ଟ୍ରକ୍ ଚଢ଼ାଇ ମାରିଦେବା ଘଟଣା : ଅଭିଯୁକ୍ତକୁ ଆଜୀବନ
ଯାଜପୁର ଟାଉନ: ଟ୍ରକ୍ ଚଢ଼ାଇ ମାରିଦେବା ଘଟଣାରେ ଯାଜପୁର ଜିଲ୍ଲା ଦୌରାଜଜ୍ ଅମୃତ ରଞ୍ଜନ ନନ୍ଦ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ବିବରଣୀରୁ ପ୍ରକାଶ ଜେନାପୁର ଥାନା ଅନ୍ତର୍ଗତ ବାଲିସାହି ଗ୍ରାମର ଅକ୍ଷୟ ମଲ୍ଲିକ ଓ ତାଙ୍କ ବଡବାପା ପୁଅ ସୁଶାନ୍ତ ମଲ୍ଲିକଙ୍କ ମଧ୍ୟରେ ଜମିବାଡି ବିବାଦକୁ ନେଇ ବିଭିନ୍ନ କୋର୍ଟରେ ମକୋଦ୍ଦମା ଚାଲିରହିଥିଲା । ସୁଶାନ୍ତଙ୍କ ବାପା ଅକ୍ଷୟଙ୍କୁ ପୌଷ୍ୟପୁତ୍ର ଭାବେ ଗ୍ରହଣ କରିଥିବାରୁ ସୁଶାନ୍ତର ଜମି ଦୁଇ ଭାଗ ହେବ ବୋଲି ଆଶଙ୍କା ହେବାରୁ ଉଭୟଙ୍କ ମଧ୍ୟରେ ବହୁଦିନ ଧରି ବିବାଦ ଲାଗିରହିଥିଲା । ସୁଶାନ୍ତ ଅକ୍ଷୟକୁ ଜୀବନରୁ ମାରିଦେବା ପାଇଁ ବିଭିନ୍ନ ସମୟରେ ଧମକ ଦେଇଆସୁଥିଲା । ୨୦୨୨ ମସିହା ମାର୍ଚ୍ଚ ମାସ ୧୪ ତାରିଖ ସନ୍ଧ୍ୟାରେ ଅକ୍ଷୟକୁ ଘରେ ଖୋଜାଖୋଜି କରିବା ପରେ ସୁଶାନ୍ତ ତାକୁ ଶେଷ କରିଦେବ ବୋଲି ତାଙ୍କ ଘରେ ଧମକ ଦେଇଥିଲା । ସେହିଦିନ ରାତି ପ୍ରାୟ ୧୧ଘଟିକା ସମୟରେ ଅକ୍ଷୟ ତାଙ୍କ ଘର ପାଖରେ ରାତିରେ ଠିଆ ହୋଇଥିବା ବେଳେ ସୁଶାନ୍ତ ଟ୍ରକ୍ ଚଢ଼ÿାଇ ଜୀବନରୁ ମାରିଦେଇଥିଲା । ଘଟଣାକୁ ପ୍ରତ୍ୟକ୍ଷଦର୍ଶି ଭାବେ ଅକ୍ଷୟଙ୍କ ବାପା, ଭାଇ ଓ ଭାଉଜ ଦେଖିଥିଲେ । ତେବେ ଏହି ମାମଲା ଚୁଡାନ୍ତ ଶୁଣାଣି କରି ବୁଧବାର ୨୦ଜଣ ସାକ୍ଷୀ ଓ ୧୬ଟି ଦସ୍ତାବିଜ୍ ଥିବା ପ୍ରମାଣକୁ ନେଇ ଯାଜପୁର ଜିଲ୍ଲା ଦୌରାଜଜ୍ ଅମୃତରଞ୍ଜନ ନନ୍ଦ ଅଭିଯୁକ୍ତ ସୁଶାନ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି । ଏହି ଜରିମାନା ଅନାଦେୟରେ ଅଧିକ ୬ ମାସ କାରାଦଣ୍ଡରେ ଦଣ୍ଡିତ କରାଯିବ ବୋଲି ରାୟରେ ପ୍ରକାଶିତ ହୋଇଛି । ଏହି ମାମଲାଟିକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ମୋନାଲୀ ରାଇସା ଓ ସମରେନ୍ଦ୍ର ଦାସ ପରିଚାଳନା କରିଥିଲେ ।