ପାଖେଇ ଆସୁଛି ରଥଯାତ୍ରା: ହୋଇପାରୁନି ବୈଠକ

 କେନ୍ଦ୍ରାପଡା : ଚଳିତ ମାସ ୨୭ ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ଓଡିଶାର ଦ୍ୱିତୀୟ ବୃହତମ ଦେବୋତର ସଂସ୍ଥା ଶ୍ରୀ ବଳଦେବଜୀଉଙ୍କ ସର୍ବବୃହତ ବ୍ରହ୍ମ ତାଳଧ୍ୱଜ ରଥ ମଧ୍ୟ ଘୋଷଯାତ୍ରା ଆରମ୍ଭ ହେବ । ଏହି ଦେବୋତ୍ତର ସଂସ୍ଥାର ମଧ୍ୟବର୍ତୀ କାଳୀନ ଟ୍ରଷ୍ଟବୋର୍ଡ ଗଠନ ହୋଇ ଇତି ମଧ୍ୟରେ ସପ୍ତାହେ ଅତିବାହିତ ହୋଇଗଲାଣି । ଚଳିତ ମାସ ୧୧ ତାରିଖରେ ଦିଅଁ ମାନଙ୍କର ସ୍ନାନ ଯାତ୍ରା ଅନୁଷ୍ଠିତ ହେବ । ମାତ୍ର ସପ୍ତାହେ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନୂତନ ଟ୍ରଷ୍ଟବୋର୍ଡ ଦାୟିତ୍ୱ ଗ୍ରହଣ କରୁନାହିଁ କିମ୍ବା କୈାଣସି ବୈଠକ ଅନୁଷ୍ଠିତ ହୋଇପାରି ନାହିଁ । ସ୍ନାନ ଯାତ୍ରା ପୂର୍ବରୁ ପରିଚାଳନା ସମିତି ଓ ସେବାୟତ ମାନଙ୍କ ସହ ମିଳିତ ବୈଠକ ବସି ପହଣ୍ଡି ଯାତ୍ରାର ସମୟ ନିର୍ଘଣ୍ଟ, ଉଭାଯାତ୍ରା ଓ ଶ୍ରୀ ଗୁଣ୍ଡିଚା ଓ ବାହୁଡା ଯାତ୍ରାର ସମୟ ନିର୍ଘଣ୍ଟ ଆଦି ସ୍ଥିରୀକୃତ କରାଯାଇ ତଦ୍ନୁଯାୟୀ ଦାୟିତ୍ୱ ନିର୍ବାହ କରାଯାଇ ଥାଏ । ଏହି ଟ୍ରଷ୍ଟବୋର୍ଡ ରେ ୪ ଜଣ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ଥିବାରୁ ସେମନଙ୍କୁ ନିର୍ଭର କରି ମନ୍ଦିର ପରିଚାଳନା କମିଟି କୌଣସି ନିଷ୍ପତି ନେଇ ପାରିନାହିଁ । ବିଗତ ବର୍ଷରେ ରଥଯାତ୍ରା ସମୟରେ ନାନା ଅଘଟଣ ଘଟି ପହଣ୍ଡିରେ ବିଳମ୍ବ, ଗୁଣ୍ଡିଚାରେ ରଥ ଟାଣିବାରେ ବିଭ୍ରାଟ ଆଦି ଘଟିଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା । ତେବେ ନୂତନ ଟ୍ରଷ୍ଟବୋର୍ଡ ଗଠନ କରାଯାଇ ଥିବାବେଳେ, ସେମାନଙ୍କ ଦ୍ୱାରା ଶାନ୍ତି ଶୃଙ୍ଖଳାର ସହିତ ସମସ୍ତ ପ୍ରକାର କାର୍ଯ୍ୟ ହେବ ବୋଲି ଜନ ସଧାରଣ ଆଶା ରଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୈାଣସି ବୈଠକ ହୋଇପାରୁ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି ।