ବିନା ସୂଚନା ଫଳକରେ ସରିବାକୁ ବସିଲାଣି ହୋମିଓପ୍ୟାଥିକ ଗୃହ କାର୍ଯ୍ୟ


 ଯଖପୁରା: ଶିକ୍ଷା ଅନୁଷ୍ଠାନ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ କେନ୍ଦ୍ରର ଭିତିଭୂମିର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତା ସହିତ ଜିଲା ଖଣିଜ ପାଣ୍ଠିରୁ ମଧ୍ୟ ଜିଲାର ଅନେକ ସ୍କୁଲ, କଲେଜ, ସ୍ୱାସ୍ଥ୍ୟ କେନ୍ଦ୍ରର ଭିତି ଭୂମିର ଉନ୍ନତି କ୍ଷେତ୍ରରେ କୋଟି କୋଟି ଖର୍ଚ୍ଚ କରାଯାଉଥିବାର ଦେଖିବାକୁ ମିଳୁଛି । କିନ୍ତୁ ଠିକାଦାର କୋଟି କୋଟି ଟଙ୍କାର କାର୍ଯ୍ୟରେ ଚଞ୍ଚକତା କରିବାକୁ ପଛାଉ ନାହାଁନ୍ତି । ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦାନଗଦୀ ବ୍ଲକ୍ ଅଧୀନସ୍ଥ କୁମ୍ଭିରଗାଡିଆ ପଞ୍ଚାୟତର କୁମ୍ଭିରଗାଡିଆ ଗ୍ରାମରେ ନିର୍ମିତ ହେଉଥିବା ହୋମିଓ ପ୍ୟାଥିକ ଗୃହ କାର୍ଯ୍ୟରେ । କୁମ୍ଭୀରଗାଡିଆ ଗ୍ରାମରେ ପ୍ରାୟ ୪୪ ବର୍ଷ ଧରି ହୋମିଓ ପ୍ୟାଥିକ ସ୍ୱାସ୍ଥ୍ୟକେନ୍ଦ୍ରଟି ଅସ୍ଥାୟୀ ଭାବରେ ଚାଲୁ ରହିଛି । ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ନିଜସ୍ୱ ଘର ନଥିଲା । ସ୍କୁଲ ଘରେ ହେଉ ଅଥବା ଗ୍ରାମର ବୈଠକ ଘରେ ଆଜି ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଚାଲି ଆସୁଥିବାର ଦେଖିବାକୁ ମିଳେ । ମାତ୍ର ଅନେକ ଦାବି ପରେ ଜିଲା ଖଣିଜ ପାଣ୍ଠିରୁ ୨୦୨୩ ବର୍ଷରେ ହୋମିଓ ପ୍ୟାଥିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଟଙ୍କା ବ୍ୟୟ ବରାଦ କରାଯାଇ ଥିଲା । ପ୍ରାୟ ୨୦ଲକ୍ଷରୁ ଅଧିକ ଟଙ୍କା ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଗୃହ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଯେଉଁ କାର୍ଯ୍ୟକୁ ଟେଣ୍ଡର ମାଧ୍ୟମରେ ପ୍ରଦୀପ ମଲ୍ଲିକ ନାମକ ଠିକାଦାର କାର୍ଯ୍ୟ ହାତେଇଥିଲେ । ମାତ୍ର ଗୃହକୁ ଦେଖିଲେ କେହି ବି କହିପାରିବେ ନାହିଁ ଏହା କୋଡ଼ିଏ ଲକ୍ଷରୁ ଅଧିକ ଟଙ୍କାର ଗୃହ । ଗୃହ କାର୍ଯ୍ୟରେ ଠିକାଦାର ବ୍ୟାପକ ଚଞ୍ଚକତା କରିଥିବାର ଦେଖାଯାଉଛି । ସରକାରୀ ନିୟମ ଅନୁଯାୟୀ କୌଣସି ସରକାରୀ କାର୍ଯ୍ୟ କରିବା ପୂର୍ବରୁ କାର୍ଯ୍ୟ ସମ୍ବନ୍ଧୀୟ ସୂଚନାକୁ ଜନ ସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକରେ ଦିଆଯିବା କଥା । ମାତ୍ର ଗୃହ କାର୍ଯ୍ୟ ସରିବା ଉପରେ ବସିଲାଣି ହେଲେ କାର୍ଯ୍ୟ ସମ୍ବନ୍ଧୀୟ ସୂଚନା ଫଳକଟିଏ ଦେଖିବାକୁ ମିଳିପାରିଲାନି । ଯାହା କାର୍ଯ୍ୟରେ ସ୍ୱଚ୍ଛତା ପ୍ରତି ଇଙ୍ଗିତ କରୁଛି । ସରକାର ନିୟମ ଅନୁଯାୟୀ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଗୃହ ନିର୍ମାଣ ସମ୍ପର୍କରେ ସବିଶେଷ ବିବରଣୀ ଉଲ୍ଲେଖ ରହିବା କଥା ମାତ୍ର ଜନ ସାଧାରଣଙ୍କୁ ସମ୍ପୂର୍ଣ୍ଣ ଅନ୍ଧାରରେ ରଖି ଗୃହ କାର୍ଯ୍ୟ ନିର୍ମାଣ ହେଉଛି । ୨୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଗୃହକୁ ଲୁଚାଇ ଛପାରେ ନିର୍ମାଣ କରାଯାଉଥିବାର ଦେଖିବାକୁ ମିଳିଛି । ଗୃହ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି । ନିର୍ମିତ ଗୃହରେ ଠିକାଦାର ଚଂଚକତା କରି ଅସାଧୁ ଉପାୟରେ ଗୃହ ନିର୍ମାଣ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ନିର୍ମିତ ଗୃହରେ ଆବଶ୍ୟକ ପରିମାଣ ସିମେଣ୍ଟ,ରଡ଼,ଏମିତିକି ଠିକ୍ ଭାବରେ ଖୋଦେଇ ହୋଇନାହିଁ ବୋଲି ସାଧାରଣ ଲୋକ ଅଭିଯୋଗ କରିଛନ୍ତି । ଗୃହ ନିର୍ମାଣ ପାଇଁ ଆବଶ୍ୟକ ନିମଟାଲକୁ ସମ୍ପୂର୍ଣ୍ଣ ଭାବରେ କରାଯାଇ ନାହିଁ । ଯାହା ଗୃହ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିଛି । ଗୃହ ପାଇଁ ଆବଶ୍ୟକ ହେଉଥିବା କଂକ୍ରିଟ ନିମଟାଲକୁ ଗୃହରର ସବୁଆଡେ ଦିଆଯିବାର ଥିବା ବେଳେ ଠିକାଦାର ଚଞ୍ଚକତା କରି କେବଳ ଝରକା, କବାଟ ଲାଗିବା ସ୍ଥାନରେ ନିମ୍ ଟାଲ ଦେଇଛନ୍ତି । ଅନ୍ୟ ସ୍ଥାନରେ ସିଧାସିଧା ଇଟା ଯୋଡି ନେଇଛନ୍ତି । ଗୃହ ନିର୍ମାଣ ପାଇଁ ଆବଶ୍ୟକ ସମସ୍ତ କାର୍ଯ୍ୟ କରାଯିବାର ଅଛି ବୋଲି କାର୍ଯ୍ୟର ତଦାରଖ ଦାୟୀତ୍ୱରେ ଥିବା ଯନ୍ତ୍ରୀ କହିଛନ୍ତି । ମାତ୍ର ନିର୍ବାଚନ ସମୟକୁ ବ୍ୟବହାର କରି ଠିକାଦାର କାର୍ଯ୍ୟକୁ ନିମ୍ନ ମାନର କରିଛନ୍ତି ବୋଲି ଅଭିଯୋଗ ହୋଇଛି । କାର୍ଯ୍ୟ ତଦାରଖ ଦାୟୀତ୍ୱରେ ଥିବା ଯନ୍ତ୍ରୀଙ୍କ ଅନୁପସ୍ଥିତରେ ନିମ୍ନ ମାନର କାର୍ଯ୍ୟ କରାଯାଉଛି ବୋଲି ଅଭିଯୋଗ ହୋଇଛି ଯାହାର ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ ।