ଖରିଫ ଧାନ ସଂଗ୍ରହ ପ୍ରସ୍ତୁତି ସମୀକ୍ଷା କଲେ ସମବାୟ ମନ୍ତ୍ରୀ
paddy procurement
*ଦଲାଲମୁକ୍ତ ଓ ଦୁର୍ନୀତିମୁକ୍ତ ଧାନ ସଂଗ୍ରହ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ
*କଟନୀ-ଛଟନୀରେ ପଡ଼ିବ ପୂର୍ଣ୍ଣଛେଦ, ସ୍ୱଚ୍ଛତାର ସହ ହେବ ଧାନର ଏଫ୍.ଏ.କ୍ୟୁ ମାନ ପରୀକ୍ଷା
*୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ଯିବ କ୍ୱିଂଟାଲ୍ ପିଛା ୩୧୦୦ ଟଙ୍କା
ଭୁବନେଶ୍ୱର, ତା ୨୧/୧୦: ସମବାୟ ବିଭାଗ ସମ୍ମିଳନୀ କକ୍ଷରେ ଆଭାଷୀ ଯୋଗେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ଚଳିତ ଖରିଫ୍ ଋତୁ ପାଇଁ ଧାନ ସଂଗ୍ରହ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଦଲାଲମୁକ୍ତ ଓ ଦୁର୍ନୀତିମୁକ୍ତ ଧାନ ସଂଗ୍ରହ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । କଟନୀ-ଛଟନୀରେ ପୂର୍ଣ୍ଣଛେଦ ଟାଣିବା ସହ ଦୃଢ଼ ତଦାରଖ ବ୍ୟବସ୍ଥା ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ପ୍ରଥମଥର ପାଇଁ ରାଜ୍ୟ ସରକାର ଧାନ କ୍ୱିଂଟାଲ୍ ପିଛା ୩୧୦୦ ଟଙ୍କା ପ୍ରଦାନ କରିବେ । ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ସମ୍ପୂର୍ଣ୍ଣ ଅର୍ଥରାଶି ପଇଠ ହେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ସମବାୟ ମନ୍ତ୍ରୀ ।
ଧାନ ସଂଗ୍ରହ ପୂର୍ବରୁ ଶସ୍ୟର ଏଫ୍.ଏ.କ୍ୟୁ ମାନ ପରୀକ୍ଷା ହେବ । ନିୟନ୍ତ୍ରିତ ବଜାର କମିଟି (ଆର୍ଏମ୍ସି) ଧାନର ଗୁଣବତ୍ତା ପରୀକ୍ଷା ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ଓ ମେସିନ୍ ଯୋଗାଇ ଦେବ । ସେହିପରି ଧାନର ମାନ ନିର୍ଣ୍ଣୟ କରିବା ପାଇଁ ୨୦୦ଟି ବୃହତ୍ତ ମଣ୍ଡିରେ ଅଟୋମେଟିକ ଗ୍ରେନ ଆନାଲଇଜର ବ୍ୟବସ୍ଥା କରାଯାଇଥିବା ବେଳେ ଛୋଟ ମଣ୍ଡିରେ ମାନୁଆଲ୍ ଧାନ ପରୀକ୍ଷଣ ଯନ୍ତ୍ର ବ୍ୟବସ୍ଥା କରାଯିବ । ଧାନର ପରୀକ୍ଷା ନିରୀକ୍ଷା କରି ପ୍ରମାଣପତ୍ର ଦେବା ପାଇଁ ପ୍ରତ୍ୟେକ ଧାନ ସଂଗ୍ରହ କେନ୍ଦ୍ରରେ କ୍ଵାଲିଟି ଆନାଲିଷ୍ଟ ଓ କ୍ଵାଲିଟି ସୁପରଭାଇଜର ନିୟୋଜିତ ହେବେ । ଏଫ୍.ଏ.କ୍ୟୁ ଧାନ ପରୀକ୍ଷାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରକ୍ଷା ପାଇଁ ସମବାୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ (ଓସାମ୍ ବୋର୍ଡ଼) ଆବଶ୍ୟକୀୟ ସହଯୋଗ କରିବେ । ୯୭୩ଟି ଧାନ ସଂଗ୍ରହ କେନ୍ଦ୍ରରେ ଚାଷୀମାନଙ୍କ ପାଇଁ ବିଶ୍ରାମ ଗୃହ, ଶୌଚାଳୟ ସୁବିଧା ଧାନ ଶୁଖାଇବା ପାଇଁ କଂକ୍ରିଟ ଖଳା, ବର୍ଷାରୁ ସୁରକ୍ଷା ଦେବା ପାଇଁ ଛାତଯୁକ୍ତ ଉଚ୍ଚ ପିଣ୍ଡି, ବାଉଣ୍ଡରୀ ୱାଲ ବ୍ୟବସ୍ଥା କରିବା ପାଇଁ ପୂର୍ତ୍ତ ବିଭାଗକୁ କୁହାଯାଇଛି । ଏ ବାବଦରେ ଆର୍ଏମ୍ସି ନିଜସ୍ଵ ପାଣ୍ଠିରୁ ଅର୍ଥ ଯୋଗାଇ ଦେବେ ଏବଂ ଆବଶ୍ୟକ ସ୍ଥଳେ ରାଜ୍ୟ ସରକାର ମଧ୍ୟ ଅର୍ଥ ରାଶି ପ୍ରଦାନ କରିବେ । ପୂର୍ତ୍ତ ବିଭାଗର ଯନ୍ତ୍ରୀମାନେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବେ । ପ୍ରତ୍ୟେକ ମଣ୍ଡିରେ ଜଣେ ଜଣେ ମଣ୍ଡି ପରିଚାଳନା ଅଧିକାରୀ ରହିବେ ଏବଂ ପ୍ରତ୍ୟେକ ଚାରି, ପାଞ୍ଚଟି ମଣ୍ଡିକୁ ନେଇ ଜଣେ ସୁପରଭାଇଜିଙ୍ଗ ଅଫିସର ରହିବେ । ଏହା ସହିତ ଗୋଟିଏ କେନ୍ଦ୍ରୀୟ ଡ୍ୟାସ ବୋର୍ଡ ଜରିଆରେ ମଣ୍ଡିରେ ହେଉଥିବା ସବୁ କାର୍ଯ୍ୟକ୍ରମର ତଦାରଖ କରାଯିବ । ଏହା ସହିତ କ୍ଵାଲିଟି କାଉନସିଲ ଅଫ ଇଣ୍ଡିଆର ସହାୟତାରେ ଧାନ ସଂଗ୍ରହ ବ୍ୟବସ୍ଥାର ତଦାରଖ ମଧ୍ୟ କରାଯିବ । ବାହାର ରାଜ୍ୟର ଚାଷୀଙ୍କ ଧାନ ଯେପରି ଓଡ଼ିଶା ମଧ୍ୟକୁ ନଆସିବ ସେ ଦିଗରେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସିସିଟିଭି କିମ୍ବା ସ୍ମାର୍ଟ କ୍ୟାମେରା ମାଧ୍ୟମରେ ସୀମାବର୍ତ୍ତୀ ରାଜ୍ୟ ସହ ଯୋଡୁଥିବା ମୁଖ୍ୟରାସ୍ତା ଗୁଡିକର ୨୪ ଘଣ୍ଟିଆ ମନିଟରିଙ୍ଗ କରାଯିବ । ସୀମାବର୍ତ୍ତୀ ଅଞ୍ଚଳରେ ଏନଫୋର୍ସମେନ୍ଟ ସ୍କ୍ୱାର୍ଡ ମଧ୍ୟ ନିୟୋଜିତ ହେବେ ।