ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ: ‘ପଢିବା, ଗଢିବା ଓଡିଶା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
 
                                 ଭୁବନେଶ୍ୱର:  ପିଲାଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରନ୍ତୁ  । ପିଲାମାନଙ୍କୁ ନିଜ ଇଛାରେ ଉଡିବାକୁ ଦିଅନ୍ତୁ  । ସ୍ୱପ୍ନ ଦେଖିବାକୁ ସୁଯୋଗ ଦିଅନ୍ତୁ ଏବଂ ସ୍ୱପ୍ନକୁ ପୂରଣ କରିବା ପାଇଁ ଜଣେ ଜଣେ ମେଣ୍ଟର ଭାବେ କାମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟସ୍ତରୀୟ ଗୁରୁ ଦିବସ ଉସôବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ  ଯୋଗଦେଇ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି  ।
ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉସôବରେ  ପୂର୍ବତନ ରାଷ୍ଟ୍ରପତି ଭାରତରନô ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଡଃ ରାଧାକ୍ରୀଷ୍ଣନ ପ୍ରତ୍ୟେକ ବିଦ୍ୟାର୍ଥୀ ତଥା ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ହେଉଛନ୍ତି ଆଦର୍ଶ  । ସେ କେବଳ ଜଣେ ବିଶିଷ୍ଟ ଶିକ୍ଷାବିତ, ଦାର୍ଶନିକ କିମ୍ବା ରାଷ୍ଟ୍ରନୀତିଜ୍ଞ ନଥିଲେ, ସେ ଥିଲେ ଭାରତବର୍ଷର ଜଣେ ଶ୍ରେଷ୍ଠ ଗୁରୁ  ।
ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆଜିର ଶିକ୍ଷା ପଦ୍ଧତିରେ ଆମ ପାଇଁ ସବୁଠାରୁ ବଡ ୨ଟି ଆହ୍ୱାନ ରହିଛି  । ପ୍ରଥମଟି ହେଲା ଡ୍ରପଆଉଟ୍ ହାରକୁ ଆଶାତୀତ ଭାବେ ହ୍ରାସ କରିବା ଏବଂ ଦ୍ୱିତୀୟଟି ହେଉଛି ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ପ୍ରଦାନ ବ୍ୟବସ୍ଥା  । ଡ୍ରପ ଆଉଟ୍ ହାର ରୋକିବା ପାଇଁ ମିଡ୍ଡେ ମିଲ ବା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଏକ ସଫଳ ପଦକ୍ଷେପ ସାବ୍ୟସ୍ତ ହୋଇଛି  । ବର୍ତ୍ତମାନ ଆମେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଛୁ ଏବଂ ପିଲାମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟର ମଧ୍ୟ ବ୍ୟବସ୍ଥା କରିଛୁ  । ଜନଜାତି ବର୍ଗର ପିଲାମାନଙ୍କୁ ମଧ୍ୟ ମଧୋ ସିଂ ହାତଖର୍ଚ୍ଚ ଯୋଜନା ଜରିଆରେ ସହାୟତା ପ୍ରଦାନ କରାଯାଉଛି । ଏହି ସବୁ ଯୋଜନା ଆଗାମୀ ଦିନରେ ଡ୍ରପଆଉଟ୍ ହାର କମ୍ କରିବାରେ ନିଶ୍ଚିତ ରୂପେ ସଫଳ ହେବ ।  ସେହିଭଳି ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ନୂତନ ଶିକ୍ଷାନୀତି ଲାଗୁ କରାଯାଇଛି  । ଆଜିଠାରୁ ପଢିବା, ଗଢିବା ଓଡିଶା କାର୍ଯ୍ୟକ୍ରମ ଆରମ୍ଭ ହେଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟଗୁଡିକୁ ସୁନ୍ଦର ଓ ଆକର୍ଷଣୀୟ ପଠନ ସ୍ଥାନରେ ପରିଣତ କରି ସରଳ କାହାଣୀ ପୁସ୍ତକ ମାଧ୍ୟମରେ ପିଲାମାନଙ୍କର ପଢିବା ଓ ବୁଝିବା ଶକ୍ତିକୁ ବିକଶିତ କରାଯିବ  ।
ସେ ଆହୁରି କହିଥିଲେ,ପ୍ରଥମ ପର୍ଯ୍ୟାୟରେ ୫ରୁ ୭ କୋଟି ଟଙ୍କା ଖର୍ଚ୍ଚରେ ୮୩୫ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି  । ଏଥିସହିତ ତିନି ବର୍ଷ ମଧ୍ୟରେ ପ୍ରାଥମିକ ସ୍ତରରେ ୪୫ ହଜାର ଶିକ୍ଷକ ପଦବୀ ମଧ୍ୟ ପୂରଣ କରାଯିବ । 
ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କାର୍ଯ୍ୟକ୍ରମରେ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଶ୍ରେଷ୍ଠତା ଅର୍ଜନ କରି ପ୍ରଥମ ସ୍ଥାନରେ ଥିବା ଝାରସୁଗୁଡାକୁ ୩ କୋଟି, ଦ୍ୱିତୀୟ ସ୍ଥାନରେ ଥିବା ଖୋର୍ଦ୍ଧାକୁ ୨ କୋଟି ଓ ତୃତୀୟ ସ୍ଥାନରେ ଥିବା ଜଗତସିଂହପୁରକୁ ୧ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି  । ସେହିଭଳି ୭୦ ଶିକ୍ଷକଙ୍କ ସମେତ ତିନୋଟି ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ, ତିନି ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ୧୦ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ପୁରସ୍କୃତ କରିଛନ୍ତି  । ଏଥିସହିତ ନିଟ୍ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ଅନୁସୂଚିତ ଜନଜାତି ବର୍ଗର ଦୁଇ ଜଣ ଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ।
କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ କହିଥିଲେଯେ, ଆମ ସମାଜରେ ଗୁରୁ ଶିଷ୍ୟର ପରମ୍ପରା ଆଦିମ କାଳରୁ ରହିଆସିଛି  । ଶିକ୍ଷକମାନେ ବିଦ୍ୟାର୍ଥୀମାନଙ୍କୁ ବ୍ୟକ୍ତିତ୍ୱ ନିର୍ମାଣ, ଶୃଙ୍ଖଳା, ଆଦର୍ଶ ସମାଜ ନିର୍ମାଣ ଆଦି ବିଷୟରେ ଶିକ୍ଷା ଦେଇ ସେମାନଙ୍କୁ ଗଢି ତୋଳିଥାନ୍ତି । ରାଜ୍ୟରେ ସର୍ବୋତ୍ତମ ଶିକ୍ଷାଦାନ ବ୍ୟବସ୍ଥା ପାଇଁ ଆମ ସରକାର ପ୍ରଚେଷ୍ଟା କରୁଛନ୍ତି । ଚାଇଲ୍ଡ ଟ୍ରାକିଂ ସର୍ଭେ ମାଧ୍ୟମରେ ଅଧାରୁ ପାଠ ଛାଡିଥିବା ପିଲାମାନଙ୍କୁ ପୁଣିଥରେ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରାଯାଉଛି  । ଯାହା ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ  । ଓସେପାର ପ୍ରକଳ୍ପ ନିଦେ୍ର୍ଦଶିକା ଅନନ୍ୟା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।                        
 
 Rasmita Behera
                                    Rasmita Behera                                 
    
             
    
             
    
             
    
             
    
 
    
 
 
 
