ଯୌତୁକ ମୁକ୍ତ ରାଜ୍ୟ ହେବ ଓଡ଼ିଶା
ଭୁବନେଶ୍ୱର: ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଏକଦିବସୀୟ ଯୌତୁକ ନିଷେଧ ଆଇନ ୧୯୬୧ ଉପଜିଲ୍ଲାପାଳ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସେ କହିଥିଲେ କି, ଯୌତୁକ ଏକ ପରମ୍ପରା ନୁହେଁ, ସଂସ୍କୃତି ନୁହେଁ କି ବ୍ୟକ୍ତିଗତ ବ୍ୟାପାର ନୁହେଁ- ଏହା ଏକ ସାମାଜିକ ବ୍ୟାଧି । ଯୌତୁକ ନିଷେଧ ଆଇନ ୧୯୬୧ ପ୍ରଣୟନର ୬୦ ବର୍ଷ ପରେ ମଧ୍ୟ ସମାଜରେ ଏବେ ବି ଯୌତୁକ ଦିଆନିଆ ହଉଛି । ଓଡ଼ିଶାକୁ ଏକ ଯୌତୁକମୁକ୍ତ ରାଜ୍ୟ ଭାବେ ପରିପ୍ରକାଶ କରିବା ନିମନ୍ତେ ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ତୃଣମୂଳସ୍ତରରେ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ଓ ଆଲୋଚନା ହେବାର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରିଛନ୍ତି । ଏହା ସହିତ ସେ ଆହୁରି କହିଛନ୍ତି କି, ଆମ ଓଡ଼ିଶାରେ ଉପଜିଲ୍ଲାପାଳ ତଥା ସବ୍ଡିଭିଜନାଲ ମାଜିଷ୍ଟ୍ରେଟ୍ମାନଙ୍କୁ ଯୌତୁକ ନିଷେଧ ଅଧିକାରୀ ଭାବେ ଘୋଷଣା କରାଯାଇଛି । ଆଜିର ଡିଜିଟାଲ ଯୁଗରେ ସୋସିଆଲ ମିଡିଆ ମାଧ୍ୟମରେ ଯୌତୁକ ଆଇନ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ସେ ଉପଜିଲ୍ଲାପାଳମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ମହିଳାମାନଙ୍କ ସମ୍ମାନ ପାଇଁ ଏହା ଏକ ବଡ଼ ପଦକ୍ଷେପ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଓ ବିଭାଗୀୟ ନିଦେ୍ର୍ଦଶିକା ମୋନିଷା ବାନାର୍ଜୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ୩୦ଟି ଜିଲ୍ଲାର ଉପଜିଲ୍ଲାପାଳମାନେ ଯୋଗ ଦେବା ସହ ମୁଖ୍ୟ ବକ୍ତା ଭାବେ ଉଚ୍ଚ ନ୍ୟାୟାଳୟ ଆଇନଜୀବୀ ଦୀପକ ନରେନ୍ଦ୍ର ଯୋଗ ଦେଇଥିଲେ ।