ବିଷାକ୍ତ କ୍ଲିଙ୍କର ଗୁଣ୍ଡ ନେଲାଣି ଶହ ଶହ ମୁଣ୍ଡ; ଚେତୁନି ପ୍ରଶାସନ
ଦାନଗଦୀ: କଳିଙ୍ଗନଗର ଶିଳ୍ପନଗରୀର ସର୍ବାଧିକ ପ୍ରଦୂଷିତ ଗାଁ ଦୁଇଟି ହେଲା ମାନପୁର ଓ ସୁଆଁଲ । ସମସ୍ତେ ଜାଣନ୍ତି ଏଭୟଙ୍କର ପ୍ରଦୂଷଣକୁ ନେଇ ବିଗତ ଦିନରେ ଜାତୀୟ ଗ୍ରୀନ ଟ୍ରିବୁନାଲ ପର୍ଯ୍ୟନ୍ତ ଅଭିଯୋଗ ଯାଇଛି ।
କିନ୍ତୁ ଦୁର୍ଭାଗ୍ୟର କଥା ଏନଜିଟି ନିଦେ୍ର୍ଦଶ କରିଥିବା ସର୍ତ୍ତ ଅନୁପାଳନ ହେଉନାହିଁ । ସୁକିନ୍ଦା ରୋଡ଼ ରେଲୱେ ସାଇଡରେ, ଦିନରାତି ବର୍ଷକ ବାରମାସ ଯେଉଁ ଧୂଳି ଧୂଆଁ ପ୍ରଦୂଷଣରେ ଦୁଇ ଗାଁ ବାସିନ୍ଦା ପେଷି ହେଉଛନ୍ତି । ଯାହା ଦୁଃଖ ଦ୍ୱି ଗୁଣିତ ହେଇଯାଉଛି ଖରାଦିନ ଆରମ୍ଭ ହେଲେ । ଏହି ରେଳ ସାଇଡର କୋଇଲା ଗୁଣ୍ଡ ଯାହା ତ ଉଡେ ସବୁଠୁ ବିଷାକ୍ତ କରୁଛି ପାଖରେ ଥିବା ସିମେଣ୍ଟ କାରଖାନା ଗୁଡିକୁ ଯାଉଥିବା ଧଳା ରଙ୍ଗର ଚୂନ ପରି ଦେଖାଯାଉଥିବା କ୍ଲିଙ୍କର ଗୁଣ୍ଡ । ଏହି କ୍ଲିଙ୍କର ଗୁଣ୍ଡ ରେଳ ଯୋଗେ ବାହାରୁ ଆସି ଏହି ସୁକିନ୍ଦା ରୋଡ଼ ରେଳ ସାଇଡ ପ୍ଲଟରେ ଖାଲି ହୋଇ ହାଇୱା ଯୋଗେ ଜେଏସଡବ୍ଲୁ ସାଗର ସିମେଣ୍ଟ, ଇମାମୀ ଭଳି କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ସମସ୍ତ ସିମେଣ୍ଟ କାରଖାନାକୁ ଯାଏ । ଏହି କ୍ଲିଙ୍କର ଗୁଣ୍ଡ ଖଲାସ ବୋଝେଇ ଓ ପରିବହନ ଦ୍ୱାରା ଧଳା ଗୁଣ୍ଡ ବାୟୁ ମଣ୍ଡଳରେ ମାତ୍ରାଧିକ ଉଡି ପରିବେଶ ପ୍ରଦୂଷିତ କରୁଛି । ପ୍ଲଟକୁ ଲାଗିଥିବା ମାନପୁର ଗାଁର ନୀଳପଦା ସାହି ଓ ସୁଆଁଲ ଗାଁ ପର୍ଯ୍ୟନ୍ତ ଚୂନ ପରି ଗୁଣ୍ଡ ଉଡି ଗଛପତ୍ର, କୂଅ, ଘରଦ୍ୱାର ପଡୁଛି । ପ୍ଲଟ ପାଖରେ ଥିବା ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରକୁ ଆସୁଥିବା ଛୋଟ ଛୋଟ ପିଲା ଶୈଶବରୁ ପ୍ରଦୂଷଣର ଶିକାର ହେଉଛନ୍ତି । ଏହି ଗୁଣ୍ଡ ଉଡିବା ସମୟରେ ଆଖି ପୋଡ଼ିବା ସହ ଯାବତୀୟ ରୋଗ ଉତ୍ପତି ହେଉଛି । କ୍ଲିଙ୍କର ଗୁଣ୍ଡ ଉଡ଼ିବା ଯୋଗୁ ଲୋକ ମାନେ ଘରୁ ବାହାରି ପାରୁ ନଥିବା ବେଳେ ଅଣ ନିସ୍ୱାଶୀ ହେଇଯାଉଛନ୍ତି । ଏହି ବିଷାକ୍ତ ଗୁଣ୍ଡ ଜଳାଶୟ ଉପରେ ପଡି ପାଣିକୁ ପ୍ରଦୂଷିତ କରୁଛି । ଗୃହ ପାଳିତ ପଶୁ ପକ୍ଷୀଙ୍କ ଉପରେ ଏହାରକୁ ପ୍ରଭାବ ପଡୁଛି । ୨୦୨୦ସେପ୍େଟମ୍ବର ୯ ତାରିଖରେ ଏନଜିଟି ଯେଉଁ ଶୁଣାଣି କରି ପାଞ୍ଚୋଟି ସର୍ତ ରଖି ରେଲୱେ ସାଇଡିଂ ଚଳାଇବା ପାଇଁ ଅନୁମତି ଦେଇଥିଲେ ତାହାକୁ କାର୍ଯ୍ୟକାରୀ କରାଯାଉନି । ଫଳରେ ଦୀର୍ଘ ୪ବର୍ଷ ଭିତରେ ପ୍ରଦୂଷଣ କାରଣରୁ ମୁଣ୍ଡ ଗଡ଼ିବାରେ ଲାଗିଛି । କିନ୍ତୁ ରେଳ ବିଭାଗ ନିଦେ୍ର୍ଦଶକୁ ଖାତିରି କରୁନାହିଁ, କି ଜିଲା ପ୍ରଶାସନ ଚେତୁନି । ବିଷାକ୍ତ କ୍ଲିଙ୍କର ଗୁଣ୍ଡ ଅନଲୋଡ଼ି ପାଇଁ ରେଳ ସାଇଡିଂ ଯେଉଁ ୱାଇଣ୍ଡ ସ୍କିନ ୱାଲ ନିର୍ମାଣ ହେବା କଥା ହୋଇନାହିଁ କି ସାଇଡିଂରେ ଗୁଣ୍ଡ ମାଲ ନଉଡିବା ପାଇଁ ଛାତ ନିର୍ମାଣ ହୋଇନାହିଁ । ପଯ୍ୟାପ୍ତ ପରିମାଣରେ ପାଣି ସିଞ୍ଚନ ହେଉନାହିଁ । ସୁଆଁଲ, ମାନପୁର ଗାଁରେ ଏହି ମାତ୍ରାଧିକ ପ୍ରଦୂଷଣର ଶିକାର ହୋଇ ଶତାଧିକ ଲୋକ କୀଡୀନ, ଯକ୍ଷ୍ମା ରୋଗରେ ମୃତୁ୍ୟ ବରଣ କଲେଣି । କେତେ କେତେ ଭେଣ୍ଡିଆଙ୍କ ପ୍ରାଣବାୟୁ ଉଡ଼ିଗଲାଣି । ବିଧବା ମହିଳାଙ୍କ ଅନାଥ ପିଲାମାନଙ୍କ ଭାଗ୍ୟ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି । ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ଅଧିକାରୀ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ମୋଟା ଅଙ୍କର ଅର୍ଥ ନେଇ ଅନୁମତି ପ୍ରଦାନ କରୁଥିବା ଅଭିଯୋଗ ହେଉଛି । ପ୍ରଦୂଷଣ ଆଇନର ଖୋଲା ଖୋଲି ଉଲ୍ଲଘଂନ ହେଉଥିବା ବେଳେ ଜିରୋ ମିଟରରେ ଜନ ବସତି, ବିଦ୍ୟାଳୟ ଥିବା ବେଳେ ପ୍ରଦୂଷଣ ବିଭାଗ ଦୃଷ୍ଟି ଦେବା ଦରକାର, ରେଳ ବିଭାଗ କୋଟି କୋଟି ଟଙ୍କା ପ୍ଲଟରୁ ଆୟ କରୁଥିବା ବେଳେ ବଞ୍ଚି ଥାଉ ଥାଉ ସ୍ଥାନୀୟ ଲୋକଙ୍କୁ ଧୂଳି ଗୁଣ୍ଡରେ ସମାଧି ଦେଉଥିବାର ଅଭିଯୋଗ କରନ୍ତି ଅଞ୍ଚଳବାସୀ । ଶୀଘ୍ର ଏହି ଭୟାନକ ପ୍ରଦୂଷଣର ପ୍ରତିକାର ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।