ବର୍ଷୀୟାନ ସାମ୍ବାଦିକ ଓ ଓଡ଼ିଆ ପ୍ରାଣ ଶଶିଭୂଷଣ
କୃଷ୍ଣ ଚନ୍ଦ୍ର ସୁଆର : ବିଚ୍ଛିନ୍ନ ଓଡ଼ିଶାର ଏକତ୍ରୀକରଣ ଓ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ନିର୍ଭୀକ ଭାବେ ଦାବି ଉପସ୍ଥାପିତ କରିବା ପାଇଁ ଯେଉଁ ଦେଶପ୍ରେମୀ ଓ ଜାତି ନିର୍ମାଣମାନେ ଅଗ୍ରଣୀ ଭୂମିକା ନେଇଥିଲେ ତନ୍ମଧ୍ୟରେ ବିଶିଷ୍ଟ ସାମ୍ବାଦିକ ଓ ଓଡ଼ିଆ ପ୍ରାଣ ଶଶିଭୂଷଣ ରଥ ଥିଲେ ଅନ୍ୟତମ। ସେ ଏକାଧାରରେ ଥିଲେ ଜଣେ ଦେଶ ସେବକ, ଜାତି ନିର୍ମାଣ, ସମାଜ ସଂସ୍କାରକ, ସାମ୍ବାଦିକ, ସାହିତ୍ୟିକ, ପ୍ରକାଶକ, ନିର୍ଭୀକ ନେତା ତଥା ବହୁମୁଖୀ ପ୍ରତିଭାର ଅଧିକାରୀ । ଶଶିଭୂଷଣ ଗଞ୍ଜାମ ଜିଲ୍ଲାର ପୁଣ୍ୟତୋୟା ଋଷିକୂଲ୍ୟା ତଟ ସୋରଡ଼ା ଗ୍ରାମରେ ୧୮୮୫ ମସିହା ଜାନୁଆରୀ ମାସ ପହିଲାରେ ଭୂମିଷ୍ଠ ହୋଇଥିଲେ । ତାଙ୍କ ପିତାଙ୍କ ନାମ ଲମ୍ବୋଦର ମହାପାତ୍ର, ତାଙ୍କ ନିଃସନ୍ତାନ ଥିବା ନିଜ ଭଉଣୀ ଓ ଭିଣୋଇ ଦିଗମ୍ବର ରଥଙ୍କୁ ଦତ୍ତ ପୁତ୍ର କରି ଦେଇଥିବାରୁ ସେ ମହାପାତ୍ର ପରିବର୍ତ୍ତେ ରଥ ସାଜ୍ଞାରେ ସର୍ବତ୍ର ପରିଚିତ ହୋଇଥିଲେ । ସେ ୧୯୦୨ମସିହାରେ ପାରଳାଖେମୁଣ୍ଡି ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିଥିଲେ । ୧୯୦୩ ମସିହାରେ ଖଲ୍ଲିକୋଟ ମହାରାଜା ହରିହର ମର୍ଦ୍ଦରାଜଙ୍କ ନେତୃତ୍ୱରେ ଗଞ୍ଜାମ ଜାତୀୟ ସମିତି ଆହ୍ୱାନ କରାଯାଇଥିଲା । ଏଥିରେ ମଧୁବାବୁଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ଆଲୋଚନା ସଭାରେ ବହୁ ଗଠନମୂଳକ ପ୍ରସ୍ତାବ ସହିତ ଓଡ଼ିଆ ଭାଷା ଆନ୍ଦୋଳନ ଓ ଓଡ଼ିଶା ଦେଶ ମିଶ୍ରଣର ପ୍ରଥମ ବୀଜମନ୍ତ୍ର ବପନ ହୋଇଥିଲା । ଶଶିଭୂଷଣ ଜଣେ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ କରିଥିଲେ। ସେହିଦିନୁ ସେ ଓଡ଼ିଆ ଦେଶ ମିଶ୍ରଣ ଓ ଭାଷା ସାହିତ୍ୟର ଉନ୍ନତି କଳ୍ପେ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। ସେ ଅନ୍ନପୂର୍ଣ୍ଣାଙ୍କ ସହ ବାଲ୍ୟ ବିବାହ କରିଥିଲେ ।
ଜୀବନ ଜୀବିକା ପାଇଁ ସେ ମାତ୍ର ୨୦ବର୍ଷ ବୟସରେ ବମ୍ବେ ଯାଇ ରଥ ଆଣ୍ଡ କମ୍ପାନୀ ନାମରେ ଏକ ଯୋତା କାରଖାନା ସ୍ଥାପନ କରିଥିଲେ । ୧୯୦୮ରେ ସେଠାରୁ ଅସୁସ୍ଥତା ହେତୁ ଫେରି ଉକ୍ରଳ ଟାନେରୀରେ ମ୍ୟାନେଜର ଭାବେ ଯୋଗ ଦେଇଥିଲେ । ୧୯୦୯ରେ ଉକ୍ରଳ ଟାନେରୀ ଛାଡି କଲିକତା ୟଙ୍ଗ ଆଣ୍ଡ କମ୍ପାନୀରେ ମ୍ୟାନେଜର ଭାବେ ଯୋଗ ଦେଇଥିଲେ ଓ ଔଷଧ ବ୍ୟବସାୟ ସେଠାରେ କରିଥିଲେ । ଓଡ଼ିଆ ସଙ୍ଗଠନ ତଥା ସ୍ୱାଧୀନତା ସଂଗ୍ରାମର ଦୀକ୍ଷା ସେ କୋଲକତାରେ ହିଁ ଗ୍ରହଣ କରିଥିଲେ । ସେଠାରୁ ୧୯୧୨ରେ ଫେରି ବ୍ରହ୍ମପୁରରେ ରହି ଓଡ଼ିଆ ଭାଷା ଓ ଓଡ଼ିଆ ଜାତିର ସମୃଦ୍ଧି ପାଇଁ ରଚନାତ୍ମକ କାର୍ଯ୍ୟ କରିବା ପାଇଁ ମନ ବଳାଇଥିଲେ । କାରଣ ସଂଖ୍ୟାଲଘୁ ତେଲୁଗୁ ସଂପ୍ରଦାୟର ବ୍ୟକ୍ତିମାନେ ସେତେବେଳେ ସମସ୍ତ ପଦ ପଦବୀରେ ଅଧିଷ୍ଠିତ ଥିଲେ। ଓଡ଼ିଆମାନେ ଏଠି ରାଜନୈତିକ, ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ, ଶିକ୍ଷା ଓ ସରକାରୀ କଳ ପ୍ରତ୍ୟେକ କ୍ଷେତ୍ରରେ ଅବହେଳିତ ହେଉଥିଲେ । ତେଣୁ ସେ ଅନୁଭବ କଲେ ଯେ ଜନଜାଗରଣ ସୃଷ୍ଟି ନିମନ୍ତେ ଓଡ଼ିଆ ଭାଷାରେ ବ୍ରହ୍ମପୁରରୁ ଏକ ସାପ୍ତାହିକ ପତ୍ରିକା ପ୍ରକାଶ କରିବେ । ୧୯୧୩ ମସିହା ଅପ୍ରେଲ ମାସ ବିଷୁବ ସଂକ୍ରାନ୍ତି ଦିନ ବ୍ରହ୍ମପୁରରୁ ତାଙ୍କ ସଂପାଦନାରେ ସାପ୍ତାହିକ ‘ଆଶା’ ପତ୍ରିକା ଆତ୍ମ ପ୍ରକାଶ କରି ଓଡ଼ିଶାର ସାମ୍ବାଦିକତା କ୍ଷେତ୍ରରେ ଯୁଗାନ୍ତର ସୃୃଷ୍ଟି କରିଥିଲା । ଏଥିରେ ପଣ୍ଡିତ ଉକ୍ରଳମଣି ଗୋପବନ୍ଧୁଙ୍କ ସହ ବହୁ ପ୍ରବୀଣ ସାରସ୍ୱତ ସାଧକ ତଥା ଜାତୀୟବାଦୀ ଲେଖକମାନେ ନିୟମିତ ଲେଖା ଲେଖି କରୁଥିଲେ । ଏହା ଥିଲା ଓଡ଼ିଶାର ପ୍ରଥମ ସାପ୍ତାହିକ ସମ୍ବାଦପତ୍ର । ନିଜର ଏକମାତ୍ର କନ୍ୟା ‘ଆଶା’ ନାମରେ ପତ୍ରିକାର ନାମ ଆଶା ଦିଆଯାଇଥିଲା । ଏହା ୧୯୨୮ ମସିହାରୁ ଦୈନିକ ସମ୍ବାଦପତ୍ର ଭାବରେ ପ୍ରକାଶ ପାଇ ଦକ୍ଷିଣ ଓଡ଼ିଶାର ବଡ ଗୋରବର ଅଧିକାରୀ ହୋଇଥିଲା । ଏତଦ୍ ସମ ଶଶିଭୂଷଣଙ୍କ ଉଦ୍ୟମରେ ଓଡ଼ିଆ ଜାତି ତଥା ଭାଷା ଆନ୍ଦୋଳନର ମୁଖପତ୍ର ଭାବେ ଏହା ଭାଷା ସାହିତ୍ୟର ବିକାଶ ସହ ନବ ଉକ୍ରଳର ନିର୍ମାଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।
ଆଶା ପ୍ରେସରୁ ପ୍ରଦୀପ, ସତ୍ୟବାଦୀ ଓ ନିଆଁଖୁଣ୍ଟା ମଧ୍ୟ ପ୍ରକାଶିତ ହେଉଥିଲା । ଓଡ଼ିଆମାନଙ୍କ କଥା ନୂତନ ଚିନ୍ତନ, ସଂସ୍କୃତି ଉପଯୋଗୀ ତଥା ରଚନାବଳୀ ସର୍ବଭାରତୀୟ ସ୍ତରରେ ପହଞ୍ଚାଇବା ପାଇଁ ଶଶିଭୂଷଣ ତାଙ୍କ ସଂପାଦନାରେ ୧୯୯୨ରେ ଇଂରାଜୀ ସାପ୍ତାହିକ ‘ଦି ଇଷ୍ଟ କୋଷ୍ଟ’ ଓ ୧୯୩୩ରେ ‘ଦି ନିଉ ଓଡ଼ିଶା’ ନାମରେ ଏକ ଦୈନିକ ସମ୍ବାଦପତ୍ର ପ୍ରକାଶ କରିଥିଲେ। ବ୍ରିଟିଶ ସରକାର ୧୯୨୭ ମସିହାରେ ଭାରତରେ ଶାସନ ସଂସ୍କାର ଆଣିବା ପାଇଁ ଇଂଲଣ୍ଡର ସାରଜନ ସାଇମନଙ୍କ ନେତୃତ୍ୱରେ ଏକ କମିଶନ ଗଠନ କରିଥିଲେ । ଏହି କମିଶନ ୧୯୨୮ରେ ଭାରତ ଆସିବା ସମୟରେ ଭାରତର କୋଣସି ବ୍ୟକ୍ତିଙ୍କୁ ସଭ୍ୟ ଭାବେ ନ ନେଇଥିବାରୁ ଚାରିଆଡୁ କଳା ପତାକା ପ୍ରଦର୍ଶନ କରି ‘ଗୋ ବ୍ୟାକ ସ।।ଇମନ’ ଧ୍ୱନି ଦିଆଯାଇଥିଲା । କିନ୍ତୁ ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ନେତୃତ୍ୱରେ ଉକ୍ରଳ ସମ୍ମିଳନୀ ଏହାକୁ ସ୍ୱାଗତ କରିଥିଲା । ଶଶିଭୂଷଣ ତାହା ଦୈନିକ ‘ଆଶା’ରେ ସ୍ୱାଗତ ସାଇମନ ପ୍ରକାଶ କରିଥିଲେ ଓ ଓଡ଼ିଶା ପ୍ରଦେଶ ଗଠନ ପାଇଁ ମେମୋରାଣ୍ଡମ ପ୍ରଦାନ କରିଥିଲେ । ଯେଉଁଥି ପାଇଁ ସାରା ଭାରତରେ ଏକ ଆଲୋଡନ ସୃଷ୍ଟି ହୋଇଥିଲା । ସାଇମନ କମିଶନ ଉକ୍ତ ଚରମ ପତ୍ର ପଢି ସୁଦୂର ମାନ୍ଦ୍ରାଜରୁ ଗଞ୍ଜାମ, କୋରାପୁଟ ଓ ଫୁଲବାଣୀ ଶାସିତ ହେବା ସଂପୂର୍ଣ୍ଣ ଅସମ୍ଭବ ହୃଦବୋଧ କରିଥିଲେ ଏବଂ ଓଡିଶା ଏକକ୍ରୀକରଣ ପାଇଁ ସୁପାରିଶ କରିଥିଲେ । ଓଡ଼ିଶାର ସୀମା ନିର୍ଦ୍ଧାରଣ ପାଇଁ ୧୯୩୧ ମସିହାରେ ବ୍ରିଟିଶ ସରକାର ଓଡନେଲ କମିଟି ଗଠନ କରିଥିଲେ । ଏ ସଂପର୍କରେ ଶଶି ଭୂଷଣ ଯୁକ୍ତିଯୁକ୍ତ ତଥ୍ୟ ଦ୍ୱାରା ସମସ୍ତ ଓଡ଼ିଆ ବିଚ୍ଛିନ୍ନାଞ୍ଚଳକୁ ଏକତ୍ର କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ ।
ସମାଜରୁ ଅନ୍ଧ ବିଶ୍ୱାସ ଓ କୁସଂସ୍କାର ଦୂର କରିବା ନିମନ୍ତେ ସୋରଡାର ଆରାଧ୍ୟ ଦେବୀ ମା କନ୍ଧୁଣୀ ଦେବୀଙ୍କ ପୀଠରେ ପ୍ରତ୍ୟେକ ଚୈତ୍ର ମଙ୍ଗଳବାର ଦିନ କଣ୍ଟାପିତା ଉତ୍ସବରେ ମନସ୍କାମନା ପୂରଣ ପାଇଁ ଦିଆଯାଉଥିବା ହଜାର ହଜାର ଛାଗବଳି ତାଙ୍କ ଉଦ୍ୟମରେ ବନ୍ଦ ହୋଇଥିଲା । ସେତେବେଳେ ମାନ୍ଦ୍ରାଜ ସରକାରଙ୍କ ଉପରେ ଚାପ ପକାଇ ବ୍ରହ୍ମପୁର ପୋର ପରିଷଦକୁ ତେଲୁଗୁ ଓ ତାମିଲ ସଂପ୍ରଦାୟର ପ୍ରଭାବଶାଳୀ ବ୍ୟକ୍ତିମାନେ ମନୋନୀତ ହୋଇଥିଲେ । ଏହା ବିରୋଧରେ ସେ ଜନମତ ସୃଷ୍ଟି କରିଥିଲେ, ଫଳରେ ୧୯୧୪ ମସିହାରେ ବ୍ରହ୍ମପୁର ପୋରପାଳିକାର ପରିଚାଳନା ବୋର୍ଡକୁ ନଗରପାଳ ହିସାବରେ ବିଶିଷ୍ଟ ଆଇନଜୀବୀ ପର୍ଶୁରାମ ପାତ୍ର ମନୋନୀତ ହେବା ବେଳେ ସେ ଉପନଗରପାଳ ଭାବେ ମନୋନୀତ ହୋଇଥିଲେ । ଏଠାରେ ୬ବର୍ଷ ଦାୟିତ୍ୱ ନିର୍ବାହ କରିବା ଭିତରେ ସହରରେ ମାଧ୍ୟମିକ ଶିକ୍ଷାର ପ୍ରସାର ଲାଗି ଯତ୍ନବାନ ହୋଇ ଉଠିଥିଲେ । ଖଲ୍ଲିକୋଟ କଲେଜର ପରିଚାଳନା କମିଟିରେ ମଧ୍ୟ ସେ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ । ୧୯୨୧ ସାଲରେ ଗାନ୍ଧିଜୀ ଗଞ୍ଜାମ ପରିଦର୍ଶନରେ ଆସିଥିଲେ । ପୁନଶ୍ଚ ୧୯୨୭ରେ ଗଞ୍ଜାମ ପରିଦର୍ଶନରେ ଆସିବା ବେଳେ ଗାନ୍ଧି ସମାଚାର ନାମରେ ଏକ ସାମୟିକ ପତ୍ରିକାର ପ୍ରକାଶନ ଓ ମୁକ୍ତି ସଂଗ୍ରାମ ସଂର୍ପକରେ ଖବର ପ୍ରକାଶ କରିଥିବାରୁ ଆଶା ପ୍ରେସର ମାଲିକ ଭାବରେ ଶଶି ଭୂଷଣଙ୍କ ଉପରେ ବ୍ରିଟିଶ ସରକାର କ୍ଷୁବଧ ହୋଇ ଭେଲୋର ଜେଲରେ ବନ୍ଦୀ କରିଥିଲେ । ଏହି ଜେଲରେ ସେ ଚକ୍ରବର୍ତ୍ତୀ ରାଜଗୋପାଳଚାରୀଙ୍କୁ ହିନ୍ଦୀ ଭାଷା ଶିଖେଇବା ସଙ୍ଗେ ସଙ୍ଗେ ନିଜେ ଗାନ୍ଧିଜୀଙ୍କ ରଚିତ ଗୁଜୁରାଟୀ ଗୀତାକୁ ଓଡ଼ିଆରେ ଅନୁବାଦ କରିଥିଲେ । ଲବଣ ସତ୍ୟାଗ୍ରହ ସମୟରେ ସେ ଥିଲେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ।
୧୯୩୧ରେ ଜେଲରୁ ମୁକ୍ତ ହେବା ପରେ ସେ ମୁକ୍ତି ସଂଗ୍ରାମରେ ଝାସ ଦେଇଥିଲେ । ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଲାଗି ବହୁ ଦୁଃସାହସିକ ପଦକ୍ଷେପ ଗ୍ରହଣ କରିଥିବାରୁ ତାଙ୍କୁ ନରବ୍ୟାଘ୍ର ବୋଲି ଲୋକେ ସମ୍ବୋଧନ କରୁଥିଲେ। ଖବର କାଗଜ ପ୍ରକାଶନ ସହ ତାଙ୍କ ପରିବାର ଓଡ଼ିଆ ଭାଷାରେ ମୁଦ୍ରଣ, ଟାଇପ ରାଇଟର ପ୍ରଚଳନ ଇତ୍ୟାଦିରେ ପାରଦର୍ଶିତା ଲାଭ କରିଥିଲେ । ତାଙ୍କ ପିତା ଓଡ଼ିଆ କମ୍ପୋଜିଟର ଭାବେ ସରକାରଙ୍କ ଦ୍ୱାରା ମନୋନୀତ ହୋଇ ଚେନ୍ନାଇଠାରେ ତାଲିମ ଗ୍ରହଣ କରିବା ସାଙ୍ଗକୁ ଆବଶ୍ୟକ ବେଳେ ମୁଦ୍ରଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ତାଙ୍କ ସହୋଦର ଭ୍ରାତା ରଙ୍ଗନାଥ ମହାପାତ୍ର ଓଡ଼ିଆ ଟାଇପ ରାଇଟର ଉଦ୍ଭାବନ କରିଥିଲେ। ୧୯୪୩ ମସିହା ମାର୍ଚ୍ଚ ୧୯ ତାରିଖରେ ତାଙ୍କର ମହାପ୍ରୟାଣ ହୋଇଥିଲା । ସେ ଆଜି ନାହାନ୍ତି ସତ, କିନ୍ତୁ ରଖି ଦେଇ ଯାଇଛନ୍ତି ଚିରନ୍ତନ ସ୍ମୃତି । ଜୀବନରେ ବହୁ ଘାତ ପ୍ରତିଘାତ ସହିତ ପ୍ରତିକୂଳ ପରିବେଶ ମଧ୍ୟରେ ଗତି କରି ମଧ୍ୟ ପ୍ରତି ମୁହୂର୍ତ୍ତରେ ସେ ଚାହିଁଥିଲେ ସମଗ୍ର ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି । ତାଙ୍କ ଭଳି ଓଡ଼ିଆ ପ୍ରାଣ ବାସ୍ତବରେ ବିରଳ ।
ଏମ.ଆଇ.ଜି. ୱାନ ୪୨/୧
ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀ
ଭୁବନେଶ୍ୱର,
ମୋ-୯୧୭୮୯୦୮୭୬୩
Samir Kumar Rout