବିନ୍ଦ୍ର କୁମାର ପ୍ରଧାନ, ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର  ଅଶୋକ କୁମାର ଦାଶ, ଉପ-ଜିଲ୍ଲା ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ପଣ୍ଡା, କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଏଆର୍‌ଓ, ଜିଲ୍ଲା ଇ-ଗଭର୍ଣ୍ଣାସ୍‌ ପରିଚାଳକ ଜ୍ଞାନ ରଞ୍ଜନ ସେଠୀ, ଡେପୁଟି କଲେକ୍ଟର ପଲ୍ଲବୀ ପାତ୍ର ଓ ପଲ୍ଲବୀ ପ୍ରିୟଦର୍ଶିନୀ ପ୍ରମୂଖ ଉପସ୍ଥିତ ଥିଲେ ।