ଅଣ୍ଡା ତରକାରୀ ଦେଲେନି ବୋଲି... ସ୍ତ୍ରୀକୁ ମାରିଦେଲା
କପ୍ତିପଦା : ଏବେ ସାବିତ୍ରୀ ଯାଇଛି । ସ୍ୱାମୀର ମଙ୍ଗଳ ମନାସି ସେ ବି ଓଷା କରିଥିଲେ । ହେଲେ ସେ ଜାଣିନଥିଲେ, ସାମାନ୍ୟ ଅଣ୍ଡା ତରକାରୀ ପାଇଁ ତାଙ୍କର ଜୀବନ ଚାଲିଯିବ ବୋଲି । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା କୁଟଲିଂ ବନ୍ଧସାହି ଗ୍ରାମରେ ଏଭଳି ଅଭାବନୀୟ ହତ୍ୟାକାଣ୍ଡ ଘଟିଛି ।
ଆଜି ମଧ୍ୟାହ୍ନରେ ଲମା ବାସ୍କେ କାମ ସାରି ଘରକୁ ଫେରିଥିଲେ । ଖାଇବାକୁ ବସିବା ପରେ ସ୍ତ୍ରୀ ବାସନ୍ତୀ ତାଙ୍କ ପାଇଁ ଭାତ ଓ ତରକାରୀ ବାଢ଼ି ଦେଇଥିଲେ । ହେଲେ ସେ ଅଣ୍ଡା ତରକାରୀ ପାଇଁ ପୂର୍ବରୁ ଅଣ୍ଡା ଆଣିଥିଲେ । ଅଣ୍ଡା ତରକାରୀ କାହିଁକି ହୋଇନାହିଁ ବୋଲି ପଚାରିବା ସହ ପାଟି କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ବେଶ୍ କିଛି ସମୟ ବଚସା ହୋଇଥିଲା । ଧିରେଧିରେ ବଚସା ବଢ଼ିବାରୁ ଲମା ରାଗିଯାଇ ସ୍ତ୍ରୀକୁ ନିର୍ଦ୍ଧୁମ ପିଟିଥିଲେ । ତଥାପିବି ତାଙ୍କ ମନ ଶାନ୍ତ ହୋଇନଥିଲା । ଘର ଦୁଆର ସାମ୍ନାରେ ପିଟିପିଟି ସେ ଘରକୁ ଘୋଷାରି ନେଇଥିଲେ । ଏହି ସମୟରେ ପାଖଆଖ ଲୋକ ସବୁ ଦେଖୁଥିଲେ ବି ନୀରବ ରହିଥିଲେ । ଘର ଭିତରେ ପଡ଼ିଥିବା ଚୁଲିଫୁଙ୍କାରେ ସେ ବାସନ୍ତୀଙ୍କ ମୁଣ୍ଡକୁ ଜୋରରେ ପିଟି ଦେଇଥିଲେ । ଫଳରେ ବାସନ୍ତୀଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ସେହିଠାରେ ହିଁ ସେ ଟଳି ପଡ଼ିଥିଲେ । ଏହି ଖବର ପାଇ ସାହି ପଡ଼ିଶା ଲୋକ ତାଙ୍କ ଘର ଆଗରେ ରୁଣ୍ଡ ହୋଇଯାଇଥିଲେ । ଲମାଙ୍କ ଏମିତି କାରନାମାକୁ ଛିଛାକର କରିବା ସହ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ ସ୍ୱାମୀ ଲମାକୁ ଗିରଫ କରିଛି ।