ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କଲେ ଭାବୀ ମୁଖ୍ୟମନ୍ତ୍ରୀ, କହିଲେ ଆଶୀର୍ବାଦ ଦିଅନ୍ତୁ

ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ଶପଥ ସମାରୋହରେ ସାମିଲ ହେବାକୁ ନବୀନ ପଟ୍ଟନାୟକଙ୍କୁ ଆମନ୍ତ୍ରୀତ କରିଛନ୍ତି ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନବୀନ ନିବାସରେ ପହଞ୍ଚି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ମୋହନ। ନବୀନ ନିବାସରୁ ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଶପଥ ସମାରୋହରେ ଯୋଗ ଦେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛି। ସେ ନୂଆ ସରକାରକୁ ଆର୍ଶିବାଦ କରନ୍ତୁ ବୋଲି ଚାହୁଁଛି। ସେ ମଧ୍ୟ ଆମ ନିମନ୍ତ୍ରଣକୁ ସାଦରେ ଗ୍ରହଣ କରି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଏହା ପୂର୍ବରୁ ଗତକାଲି ବିଜେପିର ଏକ ଟିମ୍ ନବୀନ ନିବାସରେ ପହଞ୍ଚି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଜଣାଇଥିଲେ। ବିଜେପିର ୫ ବରିଷ୍ଠ ନେତା ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ। ସେମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ ଏବଂ ସମୀର ମହାନ୍ତି ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ। ନବୀନ ପଟ୍ଟନାୟକ ମଧ୍ୟ ନିମନ୍ତ୍ରଣ ରକ୍ଷା କରି ନିଶ୍ଚିତ ଭାବେ ପହଞ୍ଚିବେ ବୋଲି ପ୍ରତିଶ୍ରୁତି ଦେଇଥିବା ବିଜେପି ନେତା କହିଥିଲେ ।