ରାସ୍ତା ଜବରଦଖଲ ଉଚ୍ଛେଦ ପାଇଁ ଦାବି


ାା ପ୍ରଭାନୁ୍ୟଜ ।ା କଟକ: କଟକ ମହାନଗର ନିଗମ ଅଧୀନ ମଙ୍ଗଳାବାଗର ମଲାସାହି, ହରିଜନ ସାହି, ବୁଢ଼ିମଙ୍ଗଳା ମନ୍ଦିରକୁ ସଂଯୋଗ ହୋଇଥିବା ବଡ଼ ମେଡ଼ିକାଲ ଛକ ଠାରୁ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ବହୁ ଧନିଶୀଳ ବ୍ୟକ୍ତି ଓ କିଛି ଉଠାଦୋକାନୀ ଦୁଇଚକିଆ ଯାନକୁ ମନଇଚ୍ଛା ଏଣେତେଣେ ରଖୁଛନ୍ତି ବୋଲି ଅଭିଯୋଗ ହୋଇଛି । ଏପରିକି କଟକ ମହାନଗର ନିଗମ ପକ୍ଷରୁ ଡ୍ରେନ ଉପରେ ପକାଯାଇଥିବା ସ୍ଲାପକୁ ମନଇଚ୍ଛା ବେଆଇନ ଭାବରେ ଘୁଞ୍ଚାଇ ଦେବା ସହିତ ବ୍ୟବସାୟ ଉଦେ୍ଦଶ୍ୟରେ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ମୁଖ୍ୟ ଡ୍ରେନ ଉପରେ ବ୍ୟବସାୟ ପ୍ରତିଷ୍ଠାନ ନିର୍ମାଣ କରି ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ମୁଖ୍ୟ ରାସ୍ତାର କିଛି ଅଂଶକୁ ଜବରଦଖଲ କରି ରଖିଥିବାର ମଧ୍ୟ ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଯାହା ଫଳରେ ବର୍ଷାଦିନ ମାନଙ୍କରେ ବର୍ଷାଜଳ ନିଷ୍କାସିତ ହେବାରେ ବହୁ ସମସ୍ୟା ଦେଖାଯାଉଥିବାବେଳେ ଦୀର୍ଘ ସମୟ ଧରି ମୁଖ୍ୟ ରାସ୍ତା ଉପରେ ପାଣି ଜମି ରହୁଥିବାରୁ ଏହି ଡ୍ରେନପାଣି ଗୁଡ଼ିକ ସ୍ଥାନୀୟ ଜନସାଧାରଣଙ୍କ ଘର ଭିତରେ ପ୍ରବେଶ କରୁଛି । କଟକ ବଡ଼ ମେଡ଼ିକାଲ, ରେଭେନ୍ସା କଲେଜକୁ ସଂଯୋଗ କରୁଥିବା ଏହା ଏକ ବ୍ୟସ୍ତବହୁଳ ଜନଗହଳି ରାସ୍ତା ଭାବେ ପରିଚିତ ଅଟେ । ଏହି ରାସ୍ତା ଦେଇ ଗଲେ ବିଭିନ୍ନ ଘରୋଇ ନର୍ସିଂହୋମ, ଘରୋଇ ମେଡ଼ିକାଲ ଇତ୍ୟାଦି ରହୁଥିବାରୁ ବିଶେଷ ଭାବରେ ଜରୁରୀକାଳୀନ କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି ହେଉଥିବାର ଅଭିଯୋଗ ହେଉଛି । ଏହା ଜାଣି ମଧ୍ୟ କିଛି ବ୍ୟକ୍ତି ରାସ୍ତା ଉପରେ ପାଖାପାଖି ୫ଫୁଟ ଲେଖାଏଁ ମାଡ଼ି ବସି ଘର କରି ଜବରଦଖଲ କରିବା ଦ୍ୱାରା ମୁଖ୍ୟ ରାସ୍ତାଟି ଦିନକୁ ଦିନ ସଂକୁଚିତ ହୋଇଯାଉଛି । ଏଣୁ ଏହି ମୁଖ୍ୟ ରାସ୍ତାରୁ ତୁରନ୍ତ ଜବରଦଖଲ ଉଚ୍ଛେଦ କରିବା ପାଇଁ କଟକ ମହାନଗର ନିଗମ କମିଶନର ଅନାମ ଚରଣ ପାତ୍ରଙ୍କୁ ସ୍ଥାନୀୟ ଜନ ସାଧାରଣଙ୍କ ପକ୍ଷରୁ ଲିଖିତ ନିବେଦନ କରାଯାଇଛି ।