ବିଜେଡିର ୨୫ ବିଧାୟକ ଯୋଗାଯୋଗରେ ଅଛନ୍ତି:ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା:ବିଜେଡିର ୨୦ରୁ ୨୫ ବିଧାୟକ ଭାଜପାରେ ସାମିଲ ହେବା ପାଇଁ ଆଗ୍ରହୀ ଅଛନ୍ତି। କଟକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ବିଜେଡିର ବହୁ ନେତା ଆସି ଭେଟିଛନ୍ତି। ବିଜେଡିର ପତନ ଆରମ୍ଭ ହେଲା, ୬ ମାସ ମଧ୍ୟରେ ମାଟିରେ ମିଶିଯିବ ବୋଲି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି। ଇଭିଏମ୍ ଭଙ୍ଗାରୁଜା ମାମଲାରେ ଅନ୍ତରୀଣ ଜାମିନ ପାଇବା ପରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ରବିବାର ଜେଲରୁ ମୁକୁଳିଛନ୍ତି। ଏହି ଅବସରରେ ପ୍ରଶାନ୍ତ କହିଛନ୍ତି, ଦେବକୀଙ୍କ ଅଷ୍ଟମ ଗର୍ଭରୁ ଶ୍ରୀକୃଷ୍ଣ ଜେଲ ଭିତରେ ଜନ୍ମ ନେଇଥିଲେ। ମୁଁ ଜେଲରେ ରହି ନିର୍ବାଚନ ଜିତିଥିବା ବେଳେ ଏବେ ଜେଲ ଭିତରୁ ବିଜୟ ଉତ୍ସବ ଆରମ୍ଭ କରିଛି। ଶ୍ରୀକୃଷ୍ଣ କଂସ ବଧ କରିବା ଭଳି ଓଡ଼ିଶାବାସୀ ସେହି କଂସମାନଙ୍କୁ ଉଚିତ ଜବାବ ଦେଇଛନ୍ତି। ଆଜିଠାରୁ ରାଜ୍ୟ ରାଜନୀତିରେ ନୂତନ ଯୁଗ ଆରମ୍ଭ ହେଲା। ନବୀନ ପଟ୍ଟନାୟକଙ୍କ ଯୁଗ ସରିଲା, ଏଥର ଭାଜପା ସରକାର।
ତାଙ୍କର ମନ୍ତ୍ରୀ ହେବା ପାଇଁ କୌଣସି ଲାଳସା ନାହିଁ। ସେ ପାଇକପୁଅ। ପାଇକଙ୍କ ରକ୍ତ ତାଙ୍କ ଦେହରେ ବହୁଛି। ଜଣେ ସୈନିକ ଭାବେ ଲୋକଙ୍କ ପାଇଁ ଲଢ଼ିବେ ବୋଲି ସେ କହିଛନ୍ତି। ସେହିପରି ଇଭିଏମ୍ ଭଙ୍ଗାରୁଜା ଅଭିଯୋଗରେ ସେ ଜେଲ ଯିବା ଘଟଣାରେ କହିଛନ୍ତି, ଜେଲ ଯିବା ତାଙ୍କ ପାଇଁ ସାଧାରଣ କଥା। ଲଢ଼େଇ କରି ଆଗକୁ ଆସିଛନ୍ତି। ତାଙ୍କୁ ମିଛରେ ଫସାଇ ଦିଆଯାଇଛି ବୋଲି ସେ କହିଛନ୍ତି। ତେବେ ଖୋର୍ଦ୍ଧାର ସର୍ବାଙ୍ଗୀନ ବିକାଶ ତାଙ୍କର ପ୍ରାଥମିକତା ରହିବ ବୋଲି ପ୍ରଶାନ୍ତ କହିଛନ୍ତି।