ମାନିଲାନି ମନୋରମାଙ୍କ ମନ; ଧରିଲେ ହାତ

ଯାଜପୁର,: ମୁଁ ବଡ଼ଚଣାବାସୀଙ୍କ ହୃଦୟରେ ଅଛି । ବିଜୁ ଜନତା ଦଳ ମୋତେ ଟିକେଟ ଦେଲେ ମୋତେ ଟିକେଟ ଦେଲେ ବଡ଼ଚଣା ବିକାଶଧାରାକୁ ଆହୁରି ଆଗେଇ ନେବି । ମାସକ ତଳେ ଏକଥା କହୁଥିଲେ ବିଜେଡ଼ି ସାଧାରଣ ସଂପାଦିକା ଥିବା ମନୋରମା ଆଚାର୍ଯ୍ୟ । ହେଲେ ଆଜି ବିଜେଡ଼ିରୁ ଇସ୍ତଫା ଦେଇ କଂଗ୍ରେସ ହାତ ଧରିଛନ୍ତି । ନିଜର ସୋସିଆଲ ମିଡ଼ିଆରେ ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପତ୍ରକୁ ପୋଷ୍ଟ କରିବାର କେଇଘଣ୍ଟା ପରେ ପିସିିସି କାର୍ଯ୍ୟାଳୟରେ ଯାଇ କଂଗ୍ରେସ ହାତ ଧରିଥିଲେ । ମନୋରମା ହଠାତ ବିଜେଡ଼ି ଛାଡ଼ିବା ଏବଂ କଂଗ୍ରେସରେ ମିଶିବା ପଛର କାରଣ ଯାହାବି ଥାଉନା କାହିଁକି ହାତଦଳରୁ ଲଢିବାର ବାସ୍ନା ବାରି ହେଇପଡ଼ୁଛି । ଏଭଳି ଚର୍ଚ୍ଚା ବି ସୋସିଆଲ ମିଡ଼ିଆରେ ଆରମ୍ଭ ହୋଇଯାଇଛି । ଯେହେତୁ କଂଗ୍ରେସ ବଡ଼ଚଣାରୁ କାହାକୁ ପ୍ରାର୍ଥୀ ଘୋଷଣା କରିନି, ସେହି କାରଣରୁ ଦଳ ମନୋରମାଙ୍କୁ ପ୍ରାର୍ଥୀ କରି ମହିଳା କାର୍ଡ଼ ଖେଳିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆଲୋଚନା ହେଉଛି । ବଡଚଣାର ଆଦିବାସୀ ଅଧୂଷିତ ଅଞ୍ଚଳରେ ମୁନ୍ ଲାଇଟ୍ ସ୍କୁଲ ଖୋଲି ଛୋଟଛୋଟ ପିଲାଙ୍କୁ ଶିକ୍ଷା ଦେବା ସହ ମୋ ବଡଚଣା, ବଡଚଣା ମିନି ମାରାଥନ, ବଡଚଣା କ୍ରିୟାନୁଷ୍ଠାନ କମିଟି ଏବଂ ବଡଚଣା ମହୋସôବ କମିଟି ଭଳି ବିଭିିନ୍ନ ସଂଗଠନ ସହ ଜଡ଼ିତଥିବା ମନୋରମା ବିଜୁ ଜନତା ଦଳରୁ ପ୍ରାର୍ଥୀ ହେବାକୁ ଆଶାୟୀ ରହିଥିଲେ । ଆଶାୟୀ ରହି ମନୋରମା ଜନସଂପର୍କ ଅଭିଯାନକରି ଲୋକଙ୍କୁ ଭେଟୁଥିଲେ । ଜଣେ ମହିଳା ହୋଇଥିବା ଏବଂ ଦଳ ପାଇଁ କାର୍ଯ୍ୟ କରିଥିବାରୁ ମୁରବୀ ତାଙ୍କ ପ୍ରାର୍ଥୀତ୍ୱ ଉପରେ ବିଚାର କରିପାରନ୍ତି ବୋଲି  ବିଶ୍ୱାସ ରଖିଥିଲେ । ସେହି ବିଶ୍ୱାସ ଆଧାରରେ ସେ ମାସକ ତଳେ ନିଜର ଶକ୍ତି ପ୍ରଦର୍ଶନ ପୂର୍ବକ ଚଣ୍ଡିଖୋଲରୁ ଛତିଆ ପର୍ଯ୍ୟନ୍ତ ଏକ ଖୋଲା ଜିପ୍ରେ ଶୋଭାଯାତ୍ରା କରିଥିଲେ । ବିଧାୟକ ଅମର ଶତପଥୀ ଥାଉଥାଉ ମନୋରମା ଶୋଭାଯାତ୍ରା କରିବା ସେତେ ବେଳେ ମଧ୍ୟ ଆଲୋଚନା ପାଇଁ ଖୋରାକ ଯୋଗାଇଥିଲା । ହେଲେ ହଠାତ ଦଳରୁ ଇସ୍ତଫା ଦେଇ କଂଗ୍ରେସ ମିଶିବା ଭଳି ନିଷ୍ପତ୍ତି ଅନେକଙ୍କୁ ଚକିତ କରିଛି । ବିଧାୟକ ଅମର ଶତପଥୀଙ୍କୁ ବିରୋଧ କରି ଆସୁଥିବା  ମନୋରମା କାହିଁକି ଏଭଳି ନିଷ୍ପତ୍ତି ନେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗଲାକାଲି ବିଜେଡ଼ିରେ ରାଜନାରାୟଣ ମହାପାତ୍ର ସାମିଲ ହେବା ଏବଂ ଆଜି ମନୋରମା କଂଗ୍ରେସ ହାତଧରିବା ମଧ୍ୟରେ କିଛି ସାମଞ୍ଜସ୍ୟ ନାହିଁ ତ? ସମ୍ଭବତ ରାଜନାରାୟଣ ବିଜେଡ଼ିରେ ଯୋଗ ଦେବା ପରେ ମନୋରମା ବିଜେଡ଼ିରେ ତାଙ୍କର ଭବିଷ୍ୟତ ନାହିଁ ବୋଲି ଧରି ନେଇଥିଲେ । ଯେଉଁଥିପାଇଁ ସେ ବିଜେଡ଼ି ଛାଡ଼ିଲେ । ଆଉ ହାତ ଧରିଲେ ବଡ଼ଚଣାରୁ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଧରି ନେଇ ଏଭଳି ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ଆଲୋଚନା ହେଉଛି । ଯଦି ଏହା ହୁଏ, ତେବେ କଂଗ୍ରେସକୁ ଜଣେ ପ୍ରାର୍ଥୀ ମିିଳିଗଲା ବୋଲି ଧରିନିଆଯିବ ।