ଅବହେଳିତ ମହ୍ଲାର ଜନଜାତ: ନାହିଁ ଆଧାର, ଭୋଟର କି ରାସନ କାର୍ଡ
ଟମକାରୁ ଅବତାର ଅଲ୍ଲୀ : ସୁକିନ୍ଦାର ମାଟି ତଳେ ରତ୍ନର ଭଣ୍ଡାର । ମାଟି ଉପରେ କ୍ରୀୟାଶିଳ ବିଶାଳ କ୍ରୋମ୍ ଉପତ୍ୟକାରେ ଗତ ଅର୍ଦ୍ଧଶତାବ୍ଦୀ ତଳୁ ଡର୍ଜନେରୁ ଅଧିକ ଖଣି, ଖଣିଜ ଉତ୍ପାଦନରେ ଆଜିଯାଏ ମଗ୍ନ । ଏସିଆ ମହାଦେଶର ୯୭ପ୍ରତିଶତ କ୍ରୋମ୍କୁ ନିଜ ଗର୍ଭରେ ସ୍ଥାନିତ କରି ରଖିଥିବାରୁ ଏହି ମାଟିର ବିଷେଶତ୍ୱ ମଧ୍ୟ ଅଲଗା । ଅନ୍ୟପଟେ ବିଶ୍ୱ ଧାତବ ଶିଳ୍ପର ରାଜଧାନୀ ଭାବେ ପରିଗଣିତ କଳିଙ୍ଗନଗର ଶିଳ୍ପାୟନ ଏହି ମାଟିର ଅନ୍ୟ ଏକ ପରିଚୟ । ଯାହା ରାଜ୍ୟର ଅର୍ଥନୀତିକୁ ସୁଦୃଢ କରିବାରେ ସହାୟକ ହେଉଥିବା ସୁକିନ୍ଦା ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ତେବେ ଏତେ ସବୁ ବିକାଶର ଗାରିମା ସତ୍ୱେ ଏହି ଅଞ୍ଚଳରେ ଏମିତି ବି ଭୂମିପୁତ୍ର ଅଛନ୍ତି ଯେଉଁମାନେ ଆଜି ଅବହେଳିତ ଓ ନିଷ୍ପେଶିତ । ସରକାରୀ ସୁବିଧା ସୁଯୋଗ ତ ଦୂରର କଥା ଆଜିଯାଏ ଏମାନଙ୍କ ପାଖରେ ସରକାରୀ ଦସ୍ତାବିଜ୍ ନଥିବା ଦୁଃଖ ଓ ପରିତାପର ବିଷୟ । ସ୍ୱାଧିନତାର ଏତେ ବର୍ଷ ପରେ ବି ଯେଉଁଠି ତାଙ୍କର ଆଧାର, ଭୋଟର ଓ ରାସନ କାର୍ଡ ନାହିଁ ସେଠି ଏମାନଙ୍କ ଦୁଃଖ ଜର୍ଜରିତ ଜୀବନର ବାସ୍ତବ ଚିତ୍ର ଯେ କେମିତି ଥିବ ତାହାକୁ ସହଜେ ଅନୁମାନ କରାଯାଇପାରେ । ବିକାଶର ଦୀପତଳେ ଅନ୍ଧାରୀ ଜୀବନ ଯାପନ କରୁଥିବା ଏଭଳି ଚିତ୍ର ଦେଖିବାକୁ ମିଳିଛି ଶିଳ୍ପ ସମୃଦ୍ଧ ଦାନଗଦୀ ବ୍ଲକ୍ ଅନ୍ତର୍ଗତ କିଆଝର ପଞ୍ଚାୟତ ଆମ୍ବବେଡା ଗ୍ରାମର ମହ୍ଲାରସାହିରେ । ପ୍ରଶାସନ ପାହାଡର ବୁକୁ ଚିରି ଏହି ଗାଁକୁ କଂକ୍ରୀଟ୍ ରାସ୍ତା ନିର୍ମାଣ କରିଛି ସତ କିନ୍ତୁ ଏଠାରେ ବସବାସ କରୁଥିବା ଏହି ବିଲୁ୍ପ୍ତ ଜନଜାତିର ୮ଟି ପରିବାର ଆଜିବି ସମସ୍ତଙ୍କ ପାଇଁ ଅଲୋଡା । ଏଭଳି ଜନଜାତିଙ୍କ ସାମାଜିକ ସୁରକ୍ଷା ପାଇଁ ସରକାର ତତ୍ପରତାର ଡିଣ୍ଡିମ ପିଟୁଥିଲେ ମଧ୍ୟ ଏମାନଙ୍କ ଭାଗ୍ୟ ଓ ଭବିଷ୍ୟତ ଏବେ ବି ଅନ୍ଧାରରେ ରହିଛି । ଏଠାରେ ଅବସ୍ଥାପିତ ଏହି ପରିବାରର ୩୦ରୁ ଉର୍ଦ୍ଧ ଲୋକ ସାମାନ୍ୟ ଜୀବନ ଜିଇଁବାକୁ ସଂଘର୍ଷରତ । ଏମାନଙ୍କ ପାଟଖେ ନା ଅଛି ଆଧାର, ଭୋଟର ଓ ରାସନ କାର୍ଡ । ଏହି ଘଟଣା ଏମାନଙ୍କ ବିକାଶର ପ୍ରକୃତ ଚିତ୍ରକୁ ପଦାରେ ପକାଇଛି ।
ଯାହାପାଇଁ ଏମାନେ ସମସ୍ତ ପ୍ରକାରର ସରକାରୀ ସାହର୍ଯ୍ୟ ସହଯୋଗରୁ ବଞ୍ଚôତ ରହିଛନ୍ତି । ସରପଞ୍ଚଙ୍କ ଉଦ୍ୟମରେ ଏମାନଙ୍କୁ ମାସିକ କିଛି ଚାଉଳ ପ୍ରଦାନ କରାଯାଉଥିବା ବେଳେ ଏହାର ସ୍ଥାୟିତ୍ୱ ମଧ୍ୟ ଅନିଶ୍ଚିତତାରେ ରହିଛି । ସେହିପରି ଭାବେ ପକ୍କାଘରରୁ ବଞ୍ଚôତ ଏହି ପରିବାର ଗୁଡିକ ନୁଆଣିଆ ପାଲ ଢଙ୍କା ଦଦରା ଝୁମ୍ପୁଡିରେ ନିଜ ପରିବାର ସହ ବସବାସ କରୁଛନ୍ତି । ଅନୁରୁପ ଭାବେ ଆଜି ପର୍ଯ୍ୟନ୍ତ ବିଜୁଳି ଆଲୁଅ ମଧ୍ୟ ଏମାନଙ୍କ ଭାଗ୍ୟରେ ଜୁଟିନି । ଗତ କିଛିଦିନ ତଳେ ଏହି ସାହିର ଦୁଇଜଣ ଶିଶୁ ସ୍ଥାନୀୟ ଏକ ଅଞ୍ଚଳରେ ଗାଇ ଚରାଇବାରେ ନିୟୋଜିତ ରହିଥିବା ବେଳେ ଏକ ସଂସ୍ଥାର କର୍ମୀ ସେମାନଙ୍କୁ ଉଦ୍ଧାର କରି ସ୍କୁଲରେ ଭର୍ତ୍ତି କରିବା ଘଟଣା ଏମାନଙ୍କ ଶିକ୍ଷା ଅଧିକାରର ଅସଲ ଚିତ୍ରକୁ ପଦାରେ ପକାଇଛି । ଏଠି ବସବାସ କରୁଥିବା ଅନେକ ଲୋକ ମଧ୍ୟସ୍ୱାସ୍ଥ୍ୟ ସେବାରୁ ବଂଚିତ । ସଚେତନତା ଅଭାବରୁ ରୋଗହେଲେ ଏମାନେ ପ୍ରଥମେ ଜଙ୍ଗଲ ଚେରମୂଳି ଓ ଝଡାଫୁଙ୍କାରେ ବିଶ୍ୱାସ ରଖୁଥିବା ଦେଖାଯାଇଛି । ରାତି ପାହିଲେ ଏମାନଙ୍କ ଭାଗ୍ୟ ଜଙ୍ଗଲ ଉପରେ ନିର୍ଭରଶୀଳ । ଏମାନଙ୍କ ମଧ୍ୟରୁ କିଛି ଲୋକ ଛକ ବଜାରରେ ଭିକ୍ଷାବୃତ୍ତି କରୁଥିବାର ମଧ୍ୟ ନଜିର ରହିଛି । ଆମେ ମଣିଷ, ଆମର ବି ତ ରକ୍ତ ମାଂସ ଅଛି ହେଲେ ଆଜି ପର୍ଯ୍ୟନ୍ତ ଆମର ଆଧାର, ଭୋଟର ଓ ରାସନ କାର୍ଡ କ’ଣ ପାଇଁ ହୋଇ ପାରୁନାହିଁ ବୋଲି ଦୁଃଖର ସହ ପ୍ରକାଶ କରନ୍ତି । ଏହି ଗ୍ରାମର ଭିରୁ ଦେହୁରୀ, ବିକାଶ ଦେହୁରୀ, ବିନୋଦ ଦେହୁରୀ, ଆକାଶ ଦେହୁରୀ, ଅନୁ ଦେହୁରୀ, ମାନ୍ଦ୍ରା ଦେହୁରୀ । ଏମାନଙ୍କ ସମସ୍ୟା ସମ୍ବନ୍ଧରେ ଅବଗତ ହୋଇ ଯୁବ ସମାଜସେବୀ ମଣ୍ଟୁ ଦାସ, ସ୍ଥାନୀୟ ଆସ୍ପେୟାର କର୍ମୀ କାରାନ୍ ବେଶ୍ରା, ଲଲାଟେନ୍ଦୁ ମହାନ୍ତ ପ୍ରମୁଖ ଗ୍ରାମରେ ପହଁଚି ଏମାନଙ୍କ ସମସ୍ୟା ନେଇ ପ୍ରଶାସନ ନିକଟରେ ଦାବି ରଖିଥିଲେ ମଧ୍ୟ ଅଦ୍ୟାବଧି ସରକାରୀ ସ୍ତରରେ ସେଭଳି ଉଦ୍ୟମ ଦେଖିବାକୁ ମିଳିନାହିଁ । ତେବେ ବିକାଶର ଦୀପତଳେ ପଶୁର ଜୀବନ ବିତାଉଥିବା ଏହି ମହ୍ଲାର ଜନଜାତି ଲୋକମାନଙ୍କ ସମସ୍ୟା ଉପରେ ନଜର ପାକାଇଲେ ମନରେ ସ୍ୱତଃ ପ୍ରଶ୍ନଉଠେ ଏମାନେ କ’ଣ ମଣିଷ ନୁହନ୍ତି? ଏମାନଙ୍କ ଭାଗଗ୍ୟରେ କ’ଣ ସରକାରୀ ସୁବିଧା ସୁଯୋଗ ନାହିଁ? ଏମାନେ କ’ଣ ବିଜୁଳି ଆଲୁଅ ପାଇଁ ଯୋଗ୍ୟ ନୁହେଁ? ଏମାନଙ୍କ ଶିଶୁ କ’ଣ ଶିକ୍ଷା ଅଧିକାର ପାଇବେ ନାହିଁ ଏମିତି ଅନେକ ପ୍ରଶ୍ନର ଉତ୍ତର ଆଜିବି ସ୍ଥାନୀୟ ନେତା ଓ ପ୍ରଶାସନିକ ଅଧିକାରୀଙ୍କ ପାଖରେ ଅଛିକି ନା ନାହିଁ ତାହାତ ଜଣା ନାହିଁ । ହେଲେ ଏହି ଭୂମିପୁତ୍ରଙ୍କ ଭାଗ୍ୟରେ କେବେ ପରିବର୍ତ୍ତନ ଆସୁଛି ଏମାନେ କେବେ ଏହି ସମସ୍ୟାରୁ ମୁକ୍ତି ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।