ଆୟୁଷ ଷ୍ଟୋନ କ୍ରସର ପାଇଁ ସ୍ଥାନୀୟ ଅଞ୍ଚଳ ଦୂଷିତ
କବାଟବନ୍ଧ : ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ରେଖିଦେଇପୁର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅଧୀନ କୁସୁନପୁର ମୌଜାରେ ରହିଥିବା ମେଗା ଆୟୁଷ ଷ୍ଟୋନ କ୍ରସର ନିୟମ ଉଲ୍ଲଂଘନ କରି ଚାଲୁଥିବା ଅଭିଯୋଗ ହେଉଛି । ନିୟମ ଉଲ୍ଲଘନ କାରଣରୁ ସ୍ଥାନୀୟ ଅଞ୍ଚଳ ବ୍ୟାପକ ଭାବେ ପ୍ରଦୂଷିତ ହେଉଛି । ଖାତା ନମ୍ବର ୬୨୨/୨୧୦,୬୨୭/୨୧୧ ପରିମିତ ଜମି ଉପରେ ଏହି କ୍ରସର ଏକ ବର୍ଷରୁ ଅଧିକ ଦିନ ହେବ ଖୋଲା ମେଲାରେ ଚାଲୁ ରହିଛି । ରାଜ୍ୟ ସରକାର ପ୍ରଦୂଷଣ ନିୟନ୍ତ୍ରଣକୁ ଆଖି ଆଗରେ ରଖି ଅନେକ ପ୍ରତିକାର କରିଥାନ୍ତି । କ୍ରସର ଗୋଟିଏ କାର୍ଯ୍ୟକାରୀ ହେବାକୁ ସରକାରଙ୍କର ଅନେକ ନୀତି ନିୟମ ରହିଛି । କିଛି ଅସାଧୁ କର୍ମଚାରୀଙ୍କ ମୁନାଫାଖୋର ନୀତି ପାଇଁ ବେଆଇନ ଭାବରେ ଏହି କ୍ରସର ଚାଲୁଥିବା ଅଭିଯୋଗ ହେଉଛି । ପ୍ରଶାସନର ଅଙ୍କୁଶ ନଥିବାରୁ ବେଆଇନ ଏବଂ ନିୟମ ଉଲ୍ଲଂଘନ କ୍ରସର ଚାଲୁଥିବା ଦେଖାଯାଉଛି । କ୍ରସରକୁ କାଗଜ କଲମରେ ନିୟମ ଥିଲେ ସୁଦ୍ଧା ବାସ୍ତବରେ ତାହା ବିପରୀତ ଦେଖାଯାଉଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି )ଠାରୁ ପରିଚାଳନା ଅନୁମତି ବା କନସେଣ୍ଟ ଟୁ ଅପରେଟ (ସିଟିଓ )ଏବଂ ପରିବେଶଗତ ଅନୁମତି ଏନଭାଇରନମେଣ୍ଟ କ୍ଲିଅରାନ୍ସ (ଇସି) ଏହା କିପରି ମିଳିଛି ତାହା ସମସ୍ତଙ୍କୁ ଚକିତ କରୁଛି । ନିର୍ଦ୍ଦିଷ୍ଟ ଏହି କ୍ରସର ମାସିକ ଯେତିକି ମେଟ୍ରିକ ଟନ ପଥର ଚୁରିବାକୁ ଅନୁମତି ରହିଛି ତାହାର ହଜାର ଗୁଣ ମେଟ୍ରିକ ଟନ ପଥର ଚୁରାଯାଇ ଜିଲା ଓ ଜିଲା ବାହାରକୁ ବିକ୍ରି କରି ଚାଲିଛି । ବିଛାଖଣ୍ଡି ମୌଜାରୁ ବେଆଇନ ଭାବରେ ଏହି କ୍ରସରକୁ ଦିନକୁ ଶହ ଶହ ଟ୍ରିପ କଳାପଥର ଚୋରା ଚାଲାଣ କରାଯାଉଛି ପ୍ରଶାସନ ଜାଣି ଚୁପ ବସିଛି । ଏହି କ୍ରସରରେ ସରକାରଙ୍କର କୌଣସି ନୀତି ନିୟମ ପାଳନ କରାଯାଉନାହିଁ । ସାଧାରଣ ଜନତା ଜାଣିବା ପାଇଁ ପ୍ରତ୍ୟେକ ଅନୁମତି ମିଳିଥିବା କ୍ରସରରେ ସୂଚନା ଫଳକ ଲଗାଯାଇଥିବା ବେଳେ ତାହା ଏଠାରେ ସୂଚନା ଫଳକ ଲଗାଯାଇନାହିଁ । ଏହି କ୍ରସରେ ନିୟୋଜିତ ଶ୍ରମିକ ମାନଙ୍କୁ ବିନା ପଞ୍ଜିକରଣରେ ନିୟୋଜିତ କରାଯାଉଥିବା ଅଭିଯୋଗ ହୁଏ । ରାଜସ୍ୱ ବିଭାଗ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହା ଉପରେ କୌଣସି ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି । ଏପ୍ରିଲ ପ୍ରଥମ ସପ୍ତାହରୁ ଖରା ବଢ଼ିଲାଣି । ସାଧାରଣ ଜନତା ସେହି କ୍ରସର ଧୂଳି ଧୂଆଁରେ ଅନେକ ମାରାତ୍ମକ ରୋଗରେ ପଡୁଛନ୍ତି । ଏଥିପ୍ରତି ଜିଲାପାଳ ଦୁଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି ।