ଏଆରଟିଓ ଓ ଜୁନିୟର୍ ଏମଭିଆଇଙ୍କୁ ବାନ୍ଧିଲା ପୁଲିସ

 ବ୍ରହ୍ମପୁର:  ବେଆଇନ୍ ଭାବେ ଭାରୀଯାନ ଗୁଡ଼ିକଠାରୁ ଫାଇନ୍ ଆଦାୟ କରିବା ପଡିଲା ମହଙ୍ଗା  । ୩ ଜଣ ଦଲାଲଙ୍କ ସମେତ ଗଞ୍ଜାମ ଏଆରଟିଓ ଓ ଜୁନିୟର୍ ଏମଭିଆଇଙ୍କୁ ଗିରଫ କଲା ପୁଲିସ । ଏଭଳି ଘଟଣା ସାମ୍ନାକୁ ଆସିଛି ଆନ୍ଧ୍ରପ୍ରଦେଶ- ଓଡ଼ିଶା ସୀମାନ୍ତ ୧୬ ନମ୍ୱର ଜାତୀୟ ରାଜପଥର ଗିରିଶୋଳାରେ  । ଅଭିଯୋଗ ଅନୁସାରେ, ଦୀର୍ଘ ୩ ବର୍ଷ ହେଲା ଏହି କାରବାର ଚଳାଇଥିଲେ ଏଆରଟିଓ ଓ ଜୁନିୟର ଏମଭିଆଇ  । ପ୍ରତି ଗାଡ଼ି ପିଛା ୭୦୦ ରୁ ୮୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରୁଥିଲେ  । ହେଲେ ପ୍ରମାଣ ମିଳିପାରୁନଥିବା କାରଣରୁ ଉପୟ ଶୂନ୍ୟ ହୋଇ ହାତ ବାନ୍ଧି ବସିଥିଲା ପୁଲିସ । ବିଶେଷ ସୂତ୍ରରୁ ଖବର ପାଇ ଗୋଲନ୍ଥରା ଥାନା ପୁଲିସ ଅଚାନକ ଗିରିଶୋଳା ଠାରେ ଥିବା ଚେକଗେଟ୍ରେ ଚଢ଼ାଉ କରିଥିଲା । ଘଟଣାସ୍ଥଳରେ ୩ ଜଣଙ୍କୁ ଧରିଥିଲା । ପଚରା ଉଚରା ପରେ ସେମାନେ ଆରଟିଓ କର୍ମଚାରୀ ନୁହେଁ ବୋଲି ଜାଣିବାକୁ ପାଇଥିଲା ପୁଲିସ । ସେମାନଙ୍କ ଠାରୁ ପଚରାଉଚରା ପରେ ଏମଭିଆଇଙ୍କୁ ମଧ୍ୟ ଥାନାରେ ଅଟକ ରଖିଥିଲା ପୁଲିସ । ପରେ ଏମଭିଆଇଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଥିଲା । ପରେ ଏଥିରେ ଗଞ୍ଜାମ ଏଆରଟିଓଙ୍କ ସମ୍ପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଥିଲା । ଏନେଇ ଆଜି ପୁଲିସ ଗଞ୍ଜାମ ଆରଟିଓ ଓ ଏଆରଟିଓଙ୍କ ଅଫିସ ଏବଂ ଘରେ ଚଢ଼ାଉ କରିଥିଲା  । ଚଢ଼ାଉ ବେଳେ ଏଆରଟିଓ ଅଫିସ୍ଙ୍କ ଘରୁ ୮୦ ହଜାରରୁ ଅଧିକ ଟଙ୍କା ଜବତ କରିଥିଲା  । ପରେ ପୁଲିସ ଏଆରଟିଓଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି  ।