କେନ୍ଦ୍ରୀୟ ଲକ୍ଷ୍ମୀପୂଜା କମିଟିର ପ୍ରସ୍ତୁତି ବୈଠକ
ତାଳଚେର : ତାଳଚେର ବ୍ଲକ କଳମଛୁଇଁ ଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ଗଜଲକ୍ଷ୍ମୀ ପୂଜା ନିମନ୍ତେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ସ୍ଥାନୀୟ ଦୋଳମଣ୍ଡପ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଳମଛୁଇଁ କେନ୍ଦ୍ରୀୟ ଲକ୍ଷ୍ମୀ ପୂଜା କମିଟିର ସଭାପତି ଗଗନ ବିହାରୀ ସାହୁ ଅଧ୍ୟକ୍ଷତା କରିଥିଲେ । ଏଥିରେ ଗ୍ରାମର ୧୬ଟି ପୂଜା ମଣ୍ଡପର ସଭାପତି, ସଂପାଦକ, ଶାନ୍ତି କମିଟିର ସଦସ୍ୟମାନଙ୍କ ସହ ଗ୍ରାମର ବୟସ୍କ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜାକୁ ଅଧିକ ଆକର୍ଷଣୀୟ ଢଙ୍ଗରେ ତଥା ଶାନ୍ତି ଶୃଙ୍ଖଳା ସହ ସୁଚାରୁ ରୂପେ ସଂପନ୍ନ କରାଯିବା ନେଇ ବୈଠକରେ ବ୍ୟାପକ ଆଲୋଚନା ହୋଇଥିଲା । ନିଷ୍ପତ୍ତି ମୁତାବକ ଆସନ୍ତା ଅକ୍ଟୋବର ମାସ ୬ ତାରିଖ ଠାରୁ ଦୀର୍ଘ ନଅଦିନ ବ୍ୟାପୀ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେବ ଏବଂ ୧୫ ତାରିଖ ବୁଧବାର ଦିନ ଭସାଣୀ ଉତ୍ସବ ସଂପନ୍ନ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏତଦ୍ବ୍ୟତୀତ କଳମଛୁଇଁ ଦେଉଳଛକ ମେଲଣପଡିଆ ଠାରେ ସମସ୍ତ ପୂଜା ମେଢ ଦିନ ଘ୯.୩୦ମି ମଧ୍ୟରେ ପ୍ରବେଶ କରିବା ସହ ଦିନ ୧୦ଟା ସୁଦ୍ଧା ପଡ଼ିଆରୁ ବିଦାୟ ନେବା ପାଇଁ ସମସ୍ତ କର୍ମକର୍ତ୍ତା ଏକମତ ହୋଇଥିଲେ । ପରିଶେଷରେ ସଂପାଦକ ହରେଶ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।