ଚଳନ୍ତା ଟ୍ରାକ୍ଟରରୁ ଖସୁଛି ପଥର

ବୁଗୁଡ଼ାରୁ ଶିବ ଦୋରା :  ସ୍ଥାନୀୟ ପ୍ରଶାସନିକ ଉଦାସୀନତା କାରଣରୁ ବୁଗୁଡା ଅଞ୍ଚଳର ରାଜରାସ୍ତାରେ ଖୁଲମଖୁଲା ପଥର ବୋଝାଇ ମାଳମାଳ ଟ୍ରାକ୍ଟର ଦ୍ରୁତ ଗତିରେ ଯାତାୟତ କରୁଥିବାରୁ ସାଧାରଣରେ ଦୁର୍ଘଟଣାର ଭୟ ଘାରିଛି । ପ୍ରଶାସନର ଦୃଷ୍ଟି ଆଢୁଆଳରେ କେତେକ ଟ୍ରାକ୍ଟର ଭୋର ସମୟରେ ଏତେ ଦ୍ରୁତ ଗତିରେ ଯାତାୟତ କରୁଛନ୍ତି ଯେ ସେଥିରେ ବୋଝେଇ ହୋଇଥିବା ପଥର ରାଜରାସ୍ତାରେ ଖସି ପଡୁଛି । ଏହି ସମୟରେ ସେହି ରାସ୍ତାରେ ଦେଇ ଯାତାୟତ କରୁଥିବା ଲୋକଙ୍କ ପ୍ରତି ରହୁଥିବା ବିପଦକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ପ୍ରଶାସନିକ କଟକଣାକୁ ଖାତିର ନକରି କେତେକ ଟ୍ରାକ୍ଟରରେ ବାଲି, ଗୁଡି, ପଥର ଆଦି ନଘୋଡାଇ କିପରି ଖୋଲାମେଲାରେ ଚାଲାଣ ହେଉଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  ସ୍ଥାନୀୟ ରାଜନୀତିର ଚାପରେ କୁଆଡେ ପ୍ରଶାସନ ଧୃତରାଷ୍ଟ୍ର ସାଜିଥିଲା ବେଳେ ବେଲଗାମ୍ ଟ୍ରାକ୍ଟର ଚାଳନାକୁ ନେଇ ପ୍ରତିବାଦ କରିବାକୁ ସାଧାରଣ ଜନତା ସାହସ ଜୁଟାଇ ପାରୁନାହାନ୍ତି । ଏ ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।