ଶ୍ରୀଜଗନ୍ନାଥ ଚେତନା

ଶ୍ରୀଜଗନ୍ନାଥ ଆମ ସଂସ୍କୃତିର ସର୍ବଜନମାନ୍ୟ ରାଷ୍ଟ୍ର ଦେବତା । ଶ୍ରୀମନ୍ଦିର ରତ୍ନସିଂହାସନରେ କେବଳ ଦେବତା ଭାବରେ ସକାଳୁ ସଞ୍ଜ ଯାଏ ସେ ପୂଜିତ ହୁଅନ୍ତି ନାହିଁ । ବରଂ ଆମ ସୁଖ ଦୁଃଖ, ବିପଦଆପଦ ଓ ଭଲ ମନ୍ଦରେ ସେ ସାହା ହୁଅନ୍ତି ମଣିଷ ଭଳି । ସମଗ୍ର ପୃଥିବୀରେ ଏଭଳି ଦେବତା ବିରଳ । ସେଇଥିପାଇଁ ସେ ଜଗତରନାଥ ଶ୍ରୀଜଗନ୍ନାଥ । ଅନନ୍ୟ ତାଙ୍କର ମହାପ୍ରସାଦ । ଭେଦଶୂନ୍ୟ, ବିକାରଶୂନ୍ୟ ସଂହତି ଭାବ ସୃଷ୍ଟି କରେ ଭକ୍ତ ମନରେ ଏହି ମହାପ୍ରସାଦ । ଅତଏବ ଏହି ପୃଥିବୀ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ଜଗନ୍ନାଥ ପୁରୀଧାମରେ ମହାପ୍ରଭୁଙ୍କର ଅର୍ପିତ ପ୍ରସାଦ ବା ଦ୍ରବ୍ୟ ସ୍ପୃଶ୍ୟାସ୍ପୃଶ୍ୟ ଦୋଷରେ ଦୂଷିତ ହୁଏ ନାହିଁ କି ଏଠାରେ ବର୍ଣ୍ଣବିଚାର ନାହିଁ, ଉଚ୍ଛିଷ୍ଟାଦି ବିଚାର ନାହିଁ କି ଶୌଚାଶୌଚ ପାପ ନିଷ୍ପାପ ବିଚାର ମଧ୍ୟ ନାହିଁ । ଆବ୍ରାହ୍ମଣଚଣ୍ଡାଳ ବ୍ରାହ୍ମଣ ସମସ୍ତେ ଏଠି ନିର୍ବିକାର ଚିତ୍ତରେ ମହାପ୍ରଭୁ ଜଗନ୍ନାଥଙ୍କ ମହାପ୍ରସାଦ ସେବନପୂର୍ବକ ଉଚ୍ଛିଷ୍ଟ ଗ୍ରହଣ କରି ନିଜକୁ ପରମ ଭାଗ୍ୟବାନ ମନେ କରନ୍ତି ଏବଂ ଅନ୍ୟ ମାନଙ୍କ ମୁଖରେ ମହାପ୍ରସାଦ ଦେଇ ଦିବ୍ୟାନନ୍ଦ ଅନୁଭବ କରିବା ସଙ୍ଗେ ସଙ୍ଗେ ନିଜକୁ ଅଧିକ ପବିତ୍ର ମଧ୍ୟ ମନେକରିଥାନ୍ତି । ତେଣୁ ଏହି କ୍ଷେତ୍ରରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକତ୍ର ଏକ ପାତ୍ରରେ ପାନଭୋଜନ କରିବା ଓ ମିଳାମିଶା କରିବା ବା ସଂହତି ରକ୍ଷା କରିବା ହେଉଛି ଏ ପୀଠର ପରମ୍ପରା । ଏହି ପରମ୍ପରା ବୌଦ୍ଧ ଧର୍ମ ଦର୍ଶନଦ୍ୱାରା ପ୍ରଭାବିତ । ଏହି ଏକତ୍ୱଭାବ, ଭ୍ରାତୃଭାବ ଆମ ସଂସ୍କୃତିର ମହନୀୟତାକୁ ପ୍ରତିପାଦିତ କରିଥାଏ । ସମଗ୍ର ବିଶ୍ୱରେ ଆମ ସଂସ୍କୃତିର ପରାକାଷ୍ଠା ମହାପ୍ରଭୁ ଜଗନ୍ନାଥଙ୍କ ଯୋଗୁ ଆଜି ବିଦିତ ।
ଆମ ସଂସ୍କୃତି ହେଉଛି ଜାତିଭେଦ ବିହୀନ ସଂସ୍କୃତି - ତାହା ହିଁ ଜଗନ୍ନାଥ ସଂସ୍କୃତି । ବୁଦ୍ଧରୂପୀ ପତିତପାବନଙ୍କ ନାମରେ ସିଂହଦ୍ୱାର ଗୁମୁଟରେ ଜଗନ୍ନାଥଙ୍କ ପ୍ରତିବିମ୍ବ ଅଙ୍କନ କରାଯାଇ ପ୍ରମାଣ କରାଯାଇଛି ଯେ ବୁଦ୍ଧ-ଜଗନ୍ନାଥ-ପତିତପାବନ ଏକ ଓ ଅଭିନ୍ନ ଓ ତାହା ହିଁ ଜଗନ୍ନାଥଙ୍କର ମୂଳରୂପ । ଅତଏବ ଜଗନ୍ନାଥ ବୁଦ୍ଧରୂପୀ ପତିତପାବନ ହୋଇଥିବାରୁ ତାହାଙ୍କ ଯାତ୍ରାକୁ ପତିତପାବନଯାତ୍ରା ବା ରଥଯାତ୍ରା ବୋଲି କୁହାଯାଏ । କବିସମ୍ରାଟ ଉପେନ୍ଦ୍ରଭଞ୍ଜ “କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’ କାବ୍ୟରେ ପ୍ରଥମ ଛାନ୍ଦରେ ଉଲ୍ଲେଖ କରିଛନ୍ତି - “ସ୍ନାନ ଯେ ଗୁଣ୍ଡିଚା ବେନି ସ୍ୱୟଂଲୀଳା ଯା’ର, ପତିତପାବନ ଅର୍ଥେ ପ୍ରାସାଦୁଁ ବାହାର ।’ ଅର୍ଥାତ୍ ପତିତମାନଙ୍କୁ ଉଦ୍ଧାର କରିବା ଉଦେ୍ଦଶ୍ୟରେ ସ୍ନାନ ବା ଗୁଣ୍ଡିଚା ଯାତ୍ରାରେ ଜଗନ୍ନାଥ ମହାପ୍ରଭୁ ପ୍ରସାଦ ବା ଦେଉଳରୁ ବାହାରିଥାଆନ୍ତି । 
ଜଗତରନାଥ ଶ୍ରୀଜଗନ୍ନାଥଙ୍କ ଏହି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଜି ଓଡ଼ିଶା ସମେତ ଭାରତ ବର୍ଷ ଓ ଭାରତ ବାହାରେ ବିଭିନ୍ନ ଦେଶରେ ପରିବ୍ୟାପ୍ତ । ଶ୍ରୀଜଗନ୍ନାଥ ଉପାସନାର ବୈଶିଷ୍ଟ୍ୟ ଜନସମାଜରେ ଆଦୃତ ହେଉଥିବାରୁ ଦେଶ ବିଦେଶରେ ତାହାଙ୍କର ଏ ଭେଦଭାବ ଶୂନ୍ୟ ଯାତ୍ରାର ବହୁଳ ପ୍ରଚାର ଓ ପ୍ରସାର ଘଟିଛି । ମହାପ୍ରଭୁଙ୍କ ସହିତ ଏ ମଣିଷର ପ୍ରତ୍ୟକ୍ଷ ସାନ୍ନି୍ମ ଓ ଗୂଢ଼ ସଂଯୋଗର ସୂତ୍ର ସ୍ଥାପିତ ହୁଏ ଏହି ରଥଯାତ୍ରାରେ । କୈବଲ୍ୟ ବା ମୁକ୍ତି ଏହାର ଉଦେ୍ଦଶ୍ୟ । ଶ୍ରୀଜଗନ୍ନାଥଙ୍କ ଏ ରଥଯାତ୍ରା ବ୍ୟକ୍ତି ଜୀବନକୁ ନୀତିମୟ, ଶୁଦ୍ଧ ଓ ଆଚାରଶୀଳ କରୁଥିବାବେଳେ ସାମାଜିକ ଜୀବନଧାରାକୁ ଆନନ୍ଦ ମୁଖରିତ କରିବା ସଙ୍ଗେ ସଙ୍ଗେ ମାର୍ଜିତ ଓ ରୁଚିସମ୍ପନ୍ନ କରିଥାଏ । ସାଂସ୍କୃତିକ ମୂଲ୍ୟବୋଧର ଭିତ୍ତି ଓ ଭୂତ୍ତି ଉପରେ ପ୍ରତିଷ୍ଠିତ ଆମ ସଂସ୍କୃତିର ଏ ମହୋତ୍ସବ ଭକ୍ତିତତ୍ତ୍ୱ, ମୋକ୍ଷତତ୍ତ୍ୱ ଓ ପରମତତ୍ତ୍ୱ ପ୍ରଦାନ ସହିତ ତାର ଉଦାରମାନବିକତାକୁ ଉଦଘୋଷଣା କରେ । ତେଣୁ ବିଶ୍ୱମୁଖୀ ମୈତ୍ରୀବୋଧର ପ୍ରତିଷ୍ଠା ସଙ୍ଗେ ସଙ୍ଗେ ପ୍ରତ୍ୟେକ ମଣିଷ ଭିତରେ ଦିବ୍ୟଜ୍ଞାନ ଓ ଦେବତ୍ୱ ସୃଷ୍ଟି କରିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏ ଯାତ୍ରା ଉଦ୍ଦିଷ୍ଟ । 
କବୀର କୁମାର ଜେନା,ମୋ : ୮୯୧୭୩୭୭୯୮୭