ହିଙ୍ଗୁଳା କୋଇଲା ଖଣିରେ ଧସିଲା ଅତଡ଼ା

 ତାଳଚେର: ତାଳଚେର ସ୍ଥିତ ଏମସିଏଲ୍ ହିଙ୍ଗୁଳା କୋଇଲାଖଣିରେ ମାଟି ଅତଡା ଧସିଥିବା ଜଣାପଡିଛି । ଯାହାଫଳରେ ଅନେକ  ମୂଲ୍ୟବାନ ସାମଗ୍ରୀ ପୋତି ହୋଇ ଯାଇଛି । ପ୍ରକାଶ ଯେ, ହିଙ୍ଗୁଳା କୋଇଲାଖଣିରୁ ମାଟି ଉତ୍ତୋଳନ କରୁଥିବା ଅଜନ୍ତା ନାମକ ଏକ ଘରୋଇ କମ୍ପାନୀର କ୍ୟାମ୍ପ ସମ୍ମୁଖରେ ମଙ୍ଗଳବାର ଭୋର  ୪.୩୦ମିନିଟ ସମୟରେ ପ୍ରାୟ ୧୦୦ ଫୁଟ ଲମ୍ବର ମାଟି ଅତଡା ତଳକୁ ଖସି ପଡିଥିଲା । ଫଳରେ କ୍ୟାମ୍ପ ସମ୍ମୁଖରେ ଥିବା ରାସ୍ତାଟି ବନ୍ଦ ହୋଇଯିବା ସହ ରାସ୍ତା କଡରେ ଯାଇଥିବା ଇଲେକ୍ଟ୍ରି ପୋଲ ସମେତ ଅନେକ ମୂଲ୍ୟବାନ ସାମଗ୍ରୀ ମାଟି ତଳେ ପୋତି ହୋଇଯାଇଛି । ତାହା ସହିତ ଅଜନ୍ତା କମ୍ପାନୀର ଏକ ଷ୍ଟକୟାର୍ଡରେ ଥିବା ବିଭିନ୍ନ ସାମଗ୍ରୀ ମଧ୍ୟ ପୋତି ହୋଇଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତ ହେବାର ସୂଚନା ମିଳି ନଥିବା ବେଳେ କ୍ଷୟକ୍ଷତି ସମ୍ପର୍କରେ ସଠିକ ଆକଳନ କରା ଯାଇପାରିନାହିଁ । ପୂର୍ବରୁ ତାଳଚେରର ବିଭିନ୍ନ କୋଇଲାଖଣି ଗୁଡିକରେ ଏଭଳି କୋଇଲା ଓ ମାଟି ଅତଡା ଖସି ଶ୍ରମିକମାନେ ମୃତାହତ ହୋଇଥିବା ବେଳେ ଖଣି କର୍ତ୍ତୃପକ୍ଷ ଏବଂ ଖଣି ତଦାରଖ କରୁଥିବା ଉଚ୍ଚ କର୍ତ୍ତୃପକ୍ଷଙ୍କର ପର୍ଯ୍ୟାପ୍ତ ସୁରକ୍ଷା ଅଭିଜ୍ଞତା ଅଭାବରୁ ଏଭଳି ବାରମ୍ବାର ଘଟଣା ଘଟୁଥିବା ଅଭିଯୋଗ ହୋଇଛି ।