ଏକାଠି ହେଲେ ମିଶନଶକ୍ତି ମହିଳା

ଯାଜପୁର : ମିଶନଶକ୍ତି କାର୍ଯ୍ୟରେ ବିଜେଡି ସରକାରରେ ଚାଲିଥିବା ଭ୍ରଷ୍ଟାଚାର ଓ ସ୍ୱେଚ୍ଛାଚାରକୁ ବିଜେପି ସରକାର ମଧ୍ୟ ଅନୁକରଣ କରୁଛି । ଯେଉଁଥିପାଇଁ ମହିଳା ସ୍ୱୟଂ ସାହାୟକ ଗୋଷ୍ଠୀ ଗୁଡିକରେ ବିଜେପି ସରକାର ନାମରେ ସ୍ୱେଚ୍ଛାଚାଳିତା କରାଯିବାକୁ ଉଦ୍ୟମ କରାଯାଉଛି । ଏହାକୁ ଦୃଢ ଭାବେ ବିରୋଧ କରାଯିବ । ପ୍ରଥମେ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟଙ୍କୁ ମାସିକ ୧ ହଜାର ଲେଖା ଟଙ୍କା ଦେବା ପାଇଁ ବିଜେପି ଦେଇଥିବା ପ୍ରତିଶ୍ରୁତି ଏବଂ ଧର୍ମଶାଳାର ଝିଅ ସ୍ମିତାରାଣୀ ହତ୍ୟାକାରୀଙ୍କୁ ଧରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି କାର୍ଯ୍ୟକାରୀ କରିବାକୁ ଧର୍ମଶାଳାର ଶହ ଶହ ସଂଖ୍ୟାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟମାନେ ଦାବି କରିଛନ୍ତି । ଧର୍ମଶାଳାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଚଣ୍ଡିଖୋଲ ନିକଟରେ ଏକଜୁଟ ହୋଇଥିଲେ । ଏହି ଅବସରରେ ବିଦ୍ଧିବଦ୍ଧ ଭାବେ ଧର୍ମଶାଳା ମହିଳା ସଶକ୍ତିଗରଣ ସଂଗଠନ ଗଢା ହୋଇଥିଲା । ଏଥିରେ ସର୍ବସମ୍ମତିକ୍ରମେ ସମାଜସେବୀ ସତୀଶ ବିଶ୍ୱାଳଙ୍କୁ ସଭାପତି ଭାବେ ନିର୍ବାଚିତ କରାଯାଇଥିଲା । ସଭାରେ ସତୀଶ  କହିଥିଲେ ଯେ ଯେଉଁ ମହିଳା ମାନେ ବିଜେଡିରୁ ମୁହଁ ଫେରାଇ ବିଜେପିକୁ ଭୋଟ ଦେଲେ ସେଇ ମହିଳା ମାନଙ୍କ ବିରୋଧରେ ବିଜେପି ସରକାର କାର୍ଯ୍ୟ କରୁଛି । ଧର୍ମଶାଳା ପରି ବ୍ଳକରେ କେଉଁ ସ୍ୱୟଂ ସହାୟକ ଗୋଷ୍ଠୀରେ କିଏ କର୍ମକର୍ତା ହେବ ତାର ନିର୍ଦ୍ଦିଷ୍ଟ ଫର୍ମରେ ନାମ ଲେଖି ଦିଆଯିବା ପରେ ଏଥିରେ ଦସ୍ତଖତ କରି ଦେବାକୁ ବାଧ୍ୟ କରାଯାଉଛି । ଯେଉଁ ମହିଳା ମାନେ ପ୍ରଥମେ ବିନା ପାରିଶ୍ରମିକରେ ଶ୍ରମ ଓ ସମୟ ଦେଇ ମିଶନଶକ୍ତିକୁ ଆଗକୁ ନେଇଥିଲେ ସେମାନଙ୍କ ପ୍ରତି ସରକାର ଅବିଚାର କରୁଛନ୍ତି । ସ୍କୁଟି ଋଣ ନେଇଥିବା ମହିଳାଙ୍କ ସମସ୍ୟା ପ୍ରତି ସରକାର ଆଖିବୁଜି ଦେଇଛନ୍ତି । ମହିଳାସ୍ୱୟଂ ସହାୟକ ଗୋଷ୍ଠୀ ପୁନଃଗଠନର ଅର୍ଥ ପୁରୁଣା କର୍ମକର୍ତା ପୁନଶ୍ଚ ନିର୍ବାଚିତ ନହେବା ନୁହେଁ । ପୁରୁଣା କର୍ମକର୍ତା ପୁନଶ୍ଚ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ହେବାରେ କୌଣସି ଅସୁବିଧା ନାହିଁ । ପ୍ରଥମେ ସରକାର ଦେଇଥିବା ପ୍ରତିଶୃତି ଅନୁସାରେ ପ୍ରତ୍ୟେକ ମହିଳାଙ୍କୁ ଏକ ହଜାର ଲେଖା ଟଙ୍କା ଏବଂ ଆମ ଧର୍ମଶାଳାର ଝିଅ ସିତାରାଣୀ ହତ୍ୟାକରୀଙ୍କୁ ଧରନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ସତୀଶଙ୍କ ସମେତ ୨୦ଜଣ ମହିଳା ନେତ୍ରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ମାନସୀ ପୃଷ୍ଟି ଉପସଭାପତି ହୋଇଥିବା ବେଳେ ଜୟନ୍ତୀ ଜେନା, ସ୍ୱିତା ଶୁଭଦର୍ଶିନୀ ବାରିକ, କନକଲତା ଦାସ, ମାନସୀ ସିଂ, ମାନସୀ ସିଂ, କାଂଚନବାଳା ସାହୁ, ଟୁନିଲତା ମହାନ୍ତି, ଖୁଲଣା ରାଉତ, ଅମୂଲି ବେହେରା, ବାସନ୍ତି ସାହୁ, ଚନ୍ଦ୍ରିକା ସାମଲ, ମାଧବି ସିଂ, ଚିନ୍ମୟୀ ପରିଡା, କୁନି ମଲ୍ଲିକ, ଦେବକୀରାଣୀ ସାହୁ, ରଶ୍ମିତା ସାହୁ, ମିଲି ମଲିକ, ଲୀଳାବତୀ ଦାସ, କୌଶଲ୍ୟା ନାୟକ କାର୍ଯ୍ୟକାରୀ କମିଟିର ସଭ୍ୟ ରହିଛନ୍ତି ।